କଳିଙ୍ଗ ହେବ ଭାରତୀୟ ହକିର ଗୁରୁକୁଳ, ନାଭାଲ ଟାଟା ହକି ଏକାଡେମି ଉଦ୍‌ଘାଟିତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସର ତଳ ମହଲାରେ ପ୍ରତୀକ୍ଷିତ ନାଭାଲ ଟାଟା ହକି ଏକାଡେମି (ଏନ୍‌ଟିଏଚ୍‌ଏ) ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନରେ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରି ଦେଶ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକାଡେମି ଆଗାମୀ ସମୟରେ ଓଡ଼ିଶା ତଥା ଓଡ଼ିଶା ବାହାରର ଉଦୀୟମାନ ହକି ତାରକାଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବା ସହ ସେମାନଙ୍କୁ ଅନ୍ତର୍ଜାତୀୟ ଖେଳାଳି ଭାବେ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ତୁଲାଇବ। ଟାଟା ଷ୍ଟିଲ, ଟାଟା ଟ୍ରଷ୍ଟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସ୍ଥାପିତ ହୋଇଥିବା ଏହି ଏକାଡେମି ପ୍ରଥମେ ୨୪ ଜଣ ବାଳିକା ଖେଳାଳିଙ୍କୁ ନେଇ ଆରମ୍ଭ ହୋଇଛି। ଦ୍ବିତୀୟ ବର୍ଷଠାରୁ ଏହାକୁ ବାଳକଙ୍କ ପାଇଁ ମଧ୍ୟ ସଂପ୍ରସାରିତ କରାଯିବ। ଟାଟା ଝାଡ଼ଖଣ୍ଡରେ ଏଭଳି ଏକ ହକି ଏକା‌ଡେମିକୁ ସଫଳତାର ସହ ଚଳାଉଛି। ତେବେ ଓଡ଼ିଶା ଏକାଡେମି ଆହୁରି ଉନ୍ନତ ଏବଂ ଆଧୁନିକ ଧରଣର ହେବ ବୋଲି ଟାଟା ପକ୍ଷରୁ ଦାବି କରାଯାଇଛି। ଏକାଡେମି ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଯୋଗାଇ ଦେଇଥିଲା ବେଳେ ଟାଟା ଏହାର ବୈଷୟିକ ଏବଂ ପରିଚାଳନାଗତ ଦିଗ ଦେଖିବ। ଆସନ୍ତା ୩ ବର୍ଷ ମଧ୍ୟରେ କଂପାନି ଏଥିଲାଗି ପାଖାପାଖି ୩୦ କୋଟି ଟଙ୍କା ବ୍ୟୟ କରିବ। ଏକାଡେମିକୁ ଉଦ୍‌ଘାଟନ କରି ମୁଁ ବହୁତ ଖୁସି। ଏହା ଓଡ଼ିଶା ହକିକୁ ସଫଳତାର ନୂଆ ସ୍ତରକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ। ଆଜିର ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦେଶକ ଆର୍‌ ଭିନିଲକ୍ରିଷ୍ଣା, ଟାଟା ଷ୍ଟିଲ୍‌ ସିଇଓ ଏବଂ ଏମଡି ଟିଭି ନରେନ୍ଦ୍ରନ୍, ଟାଟା ଷ୍ଟିଲ୍‌ କର୍ପୋରେଟ୍ ସେବା ଉପସଭାପତି ଚାଣକ୍ୟ ଚୌଧୁରୀ, ଟାଟା ଟ୍ରଷ୍ଟ୍‌ସର ବରିଷ୍ଠ ଉପଦେଷ୍ଟା ବୁରଜିସ୍ ତାରାପୋରବାଲା ପ୍ରମୁଖ ଉପସ୍ଥିତ ଥିଲେ।

୨୪ରୁ ଓଡ଼ିଶାର ୧୮
ନଗଗଠିତ ନାଭାଲ ଟାଟା ହକି ଏକାଡେମି ୨୪ ଜଣ ବାଳିକାଙ୍କୁ ନେଇ ଆରମ୍ଭ ‌ହୋଇଛି। ସେଥିମଧ୍ୟରେ ଓଡ଼ିଶାର ୧୮ ଜଣ ଖେଳାଳି ରହିଥିଲା ବେଳେ ବାକି ୬ ଜଣ ଆସାମ ଓ ଝାଡ଼ଖଣ୍ଡରୁ ବଛାହେବେ। ପରବର୍ତୀ ସମୟରେ ବାଳକଙ୍କ ପାଇଁ ମଧ୍ୟ ଏଠାରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ। ଟାଟା ଷ୍ଟିଲ୍, ଟାଟା ଟ୍ରଷ୍ଟସ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ସ୍ଥାପିତ ହୋଇଥିବା ଏହି ଏକାଡେମିକୁ ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କ ମଧ୍ୟ ସହାୟତାର ହାତ ବଢ଼ାଇଛି। ସୁନ୍ଦରଗଡ଼, ରାଉରକେଲା, ଦେବଗଡ଼ ସମେତ ଓଡ଼ିଶା ଏବଂ ଆସାମ ଓ ଝା‌ଡ଼ଖଣ୍ଡର ବିଭିନ୍ନ ସ୍ଥାନରୁ ୩୫୦ ଜଣ ଖେଳାଳିଙ୍କୁ ପରୀକ୍ଷାନିରୀକ୍ଷା କରିବା ପରେ ଶେଷରେ ଏହି ୨୪ ଜଣ ଖେଳାଳିଙ୍କୁ ବଛାଯାଇଛି। ବିଶ୍ବ ବିଜେତା ତଥା ତିନି ଥର ଅଲିମ୍ପିକ୍ସ ପଦକ ବିଜେତା ନେଦରଲାଣ୍ଡର ଫ୍ଲୋରିସ୍ ଜନ୍ ବୋଭେଲାଣ୍ଡର ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଏଠାରେ ୧୨ରୁ ୧୭ ବର୍ଷର ଖେଳାଳିଙ୍କୁ ପିଲାବେଳୁ କୃତ୍ରିମ ଟର୍ଫରେ ଖେଳିବାର ଅଭିଜ୍ଞତା ପ୍ରଦାନ କରାଯିବ। ନେଦରଲାଣ୍ଡରେ ଥିବା ବୋଭେଲାଣ୍ଡରଙ୍କ ଏକାଡେମି ‘ବୋଭେଲାଣ୍ଡର ହକି ଏକାଡେମି’ ବୈଷୟିକ ସହାୟତା ଯୋଗାଇଦେବ। ଦୁଇ ଜଣ ଭାରତୀୟ ପ୍ରଶିକ୍ଷକ ଏବଂ ଟ୍ରେନର ଲକ୍ଷ୍ମୀ ଓ ଅନୁସା ମଧ୍ୟ ଏଥିରେ କାର୍ଯ୍ୟ କରିବେ। ଏହାକୁ ଜାତୀୟ ଏକାଡେମି ଭାବେ ପରିଚାଳିତ କରାଯିବ। ଭାରତୀୟ ହକି ପ୍ରତି ଅତୁଳନୀୟ ଯୋଗଦାନ କରିଥିବା ନାଭାଲ ଟାଟାଙ୍କ ନାଁରେ ଏହି ଏକାଡେମି ଖୋଲାଯାଇଛି। ନାଭାଲ ଦୀର୍ଘ ୧୫ ବର୍ଷ ଧରି ଭାରତୀୟ ହକି ମହାସଂଘର ସଭାପତି ଥିଲେ। ସେ ମଧ୍ୟ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ପଦ ଅଳଙ୍କୃତ କରିଥିଲେ।

ସମ୍ବଲପୁର ଓ ସୁନ୍ଦରଗଡ଼ରେ ଖୋଲିବ ହକି ତୃଣମୂଳ କେନ୍ଦ୍ର
ରାଜ୍ୟ ସରକାରଙ୍କର ଭୁବନେଶ୍ବର, ସୁନ୍ଦରଗଡ଼ ଏବଂ ରାଉରକେଲାଠାରେ ଥିବା ହକି କ୍ରୀଡ଼ା ଛାତ୍ରାବାସ ଏଣିକି ଆଞ୍ଚଳିକ ହକି ବିକାଶ କେନ୍ଦ୍ର (ଆରଡିସି)ରେ ପରିଣତ ହେବେ। ଏଠାରେ ରହୁଥିବା ପିଲାଙ୍କ ସହ ଟାଟା ଟ୍ରଷ୍ଟସ୍ ଏବଂ ଟାଟା ଷ୍ଟିଲର ବିଶେଷଜ୍ଞ କାର୍ଯ୍ୟ କରିବେ। ସେମାନଙ୍କ ଦକ୍ଷତା ଏବଂ ଉତ୍କର୍ଷତା ବଢ଼ାଇବା ଲାଗି ପ୍ରୟାସ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ୧୦ରୁ ୨୦ ତୃଣମୂଳ କେନ୍ଦ୍ର ସ୍ଥାପନ କରାଯିବ। ତୃଣମୂଳସ୍ତରରେ ଯେଉଁ ହକି ପ୍ରତିଭା‌ଙ୍କୁ ଚିହ୍ନଟ କରାଯିବ, ସେମାନଙ୍କୁ କ୍ରୀଡ଼ା ଛାତ୍ରାବାସରେ ନାମ ଲେଖାଇବା ଲାଗି ସୁପାରିସ କରାଯିବ। ତୃଣମୂଳ କେନ୍ଦ୍ର ଏବଂ ଆରଡିସିଗୁଡ଼ିକ ଏନ୍‌ଟିଏଚ୍‌ଏକୁ ନିୟମିତ କ୍ରୀଡ଼ା ପ୍ରତିଭା ଯୋଗାଣକୁ ନିଶ୍ଚିତ କରିବେ। ରାଜ୍ୟ ସରକାର ହକି ବିକାଶ ଲାଗି ସମସ୍ତ ଭିତ୍ତିଭୂମି ଯୋଗାଇଦେବେ। ଇଚ୍ଛୁକ ଯୁବ ‌ଖେଳାଳିଙ୍କୁ ଆଧୁନିକ ପ୍ରଶିକ୍ଷଣ ଦିଆଯାଇ, ସେମାନଙ୍କୁ ତୃଣମୂଳ କେନ୍ଦ୍ରଗୁଡ଼ିକରେ ପ୍ରଶିକ୍ଷକ ଏବଂ ସଂଯୋଜକ ଭାବେ ନିଯୁକ୍ତି ଦିଆଯିବ।

ସମ୍ବନ୍ଧିତ ଖବର