ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ 'ପରମ ବିଶିଷ୍ଟ ସେବା ପଦକ'ରେ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ | ଏବେ ଭାରତୀୟ ସେନାର ରାଜପୁତାନା ରାଇଫଲ୍ସରେ ନୀରଜଙ୍କୁ ମୁତୟନ କରାଯାଇଛି। ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପରେ ଏପର୍ଯ୍ୟନ୍ତ ନୀରଜଙ୍କୁ ଅନେକ ସମ୍ମାନ ମିଳିସାରିଛି | 'ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟ'ରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟ୍ | ସେ ଟୋକିଓରେ ଆୟୋଜିତ ଅଲିମ୍ପିକ୍ ଗେମ୍ସରେ ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ | ଗତ ବର୍ଷ ନଭେମ୍ବରରେ ତାଙ୍କୁ 'ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ' ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ୩୮୪ ଜଣଙ୍କୁ ବୀରତା ପୁରସ୍କାର ପ୍ରଦାନ କରିବେ | 'ପରମ ବିଶିଷ୍ଟ ସେବା ପଦକ' ହେଉଛି ଭାରତର ସାମରିକ ପୁରସ୍କାର | ଶାନ୍ତି ଏବଂ ସେବା କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ କରୁଥିବା ପ୍ରତିରକ୍ଷା କର୍ମଚାରୀଙ୍କୁ ଏହା ଦିଆଯାଏ | ଟେରିଟୋରିଆଲ୍ ଆର୍ମି, ରିଜର୍ଭ ଫୋର୍ସ, ନର୍ସିଂ ଅଫିସର ଏବଂ ନର୍ସିଂ ସର୍ଭିସର ଅନ୍ୟ ସଦସ୍ୟ ଏବଂ ସମସ୍ତ ସଶସ୍ତ୍ର ବାହିନୀର କର୍ମଚାରୀ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି। ଏହି ପଦକ ମୂଳତ ଜାନୁଆରି ୨୬, ୧୯୬୦ରେ "ବିଶିଷ୍ଟ ସେବା ପଦକ, କ୍ଲାସ ଆଇ" ଭାବରେ ପ୍ରତିଷ୍ଠିତ ହୋଇଥିଲା | ହେଲେ ଜାନୁଆରି ୨୭,୧୯୬୧ ରେ ଏହାର ନାମ ପରିବର୍ତ୍ତନ କରାଯାଇଥିଲା |