ଲୌରିଅସ୍ ପୁରସ୍କାର ମନୋନୟନ ତାଲିକାରେ ନୀରଜ

ଲଣ୍ଡନ: ଦୌଡ଼କୁଦରେ ଭାରତର ପ୍ରଥମ ଏବଂ ଏକମାତ୍ର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଆଉ ଏକ ସମ୍ମାନଜନକ ତଥା ବିଶ୍ବସ୍ତରୀୟ କ୍ରୀଡ଼ା ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୨୨ ବର୍ଷ ପାଇଁ ‌ଘୋଷିତ ହୋଇଥିବା ୬ ଜଣିଆ ‘ଲୌରିଅସ୍ ବିଶ୍ବ ବ୍ରେକ୍‌ଥ୍ରୁ ଅଫ୍‌ ଦି ଇୟର ପୁରସ୍କାର’ ତାଲିକାରେ ନୀରଜ ସ୍ଥାନ ପାଇ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଲୌରିଅସ୍‌ର ୭ଟି ବର୍ଗରେ ପ୍ରଦାନ କରାଯାଉଥିବା କ୍ରୀଡ଼ା ପୁରସ୍କାରର ମନୋନୟନ ତାଲିକା ସମଗ୍ର ବିଶ୍ବର ୧୩୦୦ ପ୍ରତିଷ୍ଠିତ କ୍ରୀଡ଼ା ସାମ୍ବା‌ଦିକ ତଥା କ୍ରୀଡ଼ା କାର୍ଯ୍ୟକ୍ରମ ପ୍ରସ୍ତୁତକାରୀ ପ୍ରସ୍ତୁତ କରିଛନ୍ତି। ଭୋଟ ପରେ ଚୂଡ଼ାନ୍ତ ବିଜେତାଙ୍କ ନାମ ୭୧ ଜଣିଆ କିଂବଦନ୍ତି କ୍ରୀଡ଼ା ତାରକା ସମିତି ବାଛିବ। ବିଜେତାଙ୍କ ନାମ ଏପ୍ରିଲ ମାସରେ ଘୋଷଣା କରାଯିବ।

ଟୋକିଓ ଅଲିମ୍ପିକ୍ସର ପୁରୁଷ ଜାଭଲିନରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଏକମାତ୍ର ଭାରତୀୟ ଭାବେ ଚଳିତ ବର୍ଷ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କ ପୂର୍ବରୁ କେବଳ ଦୁଇ ଜଣ ଭାରତୀୟ ଲୌରିଅସ୍ କ୍ରୀଡ଼ା‌ ପୁରସ୍କାର ମନୋନୟନ ତାଲିକାରେ ସ୍ଥାନ ପାଇଥିଲେ। ସେମାନେ ହେଉଛନ୍ତି ମହିଳା କୁସ୍ତି ତାରକା ଭିନେଶ ଫୋଗଟ ଏବଂ ମହାନ କ୍ରିକେଟର୍‌ ସଚିନ ତେନ୍ଦୁଲକର। ତେନ୍ଦୁଲକର ୨୦୦୦ରୁ ୨୦୨୦ର ଦୁଇ ଦଶନ୍ଧି ମଧ୍ୟରେ ଶ୍ରେଷ୍ଠ କ୍ରୀଡ଼ା ମୁହୂର୍ତ୍ତ ପୁରସ୍କାର ଜିତିଥିଲେ। ୨୦୧୧ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ ବିଜୟ ପରେ ସାଥୀ ଖେଳାଳି ତାଙ୍କୁ କାନ୍ଧରେ ଉଠାଇ ମୁମ୍ବାଇର ୱାଙ୍ଖାଡେ ଷ୍ଟାଡିୟମ୍ ଚାରିପଟେ ବୁଲାଇବା ଲାଗି ସଚିନ ଏହି ପୁରସ୍କାର କରାୟତ୍ତ କରିଥିଲେ। ଲୌରିଅସ୍ ପୁରସ୍କାର ମନୋନୟନ ତାଲିକାରେ ସ୍ଥାନ ପାଇବା ସମ୍ମାନ ଏବଂ ଗର୍ବର ବିଷୟ ‌ବୋଲି ନୀରଜ ଏହି ଖବର ଶୁଣିବା‌ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର