୬ ବର୍ଷ ପୂର୍ତ୍ତିରେ ଏନ୍‌ବିଏକୁ ଭାରତ ସ୍ୱାଗତ କଲା ରିଲାଏନ୍ସ,, ଏନ୍‌ବିଏ ପଦାର୍ପଣରେ ଇଣ୍ଡିଆନ୍ ପେସର୍ସର ଐତିହାସିକ ବିଜୟ

ମୁମ୍ବାଇ/ଭୁବନେଶ୍ବର: ଚମତ୍କାର ଢଙ୍ଗରେ ଭାରତ ପଦାର୍ପଣ କରିଛି ଏନବିଏ। ମୁମ୍ବାଇ ସ୍ଥିତ ନ୍ୟାସନାଲ ସ୍ପୋଟର୍ସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ସିଆଇ) ଡୋମଠାରେ ୧୦ରୁ ୧୬ ବର୍ଷ ବୟସର ବାଳକ ବାଳିକାଙ୍କ ଗହଣରେ ଶୁକ୍ରବାର ଏନ୍‌ବିଏର ଐତିହାସିକ ମ୍ୟାଚ୍‌ ଆୟୋଜିତ ହୋଇଥିଲା। ଆମେରିକାର ହାଇପ୍ରୋଫାଇଲ ବାସ୍କେଟ୍‌ବଲ୍‌ ଲିଗ୍‌ ଏନ୍‌ବିଏ (ନ୍ୟାସନାଲ ବାସ୍କେଟ୍‌ବଲ୍‌ ଆସୋସିଏସନ)ର ଦୁଇ ଦଳ ଇଣ୍ଡିଆନ ପେସର୍ସ ଓ ସାକ୍ରାମେଣ୍ଟୋ କିଙ୍ଗ୍ସ ଏହି ଅବସରରେ ପରସ୍ପରକୁ ଭେଟିଥିଲେ। ଇଣ୍ଡିଆନ ପେସର୍ସ ୧୩୨-୧୩୧ରେ ଏହି ମ୍ୟାଚ୍‌ ଜିତି ଐତିହାସିକ ମୁହୂର୍ତକୁ ସାଉଣ୍ଟି ନେଇଥିଲା। ଏହି ପ୍ରି-ସିଜନ୍‌ ମ୍ୟାଚ୍‌ ନିୟମିତ ସମୟରେ ୧୧୮-୧୧୮ ପଏଣ୍ଟରେ ଟାଇ ରହିବାରୁ ଅତିରିକ୍ତ ୫ ମିନିଟ୍ ଖେଳ ହୋଇଥିଲା। ଶେଷକୁ ପେସର୍ସ ଦଳ ମାତ୍ର ୧ ପଏଣ୍ଟ୍‌ରେ ବାଜି ମାରି ନେଇ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରି ଦେଇଥିଲା। ୧୦ରୁ ୧୬ ବର୍ଷର ବାଳକ ଓ ବାଳିକାମାନେ ଷ୍ଟାଡିୟମରେ ଉପସ୍ଥିତ ରହି ନିଜ ପସନ୍ଦର ଦଳକୁ ଉତ୍ସାହିତ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ ଜୁନିୟର ଏନ୍‌ବିଏ ପ୍ରୋଗ୍ରାମ୍‌ ତରଫରୁ ଏହି ପିଲାମାନେ ପ୍ରତିନିଧିତ୍ୱ କରିଥିଲେ। ଭାରତରେ ଏନ୍‌ବିଏ ଓ ରିଲାଏନ୍ସ ଫାଉଣ୍ଡେସନ ସହଭାଗିତାର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ ଏହି ଐତିହାସିକ ମ୍ୟାଚ୍‌ ଆୟୋଜନ ହେବା ଏବଂ ପିଲାମାନେ ଏହାକୁ ଅତି ନିକଟରୁ ଦେଖିବାର ସୁଯୋଗ ଲାଭ କରିବା ନିଶ୍ଚିତ ଭାବେ ଏକ ବଡ ଉପଲବ୍ଧି । ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷ୍ୟା ନୀତା ଅମ୍ବାନୀଙ୍କ ସ୍ୱତନ୍ତ୍ର ଆମନ୍ତ୍ରଣରେ ଏହି ପିଲାମାନେ ଏନବିଏ ଗେମକୁ ବେଶ ଉପଭୋଗ କରିଥିଲେ । ବିଗତ କିଛି ବର୍ଷ ହେବ ରିଲାଏନ୍ସ ଫାଉଣ୍ଡେସନ ଜୁନିୟର ଏନ୍‌ବିଏ ୧୧ ନିୟୁତ ପିଲାଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହିଆସିଛି। ଦେଶର ୨୦ ରାଜ୍ୟର ୩୪ଟି ସହରରୁ ୧୦,୦୦୦ କୋଚ୍‌ଙ୍କୁ ପ୍ରଶିକ୍ଷଣ ଦେଇଛି। ଭାରତ ବାସ୍ତବରେ ଏକ ବହୁମୁଖୀ କ୍ରୀଡ଼ା ରାଷ୍ଟ୍ରରେ ପରିଣତ ହେଉ ଓ ଏହା ମୋର ସ୍ବପ୍ନ ବୋଲି ଏହି ଅବସରରେ ଶ୍ରୀମତି ଅମ୍ବାନୀ କହିଥିଲେ। ଆମର ଜୁନିଅର ଏନବିଏ କାର୍ଯ୍ୟକ୍ରମର ଅଂଶ ଥିବା ଏହି ଆଗମୀ ଦିନର ବାସ୍କେଟବଲ ଖେଳାଳି ମାନଙ୍କ ପାଇଁ ଭାରତରେ ପ୍ରଥମ ଥର ପାଇଁ ଏନବିଏ ଗେମ ଆୟୋଜିତ କରି ରିଲାଏନ୍ସ ଫାଉଣ୍ଡେସନ ବେଶ ଉତ୍ସାହିତ। କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଛୋଟ ପିଲାମାନେ ବିକଶିତ ହୁଅନ୍ତୁ, ଏହି ଲକ୍ଷ୍ୟ ନେଇ ମୁଁ ଆଶା କରୁଛି ଏନେଇ ଭାରତ ସାରା ବିଶ୍ୱ ଦରବାରରେ ପରିଚିତ ହେବା ସହ ସ୍ବତନ୍ତ୍ର ସ୍ଥାନ ହାସଲ କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଏନ୍‌ବିଏ କମିଶନର ଅଡାମ ସିଲଭର ଉପସ୍ଥିତ ରହି ଭାରତରେ ବାସ୍କେଟବଲ ଖେଳକୁ ପ୍ରୋତ୍ସାହନ ଦିଗରେ ରିଲାଏନ୍ସ ଫାଉଣ୍ଡେସନର ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ ଭାରତରେ ଏନବିଏ ଗେମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସାଙ୍କେତିକ ଭାବରେ ନୀତା ଅମ୍ବାନୀଙ୍କୁ ପ୍ରଥମ ‘ମ୍ୟାଚ ବଲ୍‌’ ପ୍ରଦାନ କରିଥିଲେ। ଏହାପରେ ଶ୍ରୀମତୀ ଅମ୍ବାନୀ ଓ ଅଡାମ ସିଲଭର ଏବଂ ଇଣ୍ଡିଆନା ପେସର୍ସର ମାଇଲସ ଟରନେର ଓ ସାକ୍ରାମେଣ୍ଟୋ କିଙ୍ଗ୍ସର ଡିଏରୋନ ଫକ୍ସ ମିଳିତ ଭାବେ ମ୍ୟାଚ୍‌ ବଲ୍‌କୁ ଏନ୍‌ବିଏ ଅଧିକାରୀଙ୍କୁ ପ୍ରଦାନ କରି ଖେଳର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର