ନୀରଜ ଚୋପ୍ରା ହେଲେ ବିଶ୍ବର ନଂ୧ ଜାଭେଲିନ ଫିଙ୍ଗାଳି

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ରଚିଛନ୍ତି। ସେ ଏଥର କୌଣସି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇ ଇତିହାସ ରଚି ନାହାନ୍ତି, କିନ୍ତୁ ବିଶ୍ୱର ଏକ ନମ୍ବର ଜାଭେଲିନ୍ ଥ୍ରୋଅର୍ ହୋଇ ଇତିହାସ ରଚିଛନ୍ତି। ଏହା ସହ ସେ ଭାରତର ପ୍ରଥମ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି। ଏହା ପୂର୍ବରୁ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟର ଜାଭେଲିନ ଥ୍ରୋରେ ଚାମ୍ପିୟନ ହୋଇ ଇତିହାସ ରଚିଥିଲେ। ନୀରଜ ଡାଇମଣ୍ଡ ଲିଗ୍ ରୁ ୨୦୨୩ ସିଜନ ଆରମ୍ଭ କରିଥିଲେ। ଏଥିରେ ନୀରଜ ୮୮.୭୬ ମିଟର ଜାଭେଲିନ୍ ଫିଙ୍ଗି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନରେ ରହିଥିଲେ ।

ସଦ୍ୟତମ ଜାଭେଲିନ୍ ଥ୍ରୋଅର୍ ରାଙ୍କିଙ୍ଗରେ ନୀରଜ ଚୋପ୍ରା ବିଶ୍ୱର ଏକ ନମ୍ବର ଖେଳାଳି ହୋଇଛନ୍ତି। ୨୫ ବର୍ଷୀୟ ନୀରଜ ୧୪୫୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ସେ ବର୍ତ୍ତମାନର ବିଶ୍ୱ ବିଜେତା ଗ୍ରେନାଡାର ଆଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ଆଣ୍ଡରସନ୍ ପିଟର୍ସ ୧୪୩୩ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଚେକ୍ ରିପବ୍ଲିକ୍ ର ଜାକବ ଭାଡେଲେଜ୍ଭ୍ ୧୪୧୬ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଜର୍ମାନୀର ୨୮ ବର୍ଷୀୟ ଜୁଲିଆନ୍ ୱେବର ୧୩୮୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ପାକିସ୍ତାନର ଅର୍ଶଦ ନଦୀମ ୧୩୦୬ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ଭାରତର ରୋହିତ ଯାଦବ ୧୧୮୫ ପଏଣ୍ଟ ସହ ୧୫ତମ ସ୍ଥାନରେ ରହିଛନ୍ତି ।

ସମ୍ବନ୍ଧିତ ଖବର