ଆଜିଠାରୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା: ଇଂଲଣ୍ଡରେ ମାତ୍ର ୩ ଥର ଶୃଙ୍ଖଳା ଜିତିଛି ଭାରତ

ଭାରତ ୩-୦ କିମ୍ବା ୪-୧ରେ ଜିତିବ: ଗାଭାସ୍କର

ନଟିଂହାମ୍‌: ଭାରତୀୟ କ୍ରୀଡ଼ାପ୍ରେମୀମାନଙ୍କ ସମ୍ପୂର୍ଣ୍ଣ ନଜର ଏବେ ଟୋକିଓ ଅଲିମ୍ପିକ୍ସ ଉପରେ ରହିଛି। କିନ୍ତୁ ବୁଧବାରଠାରୁ ଏହା ମଧ୍ୟରୁ କ୍ରିକେଟପ୍ରେମୀମାନେ ନିଶ୍ଚିତ ଭାରତ-ଇଂଲଣ୍ଡ୍‌ ଶୃଙ୍ଖଳା ଆଡକୁ ମନ ବଳାଇବେ। ଭାରତୀୟ କ୍ରିକେଟ୍ ପାଇଁ ବେଶ ଗୁରୁତ୍ବବହନ କରୁଥିବା ଏହି ଶୃଙ୍ଖଳା ନିଶ୍ଚିତ ଭାବେ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବର ଅଗ୍ନିପରୀକ୍ଷା ଦେବ। ଦୀର୍ଘ ଦେଢ଼ ଦଶନ୍ଧି ଧରି ଇଂଲଣ୍ଡ ମାଟିରେ ଭାରତ ଶୃଙ୍ଖଳା ଜିତି ନାହିଁ ଏବଂ ବିରାଟ କୋହଲି ମଧ୍ୟ ବ୍ୟକ୍ତିଗତ ଭାବେ ଇଂଲଣ୍ଡରେ ସଫଳ ହୋଇପାରିନାହାନ୍ତି। ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ର ଉପ ବିଜେତା ବିରାଟ କୋହଲିଙ୍କ ଦଳ ନୂଆ ଚକ୍ରର ଶୁଭାରମ୍ଭ କିଭଳି କରୁଛି ଆସନ୍ତା ୫ ଦିନ ସ୍ପଷ୍ଟ କରିବ। ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ର ଯଥେଷ୍ଟ ପୂର୍ବରୁ ପାଗ ଓ ପରିବେଶକୁ ବିଚାରକୁ ନନେଇ ଚୂଡାନ୍ତ ଏକାଦଶ ଘୋଷଣା କରିଥିବା ବିରାଟ କୋହଲି ବୁମେରାଂର ଶିକାର ହୋଇଥିଲେ। ଏବେ ସେଭଳି କରିବା ସମ୍ଭାବନା କମ୍‌। ଏକ ସନ୍ତୁଳିତ ଦଳ ଗଠନ କରିବା ପୂର୍ବରୂ ସେ ନିଶ୍ଚିତ ଏକାଧିକ ଥର ଚିନ୍ତା କରିବେ।

