କ୍ରିକେଟ୍‌ରୁ ଅବସର ନେଲେ ନଟରାଜ, କନିଷ୍ଠ ଚୟନ ସମିତି ଅଧ୍ୟକ୍ଷ ହେବେ!

କଟକ: ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ନଟରାଜ ବେହେରା ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ସୋମବାର ଅବସର ସ˚ପର୍କିତ ଏକ ଚିଠି ସେ ଓସିଏକୁ ପଠାଇଛନ୍ତି। ରାଜ୍ୟର କନିଷ୍ଠ ଖେଳାଳିମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ପ୍ରତିକ୍ରିୟା ଦେଇଛନ୍ତି। ତେବେ ତାଙ୍କୁ ରାଜ୍ୟ କନିଷ୍ଠ ଚୟନ ସମିତିର ଅଧ୍ୟକ୍ଷ କରାଯିବାକୁ ଯୋଜନା ହୋଇଥିବା ଓସିଏ ସୂତ୍ରରୁ ଜଣାପଡ଼ିଛି। ଏବେ ନଟରାଜ ରାଉରକେଲାରେ ଗରିବ ପିଲାମାନଙ୍କୁ ମାଗଣାରେ କ୍ରିକେଟ୍‌ ପ୍ରଶିକ୍ଷଣ ଦେଉଥିବା ବେଳେ ଆବଶ୍ୟକସ୍ଥଳେ କ୍ରୀଡ଼ା ଉପକରଣ ଯୋଗାଇ ଦେଉଛନ୍ତି। ତେଣୁ ନଟରାଜଙ୍କ ଏଭଳି ଆଗ୍ରହକୁ ନଜରରେ ରଖି ଓସିଏ ପକ୍ଷରୁ ତାଙ୍କୁ କନିଷ୍ଠ ଖେଳାଳିଙ୍କ ଦାୟିତ୍ବ ଦିଆଯିବା ଲାଗି ଯୋଜନା କରାଯାଇଥିବା ସୂଚନା ମିଳିଛି। ଯଦି ଓସିଏ କୌଣସି ନୂଆ ଦାୟିତ୍ବ ଦେବାକୁ ମନସ୍ଥ କରିଛି, ତାହେଲେ ଏହାକୁ ସ୍ବାଗତ କରିବି ବୋଲି ନଟରାଜ କହିଛନ୍ତି। ସେ ସବୁବେଳେ କ୍ରିକେଟ୍‌ ସହ ଜଡ଼ିତ ଥିଲେ ଓ ଏବେ ନୂଆ ଖେଳାଳିଙ୍କୁ ବାହାର କରିବାରେ ସେ ଯେଉଁ ଅଭିଯାନ ଚଲାଇଛନ୍ତି, ସମସ୍ତଙ୍କ ସହଯୋଗ ରହିଲେ ତାହା ଆଗାମୀ ଦିନରେ ସଫଳତାର ସହ ପୂରଣ ହେବ ବୋଲି ନଟରାଜ କହିଛନ୍ତି।

ନଟରାଜ ୨୦୦୭ରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପ୍ରଥମ ଥର ପାଇଁ ରାଜ୍ୟ ଦଳରେ ସ୍ଥାନ ପାଇଥିଲା ବେଳେ ୨୦୦୮ରେ ଭୁବନେଶ୍ବରରେ ଗୁଜୁରାଟ ବିପକ୍ଷରୁ ପ୍ରଥମ ଶ୍ରେଣୀ ଜୀବନ ଆରମ୍ଭ କରିଥିଲେ। ଏହା ପର ବର୍ଷ ଲିଷ୍ଟ ଏ’ରେ ରାଜ୍ୟକୁ ପ୍ରତିନିଧିତ୍ବ କରିବା ସୁଯୋଗ ମିଳିଥିଲା। ତାଙ୍କର ପ୍ରଥମ ଶ୍ରେଣୀ ଜୀବନ ମଧ୍ୟରେ ୫୪ ମ୍ୟାଚ୍‌ରୁ ୮ ଶତକ ଓ ୧୧ ଅର୍ଧଶତକ ସହ ୩୪.