ମୁମ୍ବାଇ: ୟୁଏଇରେ ଚଳିତ ମାସ ୯ରୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ୧୫ଜଣିଆ ଭାରତୀୟ ଦଳର ଖେଳାଳିମାନେ ଗୁରୁବାର ଦୁବାଇରେ ଏକାଠି ହେବେ। ଏକାଠି ଯିବା ପରିବର୍ତ୍ତେ ନିଜ ନିଜ ସହରରୁ ପର୍ଯ୍ୟାୟକ୍ରମେ ସେଠାରେ ପହଞ୍ଚିବେ। ଗୁରୁବାର ସଂଧ୍ୟାସୁଦ୍ଧା ଖେଳାଳିମାନେ ପହଞ୍ଚିବା ପରେ ଶୁକ୍ରବାରଠାରୁ ଦୁବାଇସ୍ଥିତ ଆଇସିସି ଏକାଡେମିରେ ଅଭ୍ୟାସ ଆରମ୍ଭ କରିବେ। ୫ଦିନର ଅଭ୍ୟାସ ପରେ ପ୍ରଥମ ମ୍ୟାଚ୍ରେ ୧୦ ତାରିଖ ଦିନ ୟୁଏଇକୁ ଭେଟିବେ।
ଭାରତୀୟ ଦଳ ତା’ର ଦ୍ବିତୀୟ ତଥା ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୧୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍କୁ ନେଇ ଏବେ ବି ସଂଶୟ ଜାରି ରହିଥିଲା ବେଳେ ଭାରତ ସରକାର ଏହାକୁ ବିରୋଧ କରିବେ ନାହିଁ ବୋଲି ସଙ୍କେତ ମିଳିଛି। ଯାହା ବିସିସିଆଇ ପାଇଁ ଆଶ୍ବସ୍ତିକର ଖବର ହୋଇଛି। ସୁପର-୪ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ୧୯ ତାରିଖରେ ନିଜ ତୃତୀୟ ତଥା ଶେଷ ଲିଗ୍ ମ୍ୟାଚ୍ରେ ଓମାନକୁ ଭେଟିବ।
ଏସିଆ କପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ଯଥାକ୍ରମେ ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ପାଇଁ ଦଲୀପ ଟ୍ରଫି କ୍ବାର୍ଟରଫାଇନାଲ୍ ଖେଳିଥିଲେ। ସ୍ପିନର କୁଲଦୀପ ଯାଦବ ମଧ୍ୟ କେନ୍ଦ୍ରାଞ୍ଚଳର ପ୍ରତିନିଧିତ୍ବ କରିଛନ୍ତି। ଯେହେତୁ କ୍ବାର୍ଟରଫାଇନାଲ୍ ଶେଷ ହୋଇଯାଇଛି ତେଣୁ ସେମାନଙ୍କର ଦୁବାଇ ପହଞ୍ଚିବା ସୂଚୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। ସେହିଭଳି ସଂରକ୍ଷିତ ଖେଳାଳି ପ୍ରସିଦ୍ଧ କ୍ରିଷ୍ଣା କିମ୍ବା ୱାସିଂଟନ୍ ସୁନ୍ଦର ଭାରତୀୟ ଦଳ ସହ ଦୁବାଇ ଗସ୍ତ କରିବେ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।