ଭାରତ ପକ୍ଷରୁ ଏବେ ପାଳି ଆରମ୍ଭ କରିବା ପାଇଁ ସୀମିତ ୨ ଜଣ ବିକଳ୍ପ ରହିଯାଇଛନ୍ତି। ରୋହିତ ଶର୍ମା ଏବଂ କେଏଲ୍ ରାହୁଲ। ରୋହିତ ଇଂଲଣ୍ଡରେ ଅଣପରୀକ୍ଷିତ କିନ୍ତୁ ଅତ୍ୟନ୍ତ ଦକ୍ଷ, କେଏଲ୍ ରାହୁଲ କିନ୍ତୁ ଅତ୍ୟନ୍ତ ପ୍ରତିଭାସମ୍ପନ୍ନ କିନ୍ତୁ ପାଳି ଆରମ୍ଭ କରିବାକୁ ସବୁବେଳେ କୁଣ୍ଠିତ। ତେବେ ୨୦୦୦ରୁ ଊର୍ଧ୍ବ ଟେଷ୍ଟ୍ ରନ୍ ସଂଗ୍ରହ କରି ସାରିଥିବାରୁ ରାହୁଲ ନିଜ ଅଭିଜ୍ଞତାକୁ ଉପଯୋଗ କରି ସଫଳ ହେବେ ବୋଲି ଆଶା କରାଯାଉଛି। ଭାରତ ପାଇଁ ମଧ୍ୟ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ୱାର୍ମଅପ୍‌ ମ୍ୟାଚ୍‌ରେ ସେ ଶତକ ଜମାଇଥିଲେ। ସବୁ ସମସ୍ୟାର ସମାଧାନ କରିବା ଭଳି ଖେଳାଳି ହନୁମା ବିହାରୀ ମଧ୍ୟ ଉପଲବ୍ଧ ରହିଛନ୍ତି, ଯିଏକି ଥରେ ଅଷ୍ଟ୍ରେଲିଆରେ ନୂଆ ବଲ୍‌ ଖେଳିଥିଲେ। ବିହାରୀଙ୍କ ସାମୟିକ ଅଫ୍‌ସ୍ପିନ୍‌ ମଧ୍ୟ ତାଙ୍କୁ ଅଶ୍ବିନୀଙ୍କ ସାଥୀ କରିପାରିଲେ ଶାର୍ଦୁଲ ଠାକୁରଙ୍କ ପାଇଁ ବାଟ ଫିଟାଇବ ବୋଲି ବିଶ୍ବାସ କରାଯାଉଛି। ତେବେ ଅଭିଜ୍ଞ ରବୀନ୍ଦ୍ର ଜାଦେଜାଙ୍କ ବଦଳରେ ଠାକୁରଙ୍କୁ ଖେଳାଇବା ଏକ ସାହସିକ ନିଷ୍ପତ୍ତି ହେବ। ଦ୍ରୁତ ବୋଲିଂରେ ଈଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ନିଶ୍ଚିତ ରହିଛନ୍ତି। ୨୦୧୯ରେ ପିଠି ସମସ୍ୟା ପରଠାରୁ ବୁମ୍‌ରା ସେଭଳି ପ୍ରଭାବୀ ରହିନାହାନ୍ତି, କିନ୍ତୁ ଗତ ଶୃଙ୍ଖଳା ସଫଳତା ଭିତରେ ସେ ଆରମ୍ଭରୁ ସ‌ୁଯୋଗ ପାଇବା ନିଶ୍ଚିତ ଲାଗୁଛି। ମହମ୍ମଦ ସିରାଜଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ବିଗତ ୩ ଇଂଲଣ୍ଡ ଗସ୍ତରେ ଭାରତ ୧୪ ଟେଷ୍ଟରୁ ୧୧ ହାରିବା ଏବଂ ବିରାଟ କୋହଲିଙ୍କ ବ୍ୟାଟିଂ ବିଫଳତା ଏଥର ପଛରେ ପଡ଼ିବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି।

ଇଂଲଣ୍ଡ ପାଇଁ ଜୋ ରୁଟ ନିଶ୍ଚିତ ଭାରତ ଗସ୍ତ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟ ରଖିଥିବେ। ତେବେ ବୟସ ଦୃଷ୍ଟିକୋଣରୁ ଷ୍ଟୁଆର୍ଟ ବ୍ରଡ୍‌ ଏବଂ ଜେମ୍ସ ଆଣ୍ଡରସନଙ୍କ ନେଇ ଲାଗି ରହିଥିବା ରୋଟେସନ୍‌ ପଦ୍ଧତି ଜାରି ରଖିବ ଦଳ। ମାନସିକ ସ୍ବାସ୍ଥ୍ୟ କାରଣରୁ ଓହରିଯାଇଥିବା ବେନ୍ ‌‌ଷ୍ଟୋକ୍ସଙ୍କ ଅନୁପସ୍ଥିତି ନିଶ୍ଚିତ ଘରୋଇ ଦଳ ପାଇଁ ଅସୁବିଧା ସୃଷ୍ଟି କରିବ। ରୋରି ବର୍ଣ୍ଣସ, ଡମ୍ ଶିବଲେ, ଡାନ୍ ଲରେନ୍ସ, ଜ୍ୟାକ୍ କ୍ରଲି ଏବଂ ଓଲି ପୋପ୍‌ ପ୍ରମୁଖ ବିଶେଷ ଅଭିଜ୍ଞତା ରଖିନଥିବାରୁ ସେମାନେ କିଭଳି ଅଶ୍ବିନଙ୍କ ରହସ୍ୟ ଓ ସାମିଙ୍କ ପ୍ରଭାବକୁ ପ୍ରତିହତ କରିବେ ଦେଖିବାର ଅଛି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ୍ (ୱିକେଟରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌, ଯଶ୍ରପୀତ୍ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର, ଉମେଶ ଯାଦବ, କେଏଲ୍ ରାହୁଲ, ଋଦ୍ଧିମାନ ସାହା (ୱିକେଟରକ୍ଷକ), ଅଭିମନ୍ୟୁ ଈଶ୍ବରନ, ପୃଥ୍ବୀ ସ’, ସୂର୍ଯ୍ୟକୁମାର ଯାଦବ।

ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ଜେମ୍ସ ଆଣ୍ଡର୍‌ସନ, ଜନି ବେୟାର‌ଷ୍ଟୋ, ଡମ୍ ବେସ୍‌, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ଣ୍ଣସ, ଜୋସ୍ ବଟ୍ଟଲର୍‌, ଜ୍ୟାକ୍ କ୍ରଲି, ସାମ୍ କରନ୍‌, ହସିବ୍ ହମିଦ୍‌, ଡାନ୍ ଲରେନ୍ସ, ଜ୍ୟାକ୍ ଲିଚ୍, ଓଲି‌‌ ପୋପ୍, ଓଲି ରବିନସନ୍‌, ଡନ୍ ଶିବଲେ, ମାର୍କ ଉଡ୍‌।

ଇଂଲଣ୍ଡରେ ମାତ୍ର ୩ ଥର ଶୃଙ୍ଖଳା ଜିତିଛି ଭାରତ

ଲଣ୍ଡନ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ୍ ଶୃଙ୍ଖଳାର ଇତିହାସ ସବୁଠୁ ପୁରୁଣା, ପ୍ରାୟ ୯ ଦଶନ୍ଧୀର। ୧୯୩୨ ମସିହାରେ ଭାରତୀୟ ଦଳ ପ୍ରଥମେ ଇଂଲଣ୍ଡ ଗସ୍ତ କରି ଏକମାତ୍ର ଟେଷ୍ଟକୁ ହାରିବା ପରେ ମୋଟ ୩୪ ଥର ଦ୍ବିପାକ୍ଷିକ ଟେଷ୍ଟ୍ ଶୃଙ୍ଖଳା ଖେଳିଛନ୍ତି ଏହି ଦୁଇ ଦଳ। ଏହା ମଧ୍ୟରୁ ଇଂଲଣ୍ଡ ୧୯, ଭାରତ ୧୧ ଶୃଙ୍ଖଳା ଜିତିଥିବା ବେଳେ ୪ଟି ‌ଶୃଙ୍ଖଳା‌ ଅମୀମାଂସିତ ରହିଥିଲା। ଭାରତ ମାଟିରେ ଇଂଲଣ୍ଡ କିନ୍ତୁ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଛି। ୧୬ ଶୃଙ୍ଖଳାରୁ ୫ ଜିତିଥିବା ବେଳେ ଭାରତ ୮ ଜିତିଛି। ୩ ଶୃଙ୍ଖଳା ଅମୀମାଂସିତ ରହିଛି। ସେହି ତୁଳନାରେ ଭାରତ ନିଜର ଇଂଲଣ୍ଡ ଗସ୍ତରେ ସଫଳ ହୋଇପାରିନାହିଁ। ଇଂଲଣ୍ଡ ମାଟିରେ ଭାରତ ୧୮ ଟେଷ୍ଟ୍‌ ଶୃଙ୍ଖଳା ଖେଳି ମାତ୍ର ୩ ଜିତି ୧୪ ହାରିଛି। ଗୋଟିଏ ଅମୀମାଂସିତ ରହିଛି। ମୋଟ ଉପରେ ଇଂଲଣ୍ଡ ମାଟିରେ ଭାରତ ମାତ୍ର ୫ଟି ଟେଷ୍ଟ୍ ଜିତିଛି ୮୯ ବର୍ଷର ଇତିହାସରେ। ଦୁଇ ଦେଶ ଏହି ୮୯ ବର୍ଷ ଭିତରେ ୧୨୬ ଟେଷ୍ଟ୍ ଖେଳିଥିବା ବେଳେ ଭାରତ ମାତ୍ର ୨୯ଟି ଜିତି ୪୮ ହାରିଛି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ୨୦୦୭ରେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବାଧୀନ ଦଳ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଜିତିବା ପରଠାରୁ ଦେଢ଼ ଦଶନ୍ଧୀ ହେବ ବିଜୟ ପାଇନାହିଁ। ଶେଷ ତିନି ଇଂଲଣ୍ଡ ଗସ୍ତରେ ଭାରତ ଯଥାକ୍ରମେ ୦-୪ (୨୦୧୧), ୧-୩ (୨୦୧୪) ଏବଂ ୧-୪ (୨୦୧୮)ରେ ହାରିଥିଲା। ସେହି ଦୃଷ୍ଟିରୁ ବୁଧବାରଠାରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ବିରାଟ କୋହଲିଙ୍କ ବାହିନୀ ପାଇଁ ଅନେକ ଆହ୍ବାନ ନେଇ ଆସିଛି।

