କଟକ ପାଲଟିଲା ଶୁଭ! ନଭଦୀପ ଆରମ୍ଭ କଲେ ଦିନିକିଆ ବୋଲିଂ

କଟକ: ବାରବାଟୀ ଷ୍ଟାଡିୟମରେ ଆଜି ନିଜର ଦିନିକିଆ ବୋଲିଂ ଅଭିଯାନର ଶୁଭାରମ୍ଭ କରିଛନ୍ତି ନଭଦୀପ ସଇନି | ହରିୟାନାର କର୍ଣ୍ଣଲରେ ଜନ୍ମଗ୍ରହଣ କରିଥିବା ନଭଦୀପ ଭାରତୀୟ ଟିମ ପାଇଁ ଖେଳିବାକୁ ବହୁ ସଂଘର୍ଷ କରିଛନ୍ତି | ଦିନେ ମ୍ୟାଚ ପିଚା ୨୫୦ ଟଙ୍କା ପାଉଥିବା ଏହି ଖେଳାଳି ଆଜି ୧୦ ଓଭରରେ ୫୮ ରନ ଦେଇ ଦୁଇଟି ମୂଲ୍ୟବାନ ଉଇକେଟ ନେଇ ନିଜ କ୍ରୀଡା ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି | ୨୬ ବର୍ଷର ଡାହାଣହାତି ବୋଲର ନଭଦୀପ ସଇନି ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ବୋଲିଂ କରିବାକୁ ସକ୍ଷମ ଥିବାବେଳେ ଆଇପିଏଲ-୨୦୧୯ରେ ନିଜ ବୋଲିଂକୁ ନେଇ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ | ଆରସିବି(ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ପକ୍ଷରୁ ଖେଳୁଥିବା ନଭଦୀପ ସମୁଦାୟ ୧୩ଟି ମ୍ୟାଚରୁ ୧୧ଟି ଉଇକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ |

ନଭଦୀପ ପୂର୍ବରୁ ଟ୍ୱେଣ୍ଟି ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିସାରିଛନ୍ତି | ଅଗଷ୍ଟ ୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ପ୍ରଥମ ମ୍ୟାଚ ଖେଳିଥିଲେ | ରଣଜୀ ଟ୍ରଫିରେ ନଭଦୀପ ଦିଲ୍ଲୀ ପକ୍ଷରୁ ଖେଳୁଥିବାବେଳେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ସେ ବେଶ ପସନ୍ଦ ଆସିଥିଲେ | ବହୁତ କମ ଲୋକ ଜାଣନ୍ତି ଯେ ନଭଦୀପଙ୍କୁ କର୍ଣ୍ଣଲରେ ହେଉଥିବା ସ୍ଥାନୀୟ ମ୍ୟାଚ ପିଛା ମାତ୍ର ୨୦୦ଟଙ୍କା ମିଳୁଥିଲା | ୨୦୧୩ ମସିହାରେ ସଇନି ଚମଡା ବଲ ନୁହେଁ ଟେନିସ ବଲରେ ହିଁ ଖେଳୁଥିଲେ |

କର୍ଣ୍ଣଲ ପ୍ରିମିୟର ଲିଗ ସମୟରେ ପୂର୍ବତନ ବୋଲର ସୁମିତ ନରବଲ ନଭଦୀପଙ୍କ ବୋଲିଂ ଦେଖି ବେଶ ପ୍ରଭାବିତ ହୋଇଥିଲେ | ଏହା ପରେ ସଇନିଙ୍କୁ ଦିଲ୍ଲୀ ଡାକି ଗୌତମ ଗମ୍ଭୀରଙ୍କ ସହ ନେଟ ପ୍ରାକ୍ଟିସ କରାଇଥିଲେ | ଗମ୍ଭୀର ଯେତେବେଳେ ସଇନିଙ୍କ ବୋଲିଂ ଶୈଳୀ ଦେଖିଥିଲେ ତାଙ୍କୁ ଶିକ୍ଷା ଦେଇଥିଲେ ଓ ଦିଲ୍ଲୀ ରଣଜୀ ଟିମରେ ଚୟନ କରିଥିଲେ | ୨୦୧୩-୧୪ରେ ଦିଲ୍ଲୀ ରଣଜୀ ଟିମରେ ତାଙ୍କର ଚୟନ ହୋଇଥିବାବେଳେ ଏହା ପରଠାରୁ ଆଉ କେବେ ପଛକୁ ଫେରି ସେ ଚାହିଁନାହାନ୍ତି |

ସମ୍ବନ୍ଧିତ ଖବର