କଟକ : ହରିଆଣାର ଯୁବ ବୋଲର ନଭଦୀପ ସଇନିଙ୍କ ପାଇଁ ରବିବାର ଥିଲା ବେଶ୍ ଖାସ୍ ଦିନ। ଖେଳାଳି ଅଭ୍ୟାସ କରୁଥିବା ବେଳେ ଚୂଡ଼ାନ୍ତ ଭାରତୀୟ ଦଳରେ ସେ ଥିବା ଅଧିନାୟକ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସଙ୍କେତ ଦେଇଥିଲେ। ଫଳରେ ଭାରତୀୟ ଦଳର ଅନ୍ୟତମ ଯୁବ ତାରକା ମୟଙ୍କ ଅଗ୍ରୱାଲ ତାଙ୍କୁ ସର୍ବପ୍ରଥମେ ଅଭିନନ୍ଦନ ଜଣାଇଥିଲେ। ପଡ଼ିଆ ଭିତରେ ହିଁ ମୟଙ୍କ ଖୁସିରେ ନଭଦୀପଙ୍କୁ କୁଣ୍ଢାଇ ପକାଇଥିଲେ। ଏହା ପରେ କୋହଲି ଆନୁଷ୍ଠାନିକ ଭାବେ ସଇନିଙ୍କୁ ଭାରତୀୟ ଦଳର ଟୋପି ହସ୍ତାନ୍ତର କରିଥିଲେ। ସେ ଆହତ ଦ୍ରୁତ ବୋଲର ଦୀପକ ଚହରଙ୍କ ସ୍ଥାନ ନେଇଥିଲେ। ସଇନି ମଧ୍ୟ ୧୧ ଜଣିଆ ଦଳରେ ସ୍ଥାନ ପାଇବା ଲାଗି କଚଟି ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ପଛରେ ପକାଇ ଦେଇଥିଲେ। ୨୭ ବର୍ଷୀୟ ସାଇନି ୨୨୯ତମ ଭାରତୀୟ ଖେଳାଳି ଭାବେ ବାରବାଟୀରେ ଦିନିକିଆ ପଦାର୍ପଣ କରିଥିଲେ। ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ୩ ତାରିଖରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହିଁ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ହରିଆଣାର କର୍ନାଲରେ ଜନ୍ମଗ୍ରହଣ କରିଥିବା ସଇନି ୨୦୧୩ରୁ ଦିଲ୍ଲୀରୁ ଘରୋଇ କ୍ରିକେଟ୍ ଖେଳି ଆସୁଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ହିଁ ପ୍ରଥମେ ତାଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ। ତାଙ୍କ ପ୍ରୋତ୍ସାହନ ଏବଂ ସମର୍ଥନରେ ହିଁ ସଇନି ଆଜି ଏହି ସ୍ଥିତିରେ ପହଞ୍ଚିଛନ୍ତି। ଅପେକ୍ଷାକୃତ ଭଲ ବୋଲିଂ କରିଥିବା ସଇନି ଜାଦେଜାଙ୍କ ବୋଲିଂରେ ସୀମା ରେଖା ପାଖରେ ଏକ କଷ୍ଟକର କ୍ୟାଚ୍ ନେବା ପରେ ଇଣ୍ଡିଜ୍ର ପ୍ରାରମ୍ଭିକ ଯୋଡ଼ି ଭାଙ୍ଗିଥିଲା। ନିଜ ପ୍ରଥମ ଦିନିକିଆରେ ପୂରା ୧୦ ଓଭର ବୋଲିଂ କରି ୫୮ ରନ୍ ବିନିମୟରେ ସେ ମଧ୍ୟ ଇଣ୍ଡିଜର ଦୁଇ ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ସାଇ ହୋପ୍ ଓ ରସ୍ତନ ଚେଜଙ୍କୁ ଆଉଟ୍ କରିଥିଲେ। ତା’ ସହ ଚୟନକର୍ତାଙ୍କ ନିଷ୍ପତ୍ତିକୁ ସାର୍ଥକ କରିଥିଲେ।
ବସ୍ ଚାଳକଙ୍କ ପୁଅ, ସ୍ୱାଧୀନତା ସଂଗ୍ରାମୀ ପରିବାର
ସଇନିଙ୍କ ପିତା ଅମରଜିତ ସିଂହ ହରିଆଣା ସରକାରଙ୍କ ଅଧୀନରେ ବସ୍ ଚାଳକ ଭାବେ କାର୍ଯ୍ୟ କରୁଥିଲା ବେଳେ ତାଙ୍କ ଜେଜେବାପା କରମ ସିଂହ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ। ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭାରତୀୟ ଜାତୀୟ ସେନାରେ କରମ ଜଣେ ଯବାନ ଥିଲେ। ନଭଦୀପ ବହୁ ଦୁଃଖକଷ୍ଟ କରି ଆଗକୁ ବଢ଼ିଛନ୍ତି। ୨୦୧୮ ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ଲାଗି ମହମ୍ମଦ ସାମିଙ୍କ ସ୍ଥାନରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ହେଲେ ସେ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ। ୨୦୧୭ରୁ ନଭଦୀପ ପ୍ରଥମେ ଦିଲ୍ଲୀ ଡେୟାର ଡେଭିଲ୍ସ ଏବଂ ତା’ ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ୍ ଖେଳି ଆସୁଛନ୍ତି। ୨୦୧୭-୧୮ରେ ସେ ଦିଲ୍ଲୀ ରଣଜୀ ଦଳର ସର୍ବାଧିକ ୱିକେଟ୍ ହାସଲକାରୀ ଥିଲେ। ୨୦୧୮-୧୯ରେ ନଭଦୀପ ମଧ୍ୟ ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ସର୍ବାଧିକ ୱିକେଟ୍ କରାୟତ କରିଥିଲେ।