ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହୋଇଛନ୍ତି। ହାର୍ଦ୍ଦିକଙ୍କୁ ଟ୍ରେଡିଂ ଜରିଆରେ ଆଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ତାଙ୍କୁ ନେତୃତ୍ବ ଦେଇଛି। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦାୟିତ୍ବମୁକ୍ତ କରାଯିବା ସହ ପାଣ୍ଡ୍ୟାଙ୍କୁ ପରବର୍ତ୍ତୀ ଅଧିନାୟକ ଘୋଷଣା କରିଥିଲା ଏମଆଇ। ଏ‌ବେ ଆଇପିଏଲ ଆରମ୍ଭ ହୋଇସାରିଥିବା ବେଳେ ରୋହିତଙ୍କୁ ରାଗ ତମତମ ହୋଇ ହାର୍ଦ୍ଦିକ ପଡ଼ିଆରେ ନିର୍ଦ୍ଦେଶ ଦେଉଥିବାର ଦୃଶ୍ୟ ତାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସୁନାହିଁ। ଏମଧ୍ୟରେ ମୁହଁ ଖୋଲିଛନ୍ତି ପୂର୍ବ କ୍ରିକେଟର ନବଜୋତ ସିଂହ ସିଦ୍ଧୁ।

Advertisment

ସେ କହିଛନ୍ତି ଯେ, "ମୁଁ ଏଭଳି ଏକ ଭାରତୀୟ ଦଳରେ ଖେଳିଛି ଯେଉଁଥିରେ ପାଞ୍ଚ ଜଣ ଅଧିନାୟକ ଏକାଠି ଖେଳୁଥିଲେ। କପିଲ ଦେବ, ଦିଲୀପ ବେଙ୍ଗସରକର, ସୁନୀଲ ଗାଭାସ୍କର, କୃଷ୍ଣମାଚାରି ଶ୍ରୀକାନ୍ତ ଏବଂ ରବି ଶାସ୍ତ୍ରୀ। ଏମାନେ ସମସ୍ତେ ସାଙ୍ଗ ହୋଇ ଖେଳିଥିଲେ। କାହାର କୌଣସି ଅସୁବିଧା ନଥିଲା। କାରଣ ସେମାନେ ନିଜ ଦେଶ ପାଇଁ ଖେଳୁଥିଲେ। ତେଣୁ ହାର୍ଦ୍ଦିକଙ୍କ ଅଧୀନରେ ଖେଳିବା ରୋହିତଙ୍କୁ ଛୋଟ କରିଦେବ ନାହିଁ। କାରଣ ରୋହିତ ଜଣେ ମହାନ ଖେଳାଳି। ତାଙ୍କ ପ୍ରଦର୍ଶନ ସମସ୍ତେ ଦେଖିଛନ୍ତି। ପାହାଡ଼ର ଶିଖରରେ ରହିଲେ ବି ଯିଏ ଛୋଟ ସେ ସବୁବେଳେ ଛୋଟ ହୋଇ ରହିବ। ଆଉ ଭଗବାନ କୂଅ ତଳେ ରହିଲେ ବି ସେ ଭଗବାନ। ଅନେକ ଝଡ଼-ତୋଫାନର ସାମ୍ନା କରିବା ପରେ ଯାଇ ଜଣେ ‌ରୋହିତ ଓ ଧୋନିଙ୍କ ଭଳି ଖେଳାଳି ହୋଇପାରିବ।"