ଜାତୀୟ ଯୁବ ଦୌଡ଼କୁଦ: ଓଡ଼ିଶାକୁ ଆଉ ୩ ପଦକ, ସ୍ବର୍ଣ୍ଣ ସହ ବାପିଙ୍କୁ ଏସୀୟ ଯୋଗ୍ୟତା

ଭୁବନେଶ୍ବର/କଟକ : କର୍ଣ୍ଣାଟକର ଉଡ଼ୁପିଠାରେ ଚାଲିଥିବା ଅଷ୍ଟାଦଶ ଯୁବ ଦୌଡ଼କୁଦ ପ୍ରତି‌ଯୋଗିତାର ଦ୍ବିତୀୟ ଦିନରେ ଓଡ଼ିଶାକୁ ୩ (୧ ସ୍ବର୍ଣ୍ଣ, ୨ ରୌପ୍ୟ) ପଦକ ମିଳିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୫ (୨ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ)କୁ ବୃଦ୍ଧି ପାଇଛି। ‌ରବିବାର ୪୦୦ ମିଟର ବାଧାଦୌଡ଼ରେ ବାପି ହାଂସ୍‌ଦା ସ୍ବର୍ଣ୍ଣ ପଦକ ଜିତିବା ସହ ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିନେଇଛନ୍ତି। ସେ ୫୧.୯୫ ସେକେଣ୍ଡ ସମୟ ନେଇ ଏହି ରେସ୍‌ ଶେଷ କରିଥିଲେ। ଏସୀୟ ଯୋଗ୍ୟତା ପାଇଁ ମାନଦଣ୍ଡ ୫୩.୩୪ ଥିଲା ବେଳେ ବାପି ଏହାକୁ ଅତିକ୍ରମ କରିଥିଲେ। ଏହି ଇଭେଣ୍ଟ୍‌ରେ ତାମିଲନାଡ଼ୁର ବିଷ୍ଣୁ ଶ୍ରୀ (୫୪.୦୫) ଓ ଜେରୋମି ସଂଜୟ (୫୪.୯୩) ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ଓଡ଼ିଶା ମିଡ୍‌ଲେ ରିଲେ ଦଳ

ଓଡ଼ିଶାକୁ ଦୁଇ ରୌପ୍ୟ ପଦକ ମହମ୍ମଦ ରିୟାନ ବାଶା (୨୦୦ ମିଟର ଦୌଡ଼) ଏବଂ ରିୟାନ, ରାଜେନ୍ଦ୍ର ସିଦ୍ଧୁ, ଚିନ୍ମୟ ନାଗ ଓ ବାପିଙ୍କୁ ନେଇ ଗଠିତ ମିଡ୍‌ଲେ ରିଲେ ଦଳ ଦେଇଥିଲେ। ଶନିବାର ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିବା ରିୟାନ ରବିବାର ୨୦୦ ମିଟର ଦୌଡ଼କୁ ୨୨.୨୨ ସେକେଣ୍ଡରେ ଶେଷ କରି ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ମଧ୍ୟପ୍ରଦେଶର ଅଭୟ ସିଂହ (୨୧.୮୭) ସ୍ବର୍ଣ୍ଣ, ଉତ୍ତରପ୍ରଦେଶର ଶିବମ (୨୨.୨୯) କାଂସ୍ୟ ଜିତିଥିଲେ। ମିଡ୍‌ଲେରେ ଓଡ଼ିଶା ଦଳ (୧ ମିନିଟ୍‌ ୫୭.୪୬ ସେକେଣ୍ଡ) ଦ୍ବିତୀୟରେ ରହିଥିଲା ବେଳେ ତେଲେଙ୍ଗାନା (୧:୫୭.୪୬) ‌ପ୍ରଥମ ଏବଂ ଦିଲ୍ଲୀ (୧:୫୮.୪୨) ତୃତୀୟରେ ରହି ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ପାଇଥିଲେ।

ଏପ୍ରିଲ ଶେଷ ସପ୍ତାହରେ ଉଜବେକିସ୍ତାନରେ ହେବାକୁଥିବା ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଥିବାରୁ ବ‌ାପିଙ୍କୁ ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ସଭାପତି ଜିଏସ୍‌ ପଟ୍ଟନାୟକଙ୍କ ସହ ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର