ନୂଆଦିଲ୍ଲୀ: ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସ ଲାଗି ୟୁରୋପରେ ୬୦ ଦିନ ଧରି ଅଭ୍ୟାସ କରିବେ ଅଲିମ୍ପିକ୍ ଓ ବିଶ୍ବ ବିଜେତା ନୀରଜ ଚୋପ୍ରା। ତାଙ୍କ ସହ ପ୍ରଶିକ୍ଷକ କ୍ଲାଉସ ବାର୍ତୋନିଏଜ ଓ ଫିଜିଓ ଈଶାନ ମାରୱା ରହିବେ। ଏଥିପାଇଁ କ୍ରୀଡ଼ା ମନ୍ତ୍ରାଳୟ ଗୁରୁବାର ନୀରଜଙ୍କୁ ଅନୁମତି ପ୍ରଦାନ କରିଛି। ଟ୍ରାକ୍‌ ଆଣ୍ଡ ଫିଲ୍ଡରେ ଭାରତକୁ ପ୍ରଥମ ଅଲିମ୍ପିକ୍ସ ପଦକ ଭେଟି ଦେଇ ଇତିହାସ ରଚିଥିବା ନୀରଜ ୟୁରୋପର ବିଭିନ୍ନ ସ୍ଥାନରେ ମେ’ ୨୯ରୁ ଜୁଲାଇ ୨୮ ପର୍ଯ୍ୟନ୍ତ ଅଭ୍ୟାସ କରିବେ। ଏଥିପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ନିୟମ ଅନୁଯାୟୀ ଟପ୍ସ (ଟାର୍ଗେଟ ଅଲିମ୍ପିକ୍ସ ପୋଡିୟମ୍‌ ସ୍କିମ୍‌) ଜରିଆରେ ସମସ୍ତ ଖର୍ଚ୍ଚ ବହନ କରାଯିବ।

Advertisment

ଏଥିସହ ମନ୍ତ୍ରାଳୟର ମିସନ ଅଲିମ୍ପିକ୍‌ ସେଲ୍‌ (ଏମ୍‌ଓସି) ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଭିନେଶ ଫୋଗତଙ୍କ ପ୍ରସ୍ତାବକୁ ଅନୁମତି ପ୍ରଦାନ କରିଛି। ଫୋଗତ ହଙ୍ଗେରିରେ ଜୁନ୍‌ ୧୦ରୁ ୨୧ ପର୍ଯ୍ୟନ୍ତ ହେବାକୁଥିବା ଅନ୍ତର୍ଜାତୀୟ ପ୍ରଶିକ୍ଷଣ ଶିବିରରେ ଷ୍ଟ୍ରେନ୍ଥ ଓ କଣ୍ଡିସନିଙ୍ଗ ପ୍ରଶିକ୍ଷକ ୱାୟନେ ପାଟ୍ରିକ ଲୋମ୍ବାର୍ଡ ତତ୍ତ୍ବାବଧାନରେ ଅଂଶଗ୍ରହଣ ଲାଗି ପ୍ରସ୍ତାବ ଦେଇଥିଲେ। ଏହି ଦୁଇ ଜଣଙ୍କ ବାଦ୍‌ ଲଙ୍ଗଜମ୍ପର ଶାଇଲି ସିଂହଙ୍କ ସହ ଅନ୍ୟ କିଛି ଖେଳାଳିଙ୍କ ବିଭିନ୍ନ ପ୍ରସ୍ତାବକୁ ମନ୍ତ୍ରାଳୟ ଅନୁମୋଦନ କରିଛି। ଜୁନ୍‌ ୨୩ ତାରିଖ ପର୍ଯ୍ୟନ୍ତ ନିଜର ତାଲିମ ଶିବିରକୁ ଶାଇଲି ବଢ଼ାଇବାକୁ ଅନୁମତି ମିଳିଛି। ଫଳରେ ସେ ପ୍ରଶିକ୍ଷକ ବବି ଜଜ୍‌ଙ୍କ ଲିସବନ, ପ୍ୟାରିସ, ଏଥେନ୍ସ ଓ ଜେନେଭାରେ ତ‌ାଲିମ ନେବେ।