କାନପୁର : କାନପୁରରେ ରୋମାଞ୍ଚକର ବିଜୟ ସହ ଭାରତୀୟ କ୍ରିକେଟ୍ ଦଳ ଆଉ ଏକ ଦିନିକିଆ ଶୃଙ୍ଖଳା ନିଜ ନାଁରେ କରି ନେଇଛି। ୧-୧ରେ ସମାନ ସ୍ଥିତିରେ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତିନିଟିକିଆ ମ୍ୟାଚ୍ ଶୃଙ୍ଖଳାର ଶେଷ ମୁକାବିଲାରେ ହୋଇଥିଲା କାଣ୍ଟେ କୀ ଟକ୍କର। କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ୪୫ ହଜାର ଦର୍ଶକ ଓ ଟେଲିଭିଜନ ପରଦାରେ ଏହି ମ୍ୟାଚର ସିଧା ପ୍ରସାରଣ ଦେଖୁଥିବା ବିଶ୍ୱର କୋଟି କୋଟି ଦର୍ଶକଙ୍କ ହୃଦ୍ସ୍ପନ୍ଦନ ଯେମିତି ଅଟକି ଯାଉଥିଲା। ଶେଷ ଓଭରର ପଞ୍ଚମ ବଲ୍ ଖେଳା ହେବା ପର୍ଯ୍ୟନ୍ତ କହି ହେଉନଥିଲା କିଏ ଜିତିବ, କିଏ ହାରିବ। ତେବେ ଶେଷରେ ନାଟକୀୟ ବିଜୟ ଦେଇଥିଲେ ଯସପ୍ରୀତ ବୁମ୍ରା। ଶେଷ ତିନିଟି ବଲ୍ରେ ୧୨ ରନ୍ ଦରକାର କରୁଥିବା ନ୍ୟୁଜିଲାଣ୍ଡ ଦଳର ଗୋଟିଏ ଓ୍ଵିକେଟ୍ ପକାଇଦେବାରେ ସଫଳ ହୋଇଥିଲେ ସେ। ଏହାପରେ ଶେଷ ଦୁଇଟି ବଲ୍ରେ ମାତ୍ର ୫ ରନ୍ କରିପାରିଥିଲା ନ୍ୟୁଜିଲାଣ୍ଡ। ୬ ରନ୍ରେ ଶେଷ ଦିନିକିଆ ଜିତିବା ସହ ‘ବିରାଟ ବାହିନୀ’ ୨-୧ରେ ଶୃଙ୍ଖଳା ବିଜୟ ହାସଲ କରିଥିଲା। ଏହି ବିଜୟ ସହ ଲଗାତାର ୭ଟି ଦିନିକିଆ ଶୃଙ୍ଖଳା ଜିତିବାର ଅନନ୍ୟ ସଫଳତା ଲାଭ କରିଛି ଭାରତୀୟ ଦଳ।
ଆଜିର ନିର୍ଣ୍ଣାୟକ ମୁକାବିଲାରେ ୩୩୮ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଦେବା ପରେ ବି ଏକଦା ଆଶା ଓ ଆଶଙ୍କାରେ ଥିଲା ଭାରତୀୟ ଦଳ। ବେଶ୍ ସହଜ ଭାବେ ଦ୍ରୁତ ଗତିରେ ରନ୍ ସଂଗ୍ରହ ସହ ବିଜୟ ଲକ୍ଷ୍ୟ ଆଡ଼କୁ ମାଡ଼ି ଚାଲିଥିଲା ନ୍ୟୁଜିଲାଣ୍ଡ। ବ୍ୟାଟିଂକୁ ସୁହାଉଥିବା ପିଚ୍ରେ ଭୁବନେଶ୍ୱର କୁମାର ମହଙ୍ଗା ସାବ୍ୟସ୍ତ ହେବା ପରେ ବୁମରା ହିଁ ସାଜିଥିଲେ ତ୍ରାଣକର୍ତ୍ତା। ଶେଷ ଓଭରରୁ ବିଜୟ ପାଇଁ ୧୫ ରନ୍ର ଦରକାର ଥିଲା ବେଳେ ନ୍ୟୁଜିଲାଣ୍ଡ ତାଙ୍କ ଶାଣିତ ବୋଲିଂ ପାଇଁ ମାତ୍ର ୮ ରନ୍ କରି ପାରିଥିଲା। ପୂର୍ବରୁ ରୋହିତ ଶର୍ମା (୧୪୭) ଏବଂ ଅଧିନାୟକ କୋହଲି (୧୧୩) ଯୁଗଳ ଶତକ ହାସଲ କରି ଭାରତର ସ୍କୋରକୁ ୩୩୭/୬ରେ ପହଞ୍ଚାଇ ଦେଇଥିଲେ। ବ୍ୟକ୍ତିଗତ ଭାବେ କୋହଲି ଦିନିକିଆରେ ୯,୦୦୦ ରନ୍ ପୂରଣ କରିବାରେ ବିଶ୍ୱର ଦ୍ରୁତତମ ଖେଳାଳି ହୋଇଥିଲେ। ଦଳଗତ ଭାବେ ନ୍ୟୁଜିଲାଣ୍ଡକୁ ଭାରତ ଲଗାତାର ଦ୍ୱିତୀୟ ଶୃଙ୍ଖଳାରେ ହରାଇଛି। ରବିବାରର କୀର୍ତ୍ତିିମାନଭରା ଶୃଙ୍ଖଳା ବିଜୟ ପୂର୍ବରୁ ଭାରତ ଜିମ୍ବାେଓ୍ଵ (୩-୦), ନ୍ୟୁଜିଲାଣ୍ଡ (୩-୨) ଇଂଲଣ୍ଡ (୨-୧), ଓ୍ଵଷ୍ଟଇଣ୍ଡିଜ୍ (୩-୧) ଶ୍ରୀଲଙ୍କା (୫-୦) ଓ ଅଷ୍ଟ୍ରେଲିଆ (୪-୧)କୁ ହରାଇ ସାରିଛି।