ଜାତୀୟ ଯୁବ ଚେସ୍‌, ମନୀଷ କୁମାର ବିଜେତା

ଭୁବନେଶ୍ବର: ଦୀର୍ଘ ଦିନ ପରେ ଜଣେ ଓଡ଼ିଆ ଖେଳାଳି ଜାତୀୟ ଚେସ୍ ପ୍ରତିଯୋଗିତାରେ ବିଜେତା ହୋଇଛି। ଶନିବାର ଅନ୍‌ଲାଇନ୍‌ରେ ଶେଷ ହୋଇଥିବା ୧୮ ବ‌ର୍ଷରୁ କମ୍‌ ଓପନ୍ ବର୍ଗରେ ମନୀଷ କୁମାର ୧୧ ରାଉଣ୍ଡରୁ ୯ ପଏଣ୍ଟ୍ ସହ ବିଜେତା ହୋଇଛନ୍ତି। ପଶ୍ଚିମବଙ୍ଗ ଆଇଏମ୍‌ ଅରୋଣ୍ୟକ ଘୋଷ ଏବଂ ପ୍ରଦେଶର ଆୟୂଷ ଶର୍ମା ସମାନ ୯ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ଟାଇବ୍ରେକ୍‌ ସ୍କୋରିଂରେ ପଛରେ ପଡ଼ି ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ଉପ ବିଜେତା ହୋଇଥିଲେ।

ଅନ୍ୟ ଦୁଇ ଓଡ଼ିଆ ବାଳକ ଜଗଦୀଶ ବାରିକ ଏବଂ ସମ୍ବିତ ପଣ୍ଡା ଯଥାକ୍ରମେ ୧୬ ଓ ୨୩ତମ ସ୍ଥାନରେ ରହିଥିଲେ। ବାଳିକା ବିଭାଗରେ ତାମିଲନାଡୁର ରିନ୍ଧ୍ୟା‌ ବିଜୟିନୀ ହୋଇଥିବାବେଳେ ପଶ୍ଚିମବଙ୍ଗର ବିଷ୍ଟି ମୁଖାର୍ଜୀ ଓ ଗୁଜୁରାଟର ଧ୍ୟାନା ପଟେଲ୍‌ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଓଡ଼ିଶାର ସାଇନା ସଲୋନିକା ୨୮ତମ ଏବଂ ୟାଶିତା ରାଉତ ୩୨ତମ ସ୍ଥାନରେ ରହିଥିଲେ। ମନୀଷ କୁମାରଙ୍କୁ ନିଖିଳ ଓଡ଼ିଶା ଚେସ୍‌ ସଂଘ ପକ୍ଷରୁ ସଭାପତି ରଂଜନ ମହାନ୍ତି ଏବଂ ଏସ୍‌ ଆର୍ ଚେସ୍‌ କେନ୍ଦ୍ର ପକ୍ଷରୁ ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ଅନ୍ୟପକ୍ଷରେ ସୋମବାରଠାରୁ ଓଡ଼ିଶା ରାଜ୍ୟ ୧୨ ବର୍ଷରୁ କମ୍‌ ଚେସ୍‌ ଅନଲାଇନ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହାକୁ ଗ୍ରାଣ୍ଡମାଷ୍ଟର୍ ତଥା ଜାତୀୟ ଚୟନ ସମିତି ଅଧ୍ୟକ୍ଷ ଅଭିଜିତ କୁନ୍ତେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ର, ଡବୁଲ୍ୟଜିଏମ୍‌ କିରଣ ମନୀଷା ମହାନ୍ତି, ଏଓସିଏ ସଭାପତି ରଂଜନ ମହାନ୍ତି, ସମ୍ପାଦକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ମୁଖ୍ୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର