ନୂଆଦିଲ୍ଲୀ : ଏସିଆ କପ ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବା ସଂପର୍କିତ ନିଷ୍ପତ୍ତି ଭାରତ ସରକାରଙ୍କ ଉପରେ ଛାଡ଼ିଛି ବିସିସିଆଇ । ବିସିସିଆଇର ନବନିଯୁକ୍ତ ସଭାପତି ରୋଜର ବିନ୍ନି କହିଛନ୍ତି ଯେ ଭାରତୀୟ ଦଳ କେଉଁ ଦେଶକୁ ଯିବ ତାହାର ନିୟନ୍ତ୍ରଣ ବିସିସିଆଇ ପାଖରେ ନାହିଁ । କାରଣ ଏ ସଂପର୍କତି ଚୂଡ଼ାନ୍ତ ଅନୁମତି ଭାରତ ସରକାର ହିଁ ଦିଅନ୍ତି ।
ସେ କହିଛନ୍ତି ଯେ ଭାରତୀୟ ଦଳ କେଉଁ ଦେଶକୁ ଯିବ ଅଥବା କେଉଁ ଦେଶ ଭାରତକୁ ଗସ୍ତ କରିବ ସେସମ୍ପର୍କିତ ଚୂଡ଼ାନ୍ତ ଅନୁମତି ଭାରତ ସରକାର ନିଅନ୍ତି ।
ସୂଚନାଯୋଗ୍ୟ ଯେ, ଦୁଇଦିନ ତଳେ ବିସିସିଆଇ ସଚିବ ଜୟ ଶାହା କହିଥିଲେ ଯେ, ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଏସିଆ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯିବ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଯେ ଏସିଆ କପକୁ ପାକିସ୍ତାନ ବଦଳରେ ଏକ ନିରପେକ୍ଷ ସ୍ଥାନରେ କରାଯିବାକୁ ଯୋଜନା କରାଯାଉଛି । ଏହାର ଜବାବରେ ପାକିସ୍ତାନ କ୍ରିକେଟ ବୋର୍ଡ କହିଥିଲା ଯେ, ଭାରତ ଯଦି ପାକିସ୍ତାନ ଆସିବ ନାହିଁ ଓ ଏସିଆ କପ ଯଦି ପାକିସ୍ତାନରେ ନ ହୁଏ, ତେବେ ପାକିସ୍ତାନ ଭାରତରେ ହେବାକୁ ଥିବା ବିଶ୍ବକପରୁ ଓହରିଯିବ ।
ଦୁଇ ଦେଶ ମଧ୍ୟରେ ଖରାପ ସଂପର୍କ କାରଣରୁ ଭାରତ ଗତ କିଛି ବର୍ଷ ହେଲା ପାକିସ୍ତାନ ସହ କ୍ରିକେଟ ଖେଳୁନାହିଁ । ଶେଷ ଥର ପାଇଁ ୨୦୦୬ରେ ଦୁଇ ଦେଶ ମଧ୍ୟରେ ଏକ କ୍ରିକେଟ ସିରିଜ ଖେଳାଯାଇଥିଲା । କେବଳ ବହୁରାଷ୍ଟ୍ରୀୟ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ସହ ଖେଳୁଛି ।