ଭାରତୀୟ ହକି ଦଳ ସହ ସଂପର୍କ ତୁଟାଇଲେ ସିରିଏଲୋ

ମାସକ ମଧ୍ୟରେ ୩ ଅଷ୍ଟ୍ରେଲୀୟଙ୍କ ଇସ୍ତଫା; ସଙ୍କଟରେ ହକି ଇଣ୍ଡିଆ

ବେଙ୍ଗାଲୁରୁ: ଭାରତୀୟ ପୁରୁଷ ହକି ଦଳର ବିଶ୍ଲେଷଣାତ୍ମକ ପ୍ରଶିକ୍ଷକ କ୍ରିସ୍‌ ସିରିଏଲୋ କେବେ ଭାରତ ଫେରି‌ବେ ସେ ନେଇ ପ୍ରାୟ ଗୋଟିଏ ସପ୍ତାହ ଧରି କଳ୍ପନାଜଳ୍ପନା ଚାଲିଥିଲା। ହେଲେ ତାଙ୍କ ଫେରିବା ତ ହେଲାନି ବରଂ ସେ ପଦତ୍ୟାଗ କରିଥିବା ଜଣାପଡ଼ିଛି। କରୋନା ମହାମାରୀ ସଂକଟଜନକ ସ୍ଥିତି ଯୋଗୁଁ ଗତ ଜୁନ୍‌ ମାସରେ ଜାତୀୟ ହକି ଦଳ ପାଇଁ ପ୍ରଶିକ୍ଷଣ ଶିବିରରୁ ୪ ସପ୍ତାହର ବିରତି ମଞ୍ଜୁର ହୋଇଥିଲା ବେଳେ ଏହି ୩୪ ବର୍ଷ ବୟସ୍କ ପୂର୍ବତନ ଅଷ୍ଟ୍ରେଲୀୟ ଡ୍ରାଗ୍‌ ଫ୍ଲିକର ନିଜ ଦେଶକୁ ଫେରିଯାଇଥିଲେ। ତେବେ ଅଗଷ୍ଟ ୪ ତାରିଖରୁ ଶିବିରାର୍ଥୀମାନେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ‘ସାଇ’ର ଦକ୍ଷିଣ କେନ୍ଦ୍ରରେ ପୁଣି ଏକତ୍ରିତ ହୋଇଥିଲେ ମଧ୍ୟ ସିରିଏଲୋ ଅଷ୍ଟ୍ରେଲିଆରେ ‌ରହିଯାଇଥିଲେ। ଭାରତ ଫେରିବାରେ ବିଳମ୍ବ ପାଇଁ ପ୍ରଥମେ ପ୍ରଥମେ ତାଙ୍କ ଭିସାର କିଛି ସମସ୍ୟାକୁ ପ୍ରସଙ୍ଗ କରିଥିଲା ବେଳେ ପରେ ଚର୍ମ ସଂକ୍ରମଣଜନିତ ଚିକିତ୍ସାକୁ ଆଳ କରିଥିଲେ। ହେଲେ ଆଉ ଭାରତ ଫେରିନଥିଲେ। ବରଂ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିବା ଜଣାପଡ଼ିଛି। ତାଙ୍କୁ ମିଶାଇ ଗତ ଗୋଟିଏ ମାସ ମଧ୍ୟରେ ତିନି ଜଣ ଉଚ୍ଚ କ୍ଷମତାସଂପନ୍ନ ଅଧିକାରୀ ପଦତ୍ୟାଗ କରିଛନ୍ତି। ପ୍ରଥମେ ହକି ଇଣ୍ଡିଆର ହାଇ ପର୍ଫମାନ୍‌ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ ଏବଂ ପରେ ପୁରୁଷ ଦଳର ଫିଜିଓ ଡେଭିଡ୍‌ ମ୍ୟାକ୍‌ଡୋନାଲ୍‌ଡ ଇସ୍ତଫା ଦେଇଥିଲା ବେଳେ ଏବେ ସିରିଏଲୋଙ୍କ ଇସ୍ତଫା ସଂକଟ ସୃଷ୍ଟି କରିଛି। ପୁଣି ସଂଯୋଗବଶତଃ ଏହି ତିନି ଜଣଯାକ ପେସାଦାର ହେଉଛନ୍ତି ଅଷ୍ଟ୍ରେଲିଆର।

