ଭୁବନେଶ୍ବର : ଗୁରୁଣ୍ଡିଆ ଏବଂ ସବଡେଗା ଯଥାକ୍ରମେ ଓଡ଼ିଶା ଟାଟା ନାଭାଲ ତୃଣମୂଳ ହକି ଲିଗ୍‌ର ବାଳିକା ଏବଂ ବାଳକ ବର୍ଗରେ ବିଜେତା ହୋଇଛନ୍ତି। ଦୁଇଟି ପର୍ଯ୍ୟାୟରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ୍‌ରେ ନାଭାଲ ଟାଟା ହକି ଏଚ୍‌ପିସିର ୧୪ ତୃଣମୂଳ କେନ୍ଦ୍ର ଅଂଶଗ୍ରହଣ କରିଥିଲେ। ଏଥିରେ ୫୦୦ରୁ ଅଧିକ ଖେଳାଳି ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮ ଦଳର ୨୫୦ ଖେଳାଳି ଫାଇନାଲ୍ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଦଳଗୁଡ଼ିକ ‌ହେଲେ ଢେଙ୍କାନାଳ, ଫୁଲବାଣୀ, ଦନ୍ତ୍ରୀ, କୋଡବାହାଲ, କହୁପାଣି, ସବଡେଗା, ଗୁରୁଣ୍ଡିଆ ଓ ମଝିପଡ଼ା। ଫାଇନାଲ୍ ପର୍ଯ୍ୟାୟ ଚଳିତ ଅଗଷ୍ଟ ୧୭ରୁ ୨୦ ପର୍ଯ୍ୟନ୍ତ ଖେଳାଯାଇଥିଲା। ଏଥିରେ କହୁପାଣିକୁ ୨-୧ ଗୋଲ୍‌ରେ ହରାଇ ଗୁରୁଣ୍ଡିଆ ବାଳିକା ବର୍ଗ ବିଜେତା ହୋଇଥିଲା। ପୁରୁଣାପାଣିକୁ ୨-୧ ଗୋଲ୍‌ରେ ପରାସ୍ତ କରି ସବଡେଗା ତୃତୀୟ ସ୍ଥାନ ଅଧିକାର କରିଥିଲା।

Advertisment

publive-image

ବାଳକରେ ସବଡେଗା ୩-୧ ଗୋଲ୍‌ରେ ଢେଙ୍କାନାଳକୁ ହରାଇ ବିଜେତା ହୋଇଥିଲା। ଗୁରୁଣ୍ଡିଆ ୨-୦ ଗୋଲ୍‌ରେ କୋଡବାହାଲକୁ ମାତ୍ ଦେଇ ତୃତୀୟ ସ୍ଥାନରେ ରହିଥିଲା। ଖେଳାଳିମାନଙ୍କ ଉତ୍ସାହକୁ ନେଇ ଓଡ଼ିଶା ନାଭାଲ ଟାଟା ଏଚ୍‌ପିସିର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ୍ ସନ୍ତୋଷ ଜାହିର କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଲିଭା ଜାଟେ, ରଞ୍ଜନ ଲାକ୍ରା ବାଳିକା ଓ ବାଳକ ବର୍ଗରେ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରିୟାଂଶୀ ମିଞ୍ଜ୍, ସଂଜୟ ଲାକ୍ରା, ରିତିକ ଲାକ୍ରା, ସଂଜନା କୁଜୁର, ବିଶାଲ କାଇଥ ବିଭିନ୍ନ ପୁରସ୍କାର ଲାଭ କରିଥିଲେ। ଅଲିଭା ଟେଟେ ଓ ଅର୍ମାନ ସୋରେଙ୍ଗ ପ୍ରତିଯୋଗିତାର ଶ୍ରେଷ୍ଠ ବାଳିକା ଓ ବାଳକ ଖେଳାଳି ପୁରସ୍କାର ପାଇଥିଲେ।