ହରାରେ: ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଶନିବାର ଘରୋଇ ଦଳ ବିପକ୍ଷରେ ଚତୁର୍ଥ ଟ୍ବେଣ୍ଟି-୨୦ ଖେଳିବ। ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ସଂପ୍ରତି ଭାରତ ୨-୧ରେ ଆଗରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଭାରତର ବ୍ୟାଟିଂ ବିଫଳ ହେବାରୁ ହାରିଥିଲା। ହେଲେ ଦ୍ବିତୀୟ ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ ନେତୃତ୍ବାଧୀନ ଭାରତର ଯୁବ ଦଳର ଚମତ୍କାର ଖେଳି ବିଜୟୀ ହୋଇଥିଲା। ଏବେ ଦଳ ଚତୁର୍ଥ ମ୍ୟାଚ୍‌ ଜିତି ଶୃଙ୍ଖଳା କବ୍‌ଜା କରିବା ଲକ୍ଷ୍ୟରେ ରହିଛି। ୩ ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇ ଯାଇଥିବାରୁ ଏହି ଶୃଙ୍ଖଳା ବିଜୟ ଯୁବ ଦଳ ପାଇଁ ଯୁଗାରମ୍ଭ ହେବ।

Advertisment

ଅଭିଷେକ ଶର୍ମା ଦ୍ବିତୀୟ ମ୍ୟାଚ୍‌ରେ ଶତକ ଅର୍ଜନ କରି ସମସ୍ତଙ୍କ ନଜରରେ ରହିଥିଲା ବେଳେ ସ୍ପିନ୍‌ ଅଲ୍‌ରାଉଣ୍ଡର ୱାସିଂଟନ ସୁନ୍ଦର ଏହି ଗସ୍ତରେ ୩ ମ୍ୟାଚ୍‌ ଖେଳି ୪.୫ ଇକୋ‌ନୋମି ସହ ୬ ୱିକେଟ୍‌ ନେଇ ଜାଡ଼େଜାଙ୍କ ବିକଳ୍ପ ସମ୍ଭାବନା ଦେଖାଇଛନ୍ତି। ଏହି ପ୍ରଦର୍ଶନ ୱାସିଂଟନ୍‌ଙ୍କୁ ଆଗାମୀ ଶ୍ରୀଲଙ୍କା ଗସ୍ତରେ ଚୟନକର୍ତ୍ତା ସ୍ଥାନ ଦେଇପାରନ୍ତି। ଏହି ଛୋଟ ଫର୍ମାଟ୍‌ରେ ଶୀର୍ଷ କ୍ରମରେ ଆଉ ବିରାଟ ଓ ରୋହିତଙ୍କୁ ଦେଖିବାକୁ ମିଳିବନି। ତେଣୁ ଯଶସ୍ବୀ ଜୟସ୍ବାଲ ଏହି ସ୍ଥାନ ଲାଗି ସବୁଠୁ ଆଗରେ ରହିଛନ୍ତି। ଦ୍ବିତୀୟ ଓପନର୍‌ ଲାଗି ଦୁଇ ଜଣ ଶୁବମନ ଓ ଋତୁରାଜ ଗାଏକ୍ବାଡଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଥିଲା ବେଳେ ଅଭିଷେକ ମଧ୍ୟ ନିଜ ସ୍ଥାନ ମଜବୁତ କରିବାକୁ ଚେଷ୍ଟା କରିବେ। ଏମାନଙ୍କ ସହ ଶିବମ ଦୁବେ ଓ ସଂଜୁ ସାମସନ ଏହି ଶୃଙ୍ଖଳାରୁ ଲାଭ ଉଠାଇବାକୁ ଚାହିବେ। ପ୍ରଥମ ଦୁଇ ମ୍ୟାଚ୍‌ ଖେଳିପାରି ନଥିବା ଏହି ଦୁଇ ଖେଳାଳି ତୃତୀୟ ମ୍ୟାଚ୍‌କୁ ଫେରିଥିଲେ। ଏବେ ଉଭୟଙ୍କ ହାତରେ ଆଉ ଦୁଇଟି ମ୍ୟାଚ୍‌ ଥିବାରୁ ଚମତ୍କାର ପ୍ରଦର୍ଶନ ଦେଇ ଆଗାମୀ ଶୃଙ୍ଖଳାରେ ଦଳରେ ସ୍ଥାନ ଲାଗି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ। ଗୁଗଲିରେ ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଉଥିବା ରବି ବିଷ୍ଣୋଇ ମଧ୍ୟ ନିଜ ଛାପ ଛାଡ଼ିବାକୁ ଚାହି ରହିଛନ୍ତି। ଆସନ୍ତାକାଲି ମ୍ୟାଚ୍‌ରେ ଆୱେସ ଖାନ୍‌ଙ୍କ ସ୍ଥାନରେ ମୁକେଶ କୁମାର ଫେରିପାରନ୍ତି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ଭାରତକୁ ହରାଇବା ପରେ ଜିମ୍ବାୱେ ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ସେପରି ଆଖିଦୃଶିଆ ପ୍ରଦର୍ଶନ କରିପାରିନି। କେବଳ ବ୍ଲେସିଂ ମୁଜରବାନି ଓ ଡିଓନ ମାୟର୍ସ କିଛିଟା କରିଛନ୍ତି। ତେବେ ଚତୁର୍ଥ ମ୍ୟାଚ୍‌ରେ ଦଳ ଭଲ କରି ଶୃଙ୍ଖଳା ବରାବର ସ୍ଥିତିକୁ ଆଣିବାକୁ ଚେଷ୍ଟା କରିବ।

ଭାରତୀୟ ସମ୍ଭାବ୍ୟ ଏକାଦଶ:ଅଭିଷେକ ଶର୍ମା, ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ, ଶୁବମନ ଗିଲ୍‌ (ଅଧିନାୟକ), ସଂଜୁ ସାମ୍‌ସନ୍‌ (ୱିକେଟ୍‌ରକ୍ଷକ), ଶିବମ ଦୁବେ, ରିଙ୍କୁ ସିଂହ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ମୁକେଶ କୁମାର/ଆୱେସ ଖାନ, ଖଲିଲ ଅହମଦ।
ଜିମ୍ବାୱେ ସମ୍ଭାବ୍ୟ ଏକାଦଶ:ଇନୋସେଣ୍ଟ କାଇଆ, ତାଡିୱାନାସି ମାରୁମାନି, ବ୍ରାଏନ ବେନେଟ, ସିକନ୍ଦର ରାଜା (ଅଧିନାୟକ), ୱେସ୍‌ଲେ ମାଧେଭେରେ, କ୍ଲାଇଭ୍‌ ମଦାଣ୍ଡେ (ୱିକେଟ୍‌ରକ୍ଷକ), ଲୁକେ ଜୋଙ୍ଗ‌ୱେ, ୱେଲିଂଟନ ମାସାକାଜା, ବ୍ଲେସିଂ ମୁଜରବାନି, ତଣ୍ଡୋଇ ଚତରା, ରିଚାର୍ଡ ଏନ୍‌ଗାରାଭା।