ନୀରୋଜଙ୍କ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ : ତାରକା ଜାଭେଲିନ୍‌ ଫିଙ୍ଗାଳି ନୀରୋଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାର ପୋଚେଫ୍‌ଷ୍ଟ୍ରୁମ୍‌ରେ ଚାଲିଥିବା ଏସିଏନ୍‌ଇ ଲିଗ୍‌ରେ ୮୭.୮୬ ମିଟର ଜାଭେଲିନ୍‌ ଫିଙ୍ଗି ନୀରୋଜ ଏହି ଯୋଗ୍ୟତା ହତେଇଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ମାନଦଣ୍ଡ ୮୫ ମିଟର ଥିଲା ବେଳେ ନୀରୋଜ ଚମତ୍କାର ପ୍ରଦର୍ଶନ ଜରିଆରେ ଏହାକୁ ଟପି ଯାଇଥିଲେ। ପ୍ରଥମ ପ୍ରୟାସରେ ୮୧.୭୬, ଦ୍ବିତୀୟରେ ୮୨ ଓ ତୃତୀୟରେ ୮୨.୫୭ ମିଟର ଫିଙ୍ଗିବା ପରେ ଚତୁର୍ଥ ପ୍ରୟାସରେ ହିଁ ନୀରୋଜ ଅଲିମ୍ପିକ୍ସ ଯୋଗ୍ୟତା ମାନଦଣ୍ଡ ଅତିକ୍ରମ କରିଥିଲେ। ଏଥି ସହିତ ଆଥ୍‌ଲେଟିକ୍ସରେ ଭାରତ ପାଇଁ ଚତୁର୍ଥ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିନେଲେ। ଅନ୍ୟତମ ଭାରତୀୟ ରୋହିତ ଯାଦବ ୭୭.୬୧ ମିଟର ଫିଙ୍ଗି ଦ୍ବିତୀୟ ସ୍ଥାନ ପାଇଥିଲା ବେଳେ ଅନ୍ୟକେହି ବି ୭୦ ମିଟର ଡେଇଁପାରିନଥିଲେ। ନୀରୋଜଙ୍କ ପୂର୍ବରୁ ଆଥ୍‌ଲେଟିକ୍ସରୁ ତିନି ଭାରତୀୟ ଭାବେ ଜାତୀୟ କୀର୍ତ୍ତିମାନଧାରୀ କେଟି ଇର୍ଫାନ୍‌ (୨୦ କିମି ଚାଲି), ଅବିନାଶ ସାବ୍‌ଲେ (ପୁରୁଷ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌) ଓ ୪ ଗୁଣା ୪୦୦ ମିଟର ରିଲେ ଦଳ ଟୋକିଓ ଟିକେଟ ହାସଲ କରିଥିଲେ।

ସମ୍ବନ୍ଧିତ ଖବର