ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ପାକିସ୍ତାନ ପ୍ରଥମ ବିଜୟ ପାଇଛି। ପ୍ରଥମ ଦୁଇ ଟ୍ବେଣ୍ଟି-୨୦ ହାରିଥିବା ଭ୍ରମଣକାରୀ ଦଳ ଓପନର୍‌ ହାସନ ନୱାଜଙ୍କ ରେକର୍ଡ ଶତକ ବଳରେ ତୃତୀୟ ମ୍ୟାଚ୍‌କୁ ଶୁକ୍ରବାର ସହଜରେ ଜିତି ନେଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାକୁ ପାକିସ୍ତାନ ୧-୨ ସ୍ତରକୁ ଆଣି ଜୀବନ୍ତ ରଖିଛି। ଓପନର୍‌ ନୱାଜ (୪୫ ବଲ୍‌ରୁ ୧୦୫*, ୧୦ ଚୌକା, ୭ ଛକା)ଙ୍କ ବିସ୍ଫୋରକ ଶତକ ବଳରେ ପାକିସ୍ତାନ ୨୦୫ ରନ୍‌ର ବିଜୟ ଲକ୍ଷ୍ୟକୁ ୪ ଓଭର ପୂର୍ବରୁ କେବଳ ଗୋଟିଏ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।

Advertisment

ଏଥିସହ ନୱାଜ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ପାକିସ୍ତାନର ଦ୍ରୁତତମ ଶତକ ହାସଲକାରୀ ହୋଇଥିଲେ।‌ ୨୨ ବର୍ଷୀୟ ନୱାଜ ୪୪ ବଲ୍‌ରୁ ଶତକ କରି ପୂର୍ବତନ ପାକିସ୍ତାନ ଅଧିନାୟକ ବାବର ଆଜମ (୪୯ ବଲ୍‌)ଙ୍କୁ ଟପିଥିଲେ। ବାବର ୨୦୨୧ରେ ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ରେକର୍ଡ କରିଥିଲେ। ଶୁକ୍ରବାର ମହମ୍ମଦ ହାରିସ ୪୧ (୨୦ ବଲ୍‌, ୪ ଚୌକା, ୩ ଛକା)ଙ୍କ ସହ ନୱାଜ ପ୍ରଥମ ୱିକେଟ୍‌ରେ ୫.୫ ଓଭରରେ ୭୪ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏହାପରେ ଅଧିନାୟକ ସଲମାନ ଅଘା (୫୧*, ୩୧ ବଲ୍‌, ୬ ଚୌକା, ୨ ଛକା)ଙ୍କ ସହ ଅବିଭାଜିତ ୧୩୩ ରନ୍‌ ଯୋଡ଼ି ଦଳକୁ ସହଜ ବିଜୟ ଦେଇଥିଲେ। 

ପୂର୍ବରୁ ନ୍ୟୁଜିଲାଣ୍ଡ ମାର୍କ ଚାପମାନଙ୍କ ୯୪ ରନ୍‌ (୪୪ ବଲ୍‌, ୧୧ ଚୌକା, ୪ ଛକା) ବଳରେ ୧୯.୫ ଓଭରରେ ୨୦୪ ରନ୍‌ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ମାଇକେଲ ବ୍ରେସୱେଲ ୩୧, ଟିମ୍‌ ସେଫର୍ଟ ୧୯, ଡାରିଲ ମିଚେଲ ୧୭ ଓ ଈଶ ସୋଢ଼ୀ ୧୦ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ହାରିସ ରୌଫ ୩ ଏବଂ ସାହିନ ଶାହ ଆଫ୍ରିଦି, ଅବ୍ରାର ଅହମଦ, ଆବାସ ଆଫ୍ରିଦି ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜୀବନର ପ୍ରଥମ ଟ୍ବେଣ୍ଟି-୨୦ ଶତକ ହାସଲ କରିଥିବା ନୱାଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।