ମୁମ୍ବାଇ : ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ନେଦରଲାଣ୍ଡ ଦଳ ଯୋଗ୍ୟତା ଅର୍ଜନ କରିଛି । ଜିମ୍ବାୱେରେ ଚାଲିଥିବା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ସୁପର ସିକ୍ସ ରାଉଣ୍ଡରେ ଏହି ଦଳ ସ୍କଟଲାଣ୍ଡକୁ ପରାସ୍ତ କରିଛି । ବିଶ୍ୱକପରେ ସାମିଲ ହେବାରେ ନେଦରଲ୍ୟାଣ୍ଡ ଦଶମ ଦଳ ହୋଇଛି । ଏହା ସହିତ ବିଶ୍ବକପ ଖେଳିବାକୁ ଥିବା ୧୦ଟି ଯାକ ଦଳ ଚୂଡ଼ାନ୍ତ ହୋଇଯାଇଛି । ଏହା ପୂର୍ବରୁ ଶ୍ରୀଲଙ୍କା ବି ନିଜର ସ୍ଥାନ ନିଶ୍ଚିତ କରିସାରିଛି ।
ଏହି ଟୁର୍ଣ୍ଣାମେଣ୍ଟରେ ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେକୁ ପରାସ୍ତ କରି ସ୍କଟଲାଣ୍ଡ ହଇଚଇ ସୃଷ୍ଟି କରିଥିଲା। ଏହି ପରାଜୟ ଯୋଗୁଁ ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ଦଳ ବିଶ୍ବକପରୁ ବାଦ୍ ପଡ଼ିଥିଲେ। ବିଶେଷକରି ବିଶ୍ବକପ ଇତିହାସରେ ପ୍ରଥମଥର ପାଇଁ ଓ୍ବେଷ୍ଟଇଣ୍ଡିଜ୍ ଯୋଗ୍ୟାତା ଅର୍ଜନ କରିପାରିନାହିଁ । ଏହାକୁ ଚଳିତ ବିଶ୍ବକପର ଏକ ବଡ଼ ଓଲଟପାଲଟ ବୋଲି କୁହାଯାଉଛି ।
ସ୍କଟଲ୍ୟାଣ୍ଡ ଏହି ଦୁଇ ଦଳକୁ ହରାଇ ବିଜୟ ହାସଲ କରି ନିଜର ସ୍ଥାନକୁ ପ୍ରାୟ ସୁଦୃଢ଼ କରିଥିଲା, କିନ୍ତୁ ଅନ୍ତିମ ପ୍ରତିବନ୍ଧକ ଅତିକ୍ରମ କରିପାରିନଥିଲା। ତାଙ୍କୁ ନେଦରଲ୍ୟାଣ୍ଡ ବିପକ୍ଷରେ ଜିତିବାର ଆବଶ୍ୟକତା ଥିଲା । କିନ୍ତୁ ସ୍କଟଲାଣ୍ଡର ଦଳ ବିଜୟର ହ୍ୟାଟ୍ରିକ୍ କରିପାରିନଥିଲା ଏବଂ ବିଶ୍ୱକପ୍ ଟିକେଟ ହାସଲ କରିପାରିନଥିଲା ।
ବିଶ୍ବକପର ୧୦ଟି ଦଳ : ଭାରତ (ଆୟୋଜକ), ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ନେଦରଲାଣ୍ଡ।