ସିରିଏଲୋ ଜଣେ ଖେଳାଳି ଭାବେ ଅ‌ଷ୍ଟ୍ରେଲିଆ ପାଇଁ ୨୦୧୪ ବିଶ୍ବକପ୍‌ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ୨୦୧୭‌ ନଭେମ୍ବରରେ ଅବସର ପରେ ୨୦୧୮ ଜାନୁଆରିରେ ଭାରତୀୟ ହକି ଦଳ ସହ ଯୋଗ ଦେଇଥିଲେ। ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଏପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ବର୍ଷ ହେଲା ତାଙ୍କ ଦାୟିତ୍ବ ବା ପଦ ଆନାଲିଟିକାଲ କୋଚ୍‌ (ବିଶ୍ଲେଷଣାତ୍ମକ ପ୍ରଶିକ୍ଷକ) ଥିଲା। ସେ ମଧ୍ୟ ବିଭିନ୍ନ ଆନ୍ତର୍ଜାତିକ ଶୃଙ୍ଖଳା ବେଳେ ସହକାରୀ ପ୍ରଶିକ୍ଷକ ଏବଂ ଦଳୀୟ ପ୍ରବନ୍ଧକ ଦାୟିତ୍ବ ତୁଲାଇଥିଲେ। ତାଙ୍କ ଡ୍ରାକ୍‌ ଫ୍ଲିକ୍‌ ଶକ୍ତି ଓ ସାମର୍ଥ୍ୟ ଯୋଗୁଁ ସିରିଏଲୋ ମଧ୍ୟ ଭାରତୀୟ ଦଳର ‌ପେନାଲ୍‌ଟି କର୍ନର ବିଶେଷଜ୍ଞଙ୍କ ପ୍ରଶିକ୍ଷକ ରହିଥି‌ଲେ। ତାଙ୍କ ପ୍ରଭାବକୁ ମଧ୍ୟ ଅଧିକାଂଶ ଭାରତୀୟ ଡିଫେଣ୍ଡର ଅନୁଭବ କରୁଥିଲେ। ଏତେସବୁ କ୍ଷମତା ସତ୍ତ୍ବେ ସିରିଏଲୋ ପଦତ୍ୟାଗ କରିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଥିଲା ବେଳେ ତାଙ୍କ ଇସ୍ତଫା ମଧ୍ୟ ଭାରତୀୟ ହକିରେ ସଂକଟକୁ ବଢ଼ାଇବ ବୋଲି କୁହାଯାଉଛି। ସିରିଏଲୋଙ୍କ ଇସ୍ତଫା ପରେ ଏବେ ହକି ଇଣ୍ଡିଆ ସହ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍‌ ରିଡ୍‌ଙ୍କ ସହଯୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। କେବଳ ଶିବେନ୍ଦ୍ର ସିଂହ ଓ ପୀୟୂଷ ଦୁବେ (ସହକାରୀ ପ୍ରଶିକ୍ଷକ) ଏବଂ ରବିନ୍‌ ଅର୍କେଲ (ବିଜ୍ଞାନସମ୍ମତ ପରାମର୍ଶଦାତା) ରିଡ୍‌ଙ୍କ ଗ୍ରୁପ୍‌ରେ ରହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁଁ ଟୋକିଓ ଅଲିମ୍ପିକ୍‌ ଗୋଟିଏ ବର୍ଷ ଘୁଞ୍ଚିଯିବା ପରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ମଧ୍ୟ ବିଦେଶୀ ପ୍ରଶିକ୍ଷକମାନଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ସିରିଏଲୋ ଆଉ ଗୋଟିଏ ବର୍ଷ ତାଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ସପକ୍ଷରେ ନଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। କରୋନା ଆତଙ୍କ ମଧ୍ୟ ସେମାନଙ୍କ ମନରେ ରହିଥିଲା ଏବଂ ସେମାନେ ନିଜ ନିଜ ଘରକୁ ଫେରିବା ପାଇଁ ବ୍ୟାକୁଳ ଥିଲେ। ଆଉ ଥରେ ବିରତି ନେଇ ସ୍ବଦେଶ ଯାଇଥିଲା ବେଳେ ଆଉ କରୋନା ଭୟରେ ଫେରିବାକୁ ଚାହିଁନଥିଲେ।

ସମ୍ବନ୍ଧିତ ଖବର