ଏସୀୟ କ୍ରୀଡ଼ା: ଇତିହାସ ରଚିଲେ ନୀରଜ ଚୋପ୍ରା, ଭାରତକୁ ଦେଲେ ୮ମ ସ୍ୱର୍ଣ୍ଣ ପଦକ

ଜାକର୍ତ୍ତା: ଭାରତର ଷ୍ଟାର ଆଥଲେଟ୍‌ ନୀରଜ ଚୋପ୍ରା ୧୮ତମ ଏସୀୟ କ୍ରୀଡ଼ାରେ ଇତିହାସ ରଚିଛନ୍ତି। ଅନ୍ତର୍ଜାତୀୟ ଖେଳ ପ୍ରତିଯୋଗିତାର ୯ମ ଦିନରେ ସୋମବାର ଭାରତକୁ ୮ମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ସେ ୮୮.୦୮ ମିଟର ଜାଭଲିନ୍ ଥ୍ରୋ କରି ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଏସୀୟ କ୍ରୀଡ଼ାର  ୯ମ ଦିନରେ ଭାରତୀୟ ଧାବିକା ସୁଧା ସିଂହଙ୍କୁ ୩୦୦୦ ମିଟର ମହିଳା ଷ୍ଟିପଲଚେଜ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ମିଳିଛି। ସୁଧା ନିଜର ଲକ୍ଷ୍ୟକୁ ୯ ମିନିଟ ୪୦.୦୩ ସେକେଣ୍ଡରେ ପୂରା କରିଥିଲେ। ବର୍ଷ ୨୦୧୦ ଏସୀୟ କ୍ରୀଡ଼ାରେ ସୁଧା ରୌପ୍ୟ ପଦକ ଜିତିଥିଲେ। ଚଳିତ ଏସୀୟ କ୍ରୀଡ଼ାରେ ସେ ବାହାରିନର ବିନଫ୍ରେଡ ୟାବିଙ୍କ ଠାରୁ ପଛରେ ରହି ରୌପ୍ୟ ପଦକ ଜିତିଛନ୍ତି। ବିନଫ୍ରେଡ ୯ ସେକେଣ୍ଡ ୩୬.୫୨ ସେକେଣ୍ଡରେ ଲକ୍ଷ୍ୟ ପୂରା କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭିଏତନାମର ପ୍ରତିଯୋଗୀ ଥି ଓହ୍ନ ଗୁୟେନ ୯ ମିନିଟ ୪୩.୮୩ ସେକେଣ୍ଡରେ ଲକ୍ଷ୍ୟ ପୂରା କରିଥିଲେ।

୪୦୦ ମିଟର ହର୍ଡଲରେ ଧରୁନ ଆୟାସ୍ବାମୀ ରୌପ୍ୟ ପଦକ ଜିତିଛନ୍ତି। ସେ ଏହି ପ୍ରତିଯୋଗିତାରେ ୪୮.୯୬ ସେକେଣ୍ଡରେ ୪୦୦ ମିଟର ଅତିକ୍ରମ କରିଛନ୍ତି। ମହିଳା ୪୦୦ ମିଟର ହଡଲର୍ସରେ ଭାରତର ଅନୁ ରାଘବନ ୪ର୍ଥ ଓ ଜଉନା ମୁର୍ମୁ ୫ମ ସ୍ଥାନ ହାସଲ କରିଛନ୍ତି।

ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ମୋଟ ୪୦ଟି ପଦକ ମିଳିଛି। ଏଥିରେ ସାମିଲ ରହିଛି ୮ଟି ସ୍ୱର୍ଣ୍ଣ ଓ ୧୨ ରୌପ୍ୟ ପଦକ। ଭାରତକୁ ୨୦ଟି କାଂସ୍ୟ ପଦକ ମିଳିଛି।

ସମ୍ବନ୍ଧିତ ଖବର