ଭାରତ-ଅଷ୍ଟ୍ରେଲିଆ ସୂଚୀକୁ କୋଭିଡ୍‌ କଟକଣା ପ୍ରଭାବିତ କରିପାରେ

ମୁମ୍ବାଇ: ନଭେମ୍ବର ଶେଷ ସପ୍ତାହରୁ ଆପାତତଃ ଭାରତ ଓ ଅଷ୍ଟ୍ରେଲିଆ ଶୃଙ୍ଖଳା ଆରମ୍ଭ ହେବାର ଆଶା ରହିଥିଲେ ମଧ୍ୟ କୋଭିଡ୍‌ କଟକଣା ସୂଚୀକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ଉପୁଜିଲାଣି। ବିଶେଷକରି ଅଷ୍ଟ୍ରେଲିଆର ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସଂଗରୋଧ ନିୟମ ହିଁ ସୂଚୀ ପ୍ରଭାବିତ ହେବାର କାରଣ ପାଲଟିବ ବୋଲି କୁହାଯାଉଛି। ଆଜିଠୁ ଗଣନା ଆରମ୍ଭ କଲେ ଭାରତୀୟ ଦଳ ଆଇପିଏଲ୍‌ ସାରି ୟୁଏଇରୁ ସିଧା ବିମାନ ଧରି ଅଷ୍ଟ୍ରେଲିଆରେ ପହଞ୍ଚିବାକୁ ଆଉ ଗୋଟିଏ ମାସରୁ କମ୍‌ ସମୟ ରହିଛି। ତିନିଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ଆନ୍ତର୍ଜାତିକ ଏବଂ ୪ ଟେଷ୍ଟ୍‌ ବିଶିଷ୍ଟ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଭାରତ ଖେଳିବ। ଏନେଇ ସୂଚୀ ସ୍ପଷ୍ଟ ହୋଇନଥିଲା ବେଳେ ବିସିସିଆଇ କିନ୍ତୁ ଅଷ୍ଟ୍ରେଲିଆର ଭିନ୍ନ ଭିନ୍ନ କୋଭିଡ୍‌ ନିୟମକୁ ନେଇ ଚିନ୍ତା ପ୍ରକଟ କରିଛି। ପୁଣି ଅଷ୍ଟ୍ରେଲିଆରେ ସଂଗରୋଧ ଅବଧି ହ୍ରାସ କରିବାର ବିସିସିଆଇ ଅନୁରୋଧ ମଧ୍ୟ ନାକଚ ହୋଇଯାଇଛି। ସେହିଦୃଷ୍ଟିରୁ ଦୁଇଟି ଚାର୍ଟର୍ଡ ବିମାନ ବୁକିଂ କରିବାଠାରୁ ରହଣୀ ସୁବିଧା, ଦଳ ଚୟନ, ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଏକାଠି ଆଣିବା, ଅଷ୍ଟ୍ରେଲିଆରେ ଭାରତୀୟ ଦଳ ପରିଚା‌ଳକଙ୍କ ସହ କର୍ମଶାଳା ଆୟୋଜନ, ଆବଶ୍ୟକତାଠୁ ଯଥେଷ୍ଟ ବଡ଼ ପ୍ରତିନିଧିବଣ୍ଡଳୀ ନେଇ ଯାତ୍ରା କରିହେବ ନା ନାହିଁ, ଏଭଳି ଅନେକ ଆଲୋଚ୍ୟ ପ୍ରସଙ୍ଗ ଭାରତୀୟ କ୍ରିକେଟ୍‌ ବୋର୍ଡ ଆଗରେ ଉଭା ହୋଇଛି। ତଥାପି କ୍ରିକେଟ୍‌ ଅଷ୍ଟ୍ରେଲିଆଠାରୁ ପ୍ରଥମେ ଏନେଇ କିଛି ନଶୁଣିବା ପର୍ଯ୍ୟନ୍ତ ସିଦ୍ଧାନ୍ତରେ ପହଞ୍ଚିପାରିବନି ବୋଲି ବିସିସିଆଇ କହିଛି।

ସମ୍ବନ୍ଧିତ ଖବର