ଭାରତ ୩-୦ କିମ୍ବା ୪-୧ରେ ଜିତିବ: ଗାଭାସ୍କର

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତର ପ୍ରଦର୍ଶନ ଏବଂ ଖେଳାଳି ଚୟନକୁ ନେଇ କିଂବଦନ୍ତି ବ୍ୟାଟ୍ସମ୍ୟାନ୍‌ ସୁନିଲ ଗାଭାସ୍କର ଆତ୍ମବିଶ୍ବାସ ଭରା ମନ୍ତବ୍ୟ ଦେଇଛନ୍ତି। ଭାରତ ଏହି ଶୃଙ୍ଖଳାକୁ ୩-୦ କିମ୍ବା ୪-୧ରେ ଜିତିବ ବୋଲି ସେ ପୂର୍ବାନୁମାନ ଲଗାଇଛନ୍ତି। ତେବେ ସବୁକିଛି ପାଣିପାଗ ଉପରେ ନିର୍ଭର କରିବ ବୋଲି ସେ ସର୍ତ୍ତ ରଖିଛନ୍ତି। ବେନ୍ ‌ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ବିନା ଇଂଲଣ୍ଡ ଖେଳିବାକୁ ଯାଉଥିବାରୁ ଏଭଳି ଆଶା ରହିଛି ବୋଲି ସେ କହିଛନ୍ତି। ଇଂଲଣ୍ଡରେ ଯଦି ଟେଷ୍ଟ୍ ମ୍ୟାଚ୍‌ ଅବଧିର ୨୫ ଦିନ ମଧ୍ୟରୁ ୨୨ ଦିନ ଗରମ ରହିବ ତେବେ ଭାରତ ନିଶ୍ଚିତ ୪-୦ରେ ଜିତିବ। ଇଂଲଣ୍ଡ ଏବେ ଏକ ବ୍ୟଥିତ ଦଳ। ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳାରେ ଏହା ପଦାରେ ପଡ଼ିଥିଲା। ବ୍ୟକ୍ତିଗତ ଲଢ଼େଇ ନିଶ୍ଚିତ ବିରାଟ କୋହଲି ଏବଂ ଜେମ୍ସ ଆଣ୍ଡରସନ୍‌ଙ୍କ ମଧ୍ୟରେ ହେବ। କୋହଲି ନିଶ୍ଚିତ ଏଥର ବିଜୟୀ‌ ହେବେ ବୋଲି ସେ କହିଛନ୍ତି। ୨୦୧୮ରେ ବିରାଟ କୋହଲି ଭଲ କରିବା ଭଳି ଏଥର ଦୋହରାଇବେ।
ଚାପରେ ଥିବା ଚେତେଶ୍ବର ପୂଜାରାଙ୍କ ଫର୍ମକୁ ନେଇ ଗାଭାସ୍କର କହିଥ‌ିଲେ ତାଙ୍କ ନିକଟରେ ଦକ୍ଷତା ଅଛି। କିନ୍ତୁ ପୂଜାରାଙ୍କ ବ୍ୟାଟିଂ ପଦ୍ଧତି ଯଦି ଠିକ୍ ରହୁନି ବୋଲି ଦଳୀୟ ମ୍ୟାନେଜମେଣ୍ଟ୍‌ ଅନୁଭବ କରୁଛି ତେବେ ଅନ୍ୟ ଜଣଙ୍କୁ ଖୋଜି ବାହାର କରିପାରନ୍ତି। ପଥର ଭଳି ନିଜ ଦୃଢ଼ ରକ୍ଷଣାତ୍ମକ ଶୈଳୀ ଏବଂ ଟେକ୍ଟବୁକ୍‌ ବ୍ୟାଟିଂ ଟେକନିକ୍‌ ପାଇଁ ପରିଚିତ ପୂଜାରାଙ୍କ ସାମ୍ପ୍ରତିକ ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ରହିଛି। ଗତ ଟେଷ୍ଟ୍ ଚାମ୍ପିଅନସିପ୍‌ ଚକ୍ରର ୨ ବର୍ଷ ଭିତରେ ଗୋଟିଏ ବି ଶତକ ମାରିନପାରିବା ସହ ୩୦ରୁ କମ୍‌ ହାରରେ ବ୍ୟାଟିଂ କରିଛନ୍ତି। ମାତ୍ରାଧିକ ମନ୍ଥର ଖେଳୁଥିବାରୁ ସବୁବେଳେ ସମାଲୋଚିତ ହୋଇ ଆସୁଛନ୍ତି।

ସମ୍ବନ୍ଧିତ ଖବର