ବୁଦାପେଷ୍ଟ: ଭାରତୀୟ କ୍ରୀଡ଼ାରେ ଗତରବିବାର ସବୁଠାରୁ ଶ୍ରେଷ୍ଠ ମୁହୂର୍ତ୍ତ ଯୋଡ଼ି ହୋଇଛି। ବିଶ୍ବ ଦୌଡ଼କୁଦର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି।
ଅଲିମ୍ପିକ ସ୍ବର୍ଣ୍ଣ ବିଜୟର ଠିକ୍ ଦୁଇ ବର୍ଷ ପରେ ମହାନତମ ଖେଳାଳି ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହାଫଳରେ ସମସ୍ତ ପ୍ରମୁଖ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ (ଅଲିମ୍ପିକ, ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା) ସ୍ବର୍ଣ୍ଣ ପଦକ କବ୍ଜା କରିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି।
ନୀରଜଙ୍କ ଏହି ଐତିହାସିକ ବିଜୟ ପରେ ହଙ୍ଗରୀର ଜଣେ ମହିଳା ପ୍ରଶଂସକ ତାଙ୍କ ଠାରୁ ଅଟୋଗ୍ରାଫ (ଦସ୍ତଖତ) ଚାହିଁଥିଲେ। ଏଥିପାଇଁ ହଙ୍ଗରୀର ମହିଳା ପ୍ରଶଂସକ ନୀରଜଙ୍କ ସାମ୍ନାରେ ଏକ ତ୍ରିରଙ୍ଗା ରଖି ସେଥିରେ ଦସ୍ତଖତ କରିବାକୁ କହିଥିଲେ।
ଏହାକୁ ଦେଖି ନୀରଜ ଉକ୍ତ ମହିଳା ପ୍ରଶଂସକଙ୍କୁ କହିଥିଲେ, ‘କ୍ଷମା କରିବେ ଆଜ୍ଞା, ମୁଁ ଭାରତର ଜାତୀୟ ପତାକା ଉପରେ ଦସ୍ତଖତ କରି ପାରିବି ନାହିଁ।’
ଏହାପରେ ନୀରଜ ମହିଳାଙ୍କ ଟି-ସାର୍ଟରେ ଦସ୍ତଖତ ଦେଇଥିଲେ। ନୀରଜଙ୍କ ଦସ୍ତଖତକୁ ପାଇ ହଙ୍ଗରୀ ମହିଳା ଖୁସି ହୋଇଥିଲେ। ଜାତୀୟ ପତାକା ପ୍ରତି ନୀରଜଙ୍କ ଏଭଳି ସମ୍ମାନ ଦେଖି ଲୋକେ ଖୁବ ଖୁସି ହୋଇଯାଇଛନ୍ତି।
ବୁଦାପେଷ୍ଟରେ ରବିବାର ହୋଇଥିବା ପୁରୁଷ ଜାଭଲିନ୍ ଫାଇନାଲ୍ରେ ନୀରଜ ଫାଉଲ୍ରୁ ଆରମ୍ଭ କରିଥିଲେ ହେଁ ଦ୍ବିତୀୟ ପ୍ରୟାସରୁ ସ୍ବର୍ଣ୍ଣ ପାଇଁ ଦାବିଦାର ରହିଥିଲେ। ଦ୍ବିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍ ଫିଙ୍ଗି ସେ ଏହି ସଫଳତାକୁ ନିଜ ନାମରେ କରିଥିଲେ।