୪୪ ହାରରେ ୩୦୩୧ ରନ୍‌ ସ˚ଗ୍ରହ କରିଛନ୍ତି। ତାଙ୍କର ସ୍ଥିର ପ୍ରଦର୍ଶନ ପାଇଁ ୨୦୦୯ରେ ତାଙ୍କୁ ଆଇପିଏଲ୍‌ ଦଳ କୋଲକାତା ନାଇଟ୍‌ ରାଇଡର୍ସ ଦଳରେ ନିଆଯାଇଥିଲା। କିନ୍ତୁ କୌଣସି ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିନଥିଲା। ୨୦୧୧ରେ ଆରମ୍ଭ ହୋଇଥିବା ଓଡ଼ିଶା ପ୍ରିମିୟର ଲିଗ୍‌ରେ ନଟରାଜଙ୍କ ନେତୃତ୍ବରେ ୱେଷ୍ଟର୍ଣ୍ଣ ସାମୁରାଇ ବିଜେତା ହୋଇଥିଲା। ୨୦୦୯-୧୦ ଋତୁରେ ୨୨ ବର୍ଷରୁ କମ୍‌ ଦଳର ଶ୍ରେଷ୍ଠ ଖେଳାଳି ଭାବେ ବିସିସିଆଇ ଦ୍ବାରା ସେ ପୁରସ୍କୃତ ହୋଇଥିଲେ। ୨୦୧୧ରେ ବାରବାଟୀ ଷ୍ଟାଡିୟମରେ ସୌରାଷ୍ଟ୍ର ବିପକ୍ଷରେ ସେ ପ୍ରଥମ ଦ୍ବିଶତକ(୨୦୯) ହାସଲ କରିଥିଲେ। ୨୦୧୧-୧୨ ଋତୁରେ ନଟରାଜଙ୍କୁ ଦଲୀପ ଟ୍ରଫିରେ ପୂର୍ବାଞ୍ଚଳର ଅଧିନାୟକ ଭାବେ ମନୋନୀତ କରାଯାଇଥିଲା ଏବ˚ ତାଙ୍କ ନେତୃତ୍ବରେ ପୂର୍ବାଞ୍ଚଳ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ବିଜେତା ହୋଇଥିଲା। ଏହାପରେ ୨୦୧୨ରେ ତାଙ୍କୁ ଓଡ଼ିଶା ଦଳର ନେତୃତ୍ବ ନେବାକୁ ସୁଯୋଗ ମିଳିଥିଲା। ୨୦୧୫ରେ ରୋହତକରେ ହରିୟାଣା ବିପକ୍ଷ ରଣଜୀ ଟ୍ରଫିର ପ୍ରଥମ ପାଳିରେ ଅପରାଜିତ ଦ୍ବିଶତକ (୨୫୫*) ମାରି ଶିବସୁନ୍ଦର ଦାସଙ୍କ ପରେ ଗୋଟିଏ ପାଳିରେ ରାଜ୍ୟର ଦ୍ବିତୀୟ ସର୍ବାଧିକ ରନ୍‌ ସ˚ଗ୍ରହକାରୀ ହୋଇପାରିଥିଲେ। ନଟରାଜ ଓଡ଼ିଶାର ପ୍ରଥମ ଖେଳାଳିଭାବେ ଦୁଇଟି ଦ୍ବିଶତକ ଅର୍ଜନ କରିଛନ୍ତି। ତେବେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ୨୦୧୬ରେ ଓଡ଼ିଶା ଦଳରୁ ବାଦ୍‌ ଦିଆଯାଇଥିଲା। ୨୦୧୭ରେ ସେ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଏହାପରଠୁ ଆଉ ଦଳକୁ ଫେରି ପାରିନାହାନ୍ତି। ନଟରାଜଙ୍କ ନୈରାଶ୍ୟଜନକ ଶେଷ ଋତୁରେ ତାମିଲନାଡୁ ବିପକ୍ଷରେ ଡ୍ରିମ୍ସ ପଡ଼ିଆରେ ୯୧ ରନ୍‌ର ଗୁରୁତ୍ବପୂର୍ଣ୍ଣ ପାଳି ଏକମାତ୍ର ଭଲ ପ୍ରଦର୍ଶନ ଥିଲା ଏବ˚ ଏଥିଯୋଗୁଁ ଓଡ଼ିଶା ପାଳି ଅଗ୍ରଣୀ ପାଇପାରିଥିଲା। ଅନ୍ୟପକ୍ଷରେ ନଟରାଜ ଖେଳିଥିବା ୩୭ ଲିଷ୍ଟ ଏ’ ମ୍ୟାଚ୍‌ରୁ ୭ ଅର୍ଧଶତକ ସହ ୯୬୭ ରନ୍‌ ଓ ୧୬ ଟ୍ବେଣ୍ଟି-୨୦ରୁ ୨୬୧ ରନ୍‌ ସ˚ଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର