ନୂଆଦିଲ୍ଲୀ : ‘ଲଗାତାର ଭାବେ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିବା ନିଶ୍ଚିତ ସହଜ ନୁହେଁ, କିନ୍ତୁ ଏହା ସାଧ୍ୟ’ ବୋଲି କହିଛନ୍ତି ୮୦୦ ମିଟର୍ରେ ଦୁଇ ଥର ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା କେନିଆ ଧାବକ ଡେଭିଡ୍ ରୁଡିଶା। ନୂଆଦିଲ୍ଲୀ ହାଫ୍ ମାରାଥନ୍ ପାଇଁ ଭାରତ ଆସିବା ଅବସରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ୩୪ ବର୍ଷୀୟ ରୁଡ଼ିଶା କହିଛନ୍ତି ଅବସର ପରେ ନିଶ୍ଚିତ ପ୍ରଶିକ୍ଷଣ ଏକ ବିକଳ୍ପ। ଭାରତୀୟ ଧାବକ ଓ ମଧ୍ୟମଗତି ଧାବକଙ୍କୁ ନିଶ୍ଚିତ ତାଲିମ ଦେବାକୁ ଆଗ୍ରହୀ ହେବି।
୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଜାଭଲିନ୍ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କ ସମ୍ପର୍କରେ ପ୍ରଶ୍ନ ହେବାରୁ ରୁଡ଼ିଶା କହିଥିଲେ, ପୂର୍ବଭଳି ତାଲିମ ଓ ଅଭ୍ୟାସ ଜାରି ରଖିଲେ ପ୍ୟାରିସ ଅଲିମ୍ପିକ୍ସରେ ସେ ସ୍ବର୍ଣ୍ଣ ପଦକ ଦୋହରାଇପାରିବେ। ମୋ ଅଭିଜ୍ଞତା କହୁଛି ଏହା ଏତେ ସହଜ ନୁହେଁ, ଅଲିମ୍ପିକ ସ୍ବର୍ଣ୍ଣ ପଦକ ବଜାୟ ରଖିବା ସହଜ ହୋଇନଥାଏ। ଶାରୀରିକ ସକ୍ଷମତା ଓ ପ୍ରସ୍ତୁତି ପ୍ରମୁଖ ଭୂମିକା ତୁଲାଇଥାଏ। ତଥାପି ଏହା ଅସମ୍ଭବ ବି ନୁହେଁ ବୋଲି ସେ କହିଛନ୍ତି। କେନିଆ ଆଥଲେଟ୍ମାନେ ଏବେ ଡୋପ୍ ଟେଷ୍ଟ୍ରେ ଧରାପଡ଼ି ଦେଶର ସୁନାମକୁ ଖରାପ କରୁଛନ୍ତି ବୋଲି ରୁଡ଼ିଶା ଅସନ୍ତୋଷ ପ୍ରକାଶ କରିଥିଲେ। କିଛି ଆଥଲେଟ୍ଙ୍କ ପାଇଁ ଦେଶ ବଦନାମ ହେଉଛି, ସେମାନେ ସଫଳତା ପାଇଁ ସହଜ ବାଟ ଖୋଜୁଥିବାରୁ ଏଭଳି ହେଉଛି। ଆମ ଦେଶ ପାଇଁ ଡୋପିଂ ଏକ ବଡ଼ ସମସ୍ୟା ବୋଲି କହିଛନ୍ତି ଏହି ମାସାଇ ଆଦିବାସୀ ସମ୍ପ୍ରଦାୟ ବିଶ୍ବ ବିଖ୍ୟାତ କ୍ରୀଡ଼ାବିତ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/kenia.jpg)