ନୂଆଦିଲ୍ଲୀ: ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ନାଁରେ ଆୟୋଜିତ ହେବାକୁ ଥିବା ପ୍ରଥମ ନୀରଜ ଚୋପ୍ରା କ୍ଲାସିକ୍ ଜାଭଲିନ୍ ପ୍ରତିଯୋଗିତା ଜୁଲାଇ ୫କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହା ମେ’୨୪ ତାରିଖରେ ଆୟୋଜିତ ହେବାର ଥିଲା। ତେବେ ଭାରତ-ପାକସ୍ତାନ ସାମରିକ ଛକାପଞ୍ଝା ପାଇଁ ଆୟୋଜିତ ହୋଇ ପାରି ନଥିଲା। ମଙ୍ଗଳବାର ଆୟୋଜକମାନେ ନୂଆ ତାରିଖ ଘୋଷଣା କରିଛନ୍ତି। ସେହିଭଳି ଭାରତୀୟ ଦୌଡ଼କୁଦ ସଂଘ ସ୍ବୀକୃତ ଏହି ପ୍ରତିଯୋଗିତା ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମ୍ରେ ଖେଳାଯିବ ବୋଲି ସୂଚନା ଦେଇଛନ୍ତି।
ବିଶ୍ବର ବଛାବଛା ୧୨ଜଣ ଜାଭଲିନ୍ ତାରକା ଅଂଶଗ୍ରହଣ କରିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତରୁ ନୀରଜଙ୍କ ସହ ୫ଜଣ ଜାଭଲିନ୍ ତାରକା ଅଂଶଗ୍ରହଣ କରିବେ। ଅନ୍ୟମାନେ ହେଲେ ସଚିନ ଯାଦବ, ଓଡ଼ିଆ ପୁଅ କିଶୋର ଜେନା, ରୋହିତ ଯାଦବ ଓ ସୁଶୀଲ ସିଲୱାଲ୍। ବିଦେଶୀ ଖେଳାଳିମାନେ ହେଲେ ଦୁଇଥର ବିଶ୍ବ ବିଜେତା ଗ୍ରେନେଡାର ଆଣ୍ଡରସନ୍ ପିଟର୍ସ, ପୂର୍ବତନ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଜର୍ମାନୀର ଥୋମାସ ରୋହଲର, ୨୦୧୫ ବିଶ୍ବ ବିଜେତା କେନିଆର ଜୁଲିଅସ୍ ୟେଗୋ, ଆମେରିକାର କର୍ଟିସ୍ ଥମ୍ପସନ୍, ଏସୀୟ କ୍ରୀଡ଼ା କାଂସ୍ୟ ଜାପାନର ପଦକ ବିଜେତା ଜେନ୍କି ଡିନ୍, ଶ୍ରୀଲଙ୍କାର ରମେଶ ପାଥିରେଜ ଓ ବ୍ରାଜିଲର ମୌରିସିଓ ଡା ସିଲ୍ଭା ପ୍ରମୁଖ। ପ୍ରତିଯୋଗିତା ଲାଗି ଟିକେଟ ଦର ୧୯୯ ଟଙ୍କାରୁ ୯୯୯୯ ଟଙ୍କା ମଧ୍ୟରେ ରଖାଯାଇଛି। ନୀରଜ ଚୋପ୍ରା ଓ ଜେଏସ୍ଡବ୍ଲ୍ୟୁ ସ୍ପୋର୍ଟସ ଏହାକୁ ମିଳିତ ଭାବେ ଆୟୋଜନ କରୁଛନ୍ତି।