କେପ୍ ଟାଉନ୍: ମଙ୍ଗଳବାରଠାରୁ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ୍ ଉପରେ ଏବେ ସଭିଙ୍କ ନଜର। ଦକ୍ଷିଣ ଆଫ୍ରିକା ମାଟିରେ ଭାରତ କେବେ ଟେଷ୍ଟ୍ ଶୃଙ୍ଖଳା ଜିତିନଥିବାରୁ ଏଠାରେ ସୁବର୍ଣ୍ଣ ସୁଯୋଗ ପାଇବ। ଜୋହାନ୍ସବର୍ଗରେ ପରାଜୟ ପରେ ଭାରତୀୟ ଦଳ ଅଧିକ ଗମ୍ଭୀର ଭାବେ ଏହି ଟେଷ୍ଟ୍କୁ ଖେଳିବ ବୋଲି ମଧ୍ୟ ବିଶ୍ବାସ ଆସିଛି। ସବୁଠାରୁ ବଡ଼ କଥା ହେଲା ପ୍ରଥମ ଦୁଇ ଟେଷ୍ଟ୍ର ଫଳାଫଳ ଦୁଇ ଦଳର ଅତୀତ ଫଳାଫଳକୁ ବଦଳାଇ ଦେଇଥିବାରୁ ଭାରତୀୟ ଦଳ କେପ୍ ଟାଉନ୍ରେ ସେଭଳି ଆଶା ରଖିବ। ସେଞ୍ଚୁରିଅନ୍ର ସୁପର ସ୍ପୋର୍ଟ ପାର୍କରେ ଭାରତ କେବେ ଜିତିନଥିଲା, କିନ୍ତୁ ଏଥର ଏଠାରେ ବକ୍ସିଂ ଡେ’ରୁ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ ଜିତି ନୂଆ ଫର୍ଦ ଯୋଡ଼ିଥିଲା। ସେହିଭଳି ଜୋହାନ୍ସବର୍ଗର ୱଣ୍ଡରର୍ସରେ ଭାରତ କେବେ ହାରିନଥିଲା, କିନ୍ତୁ ୪ ଦିନ ଭିତରେ କେଏଲ୍ ରାହୁଲଙ୍କ ଦଳ ହାରିଯିବାରୁ ଏବେ ଶୃଙ୍ଖଳା ୧-୧ ସ୍ଥିତିରେ ରହିଛି। କେପ୍ ଟାଉନ୍ ଅତୀତ କହୁଛି ଭାରତ ଏଠାରେ କେବେ ଜିତି ନାହିଁ।
ପ୍ରାକୃତିକ ଶୋଭାରାଜି ଭିତରେ ଥିବା କେପ୍ ଟାଉନ୍ର ନ୍ୟୁଲାଣ୍ଡ୍ସରେ ଭାରତ ଜିତି ଅଭେଦ୍ୟ ଦୁର୍ଗ ଦଖଲ କରିବା ଆଶାରେ ରହିଛି। ପିଠି ସମସ୍ୟା କାରଣରୁ ଜୋହାନ୍ସବର୍ଗରେ ଖେଳିପାରିନଥିବା ବିରାଟ କୋହଲି ଚୂଡାନ୍ତ ଦଳକୁ ପ୍ରତ୍ୟାବର୍ତନ କରିବେ ବୋଲି ସୂଚନା ଦିଆଯାଇଛି। ଫଳରେ ହନୁମା ବିହାରୀଙ୍କୁ ପୁଣି ବାହାରେ ବସିବାକୁ ପଡ଼ିପାରେ। ଖରାପ ଫର୍ମ ଏବଂ ଆହତ ସମସ୍ୟା କାରଣରୁ ମହମ୍ମଦ ସିରାଜ ମଧ୍ୟ ଏଠାରେ ଖେଳିବେ ନାହିଁ। ତାଙ୍କ ବଦଳରେ ଭାରତ ଈଶାନ୍ତ ଶର୍ମା କିମ୍ବା ଉମେଶ ଯାଦବଙ୍କୁ ଖେଳାଇବା ଯୋଜନା କରିଛି। ଭାରତର ସଫଳତା କିନ୍ତୁ ଦଳର ବ୍ୟାଟିଂ ଉପରେ ନିର୍ଭର କରିବ। କେପ୍ ଟାଉନ୍ରେ ଦକ୍ଷିଣ ଆଫ୍ରିକା ବିଗତ ୧୩ ଟେଷ୍ଟରେ କୌଣସି ଉପ ମହାଦେଶୀୟ ଦଳଠାରୁ ହାରିନାହିଁ। ଭାରତ ଏଠାରେ ୫ ଟେଷ୍ଟ୍ ଖେଳି ୩ଟି ହାରିଥିବା ବେଳେ ଦୁଇଟି ଅମୀମାଂସିତ ରଖିବାରେ ସକ୍ଷମ ହୋଇଛି। ୧୯୯୭, ୨୦୦୭, ୨୦୧୮ରେ ଭାରତ ହାରିଥିବା ବେଳେ ୧୯୯୩ ଓ ୨୦୧୧ରେ ଅମୀମାଂସିତ ରଖିଥିଲା। ଭାରତ ୨୦୨୧ରେ ୪ଟି ଅଭେଦ୍ୟ ଦୁର୍ଗ (ଗାବା, ଲର୍ଡସ, ଓଭାଲ, ସେଞ୍ଚୁରିଅନ୍) ଦଖଲ କରିଥିଲା। ଏହି ଧାରାକୁ କେପ୍ ଟାଉନ୍ରେ ଦୋହରାଇପାରିଲେ କୋହଲିଙ୍କ ଦଳ ଅପୂର୍ବ ସଫଳତା ପାଇବ। କାଗିସୋ ରବାଦା ଏହି ପଡ଼ିଆରେ ୬ ମ୍ୟାଚ୍ରୁ ୩୫ ୱିକେଟ୍ ନେଇଛନ୍ତି, ଡିନ୍ ଏଲଗାର ୧୦ ମ୍ୟାଚ୍ରୁ ୭୦୮ ରନ୍ କରିଛନ୍ତି।
