ନବରତ୍ନା କପ୍‌ ଫୁଟ୍‌ବଲ୍‌ ଫାଇନାଲ୍‌ରେ ଉତ୍କଳ ସ୍ପୋର୍ଟିଂ

ଚଣ୍ଡିଖୋଲ: ଜଟଣୀର ଉତ୍କଳ ସ୍ପୋର୍ଟିଂ ଖଏରା ଫୁଟବଲ୍‌ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ମନୋରଂଜନ ବବୁଲ ସ୍ମାରକୀ ପିପିଏଲ୍‌ ନବରତ୍ନା କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦ୍ୱିତୀୟ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଛି। ବଡ଼ଚଣାସ୍ଥିତ ରାଜୀବ ସ୍ମାରକୀ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାର ଶୁକ୍ରବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଉତ୍କଳ ସ୍ପୋର୍ଟିଂ ୪-୨ ଗୋଲ୍‌ରେ କଳିଙ୍ଗ ସ୍ପୋର୍ଟିଂ ଭୁବନେଶ୍ୱରକୁ ପରାସ୍ତ କରିଦେଇଛି। ଭୁବନେଶ୍ୱର ଆରମ୍ଭରୁ ୧-୦ରେ ଆଗୁଆ ହୋଇଥିଲା ବେଳେ ଜଟଣୀ ଦଳ ଗୋଲ୍‌ ଶୁଝି ଦେଇ ପ୍ରଥମାର୍ଧ ୧-୧ ସ୍ଥିତି ପାଇଥିଲା। ଦ୍ଵିତୀୟାର୍ଧରେ ଆଉ ଗୋଲ୍‌ ନହେବାରୁ ନିର୍ଧାରିତ ସମୟ ଖେଳ ଅମୀମାଂସିତ ରହିଥିଲା। ଫଳରେ ଟ୍ରାଇବ୍ରେକରର ସହାୟତା ନିଆଯାଇଥିଲା। ଏଥିରେ ୪-୨ ଗୋଲ୍‌ରେ ଜଟଣୀ ଦଳ ବିଜୟ ଲାଭ କରିଥିଲା। ବିଜୟୀ ଦଳର ଶିଶିିର ନାୟକଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା। ଅତିଥି ତହସିଲଦାର ଅଶୋକ କୁମାର ଦାସ, ବଡ଼ଚଣା ଥାନାଧିକାରୀ ସୁଧାକର ସାହୁ, ଡ. ବିଜୟ କୁମାର ଶତପଥୀ ଓ ଅଧ୍ୟାପିକା ମାଧୁରୀ ମିଶ୍ର ଯୋଗଦେଇ ତାଙ୍କୁ ପୁରସ୍କୃତ କରିଥିଲେ। ଆସନ୍ତା ରବିବାର ଫାଇନାଲ୍‌ରେ ଜଟଣୀ ଦଳର ମୁକାବିଲା ଢେଙ୍କାନାଳର ପପୁଲାର କ୍ଲବ୍‌ ସହ ହେବ।

ସମ୍ବନ୍ଧିତ ଖବର