ଜୋହାନ୍ସବର୍ଗ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ପହଞ୍ଚିଯାଇଥିବାରୁ ମଙ୍ଗଳବାରଠାରୁ ଖେଳାଯିବାକୁ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ୍ ଉପରେ ସମସ୍ତଙ୍କ ନଜର। ଦକ୍ଷିଣ ଆଫ୍ରିକା ମାଟିରେ ଭାରତ କେବେ ଟେଷ୍ଟ୍ ଶୃଙ୍ଖଳା ଜିତି ନଥିବାରୁ ଏବେ କେପ୍ଟାଉନ୍ରେ ଜିତି ଇତିହାସ ରଚିବା ଆଶାରେ ରହିଛି। ଶନିବାର ଭାରତୀୟ ଦଳ କେପ୍ ଟାଉନ୍ରେ ପହଞ୍ଚିଥିବା ବେଳେ ରବିବାରଠାରୁ ଅଭ୍ୟାସ ଆରମ୍ଭ କରିଛି। ଏହି ଟେଷ୍ଟ୍ ପୂର୍ବରୁ ଭାରତୀୟ ବୋଲିଂ ବାହିନୀର ମୁଖ୍ୟ ଅସ୍ତ୍ର ଯଶପ୍ରୀତ୍ ବୁମରା କିନ୍ତୁ ଏକ ମନସ୍ତାତ୍ତ୍ବିକ ବାଣ ନିକ୍ଷେପ କରିଛନ୍ତି। ଦକ୍ଷିଣ ଆଫ୍ରିକା ବ୍ୟାଟର୍ଙ୍କୁ ପରୋକ୍ଷରେ ଚେତାବାନୀ ଦେଇ କହିଛନ୍ତି, ‘କେପ୍ଟାଉନ୍ରେ ଦେଖିଦେବୁ’। ବୁମରାଙ୍କ ଏହି କଥାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ବାସ୍ତବରେ ଜୋହାନ୍ସବର୍ଗର ୱଣ୍ଡରର୍ସରେ ଶେଷ ହୋଇଥିବା ଦ୍ବିତୀୟ ଟେଷ୍ଟ୍ର ଚତୁର୍ଥ ଦିନରେ ବୁମରା ଏଭଳି ଧମକ ଦେଇଥିଲେ। ତେମ୍ବା ବଭୂମାଙ୍କ ଏକ ସୁଇପ୍ ସଟ୍ ସର୍ଟ ଲେଗ୍ରେ ଥିବା ହନୁମା ବିହାରୀଙ୍କ ହାତରେ ବାଜିବାରୁ ସେ ଆହତ ହୋଇଥିଲେ। ବୁମରା ଏହି ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ହିନ୍ଦୀରେ କହିଥିଲେ ‘ଅଭିତୋ ବହୋତ ଉଛାଲ୍ ରହେ ହୈ, ଜିତନା ଉଛାଲ୍ନା ହୈ ଉଚ୍ଛାଲ୍ ଲୋ, ଏକ ଟେଷ୍ଟ୍ ମ୍ୟାଚ୍ ବାକି ହୈ ଅଭି, ବତାତା ହୁଁ କେପ୍ ଟାଉନ୍ ମେଁ ଇନ୍କୋ...ଜିସକୋ ସୁନନା ହୈ ସୁନ ଲୋ’ । (ଏବେ ସେମାନଙ୍କୁ ତାଙ୍କ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଦିଆଯାଉ, ଆଉ ଏକ ଟେଷ୍ଟ୍ ମ୍ୟାଚ୍ ବାକି ଅଛି, ମୁଁ ସେମାନଙ୍କୁ କେପ୍ ଟାଉନ୍ରେ ଦେଖାଇଦେବି...’। ବୁମରାଙ୍କ ଏହି କଥା କିନ୍ତୁ ଷ୍ଟମ୍ପ୍ ମାଇକ୍ରୋଫୋନ୍ ଜରିଆରେ ସଭିଙ୍କୁ ଶୁଭୁଥିଲା। ସୂଚନାଯୋଗ୍ୟ, ୨୦୧୮-୧୯ ଦକ୍ଷିଣ ଆଫ୍ରିକା ଗସ୍ତରେ ବୁମରା କେପ୍ ଟାଉନ୍ରେ ହିଁ ଟେଷ୍ଟ୍ ପଦାର୍ପଣ କରିଥିଲେ। ବୁମରା ଉଭୟ ପାଳିରୁ ୪ ୱିକେଟ୍ ନେଇଥିଲେ ମଧ୍ୟ ଭାରତ ହାରିଯାଇଥିଲା।