ଟୋକିଓ: ଦୁଇ ଥର ଲେଖାଏଁ ବିଶ୍ବ ଓ ଅଲିମ୍ପିକ୍ ପଦକ ଜିତିଥିବା ଭାରତୀୟ ଜାଭ୍ଲିନ୍ ତାରକା ନୀରଜ ଚୋପ୍ରାଙ୍କ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ନୌରାଶ୍ୟଜନକ ଭାବେ ଶେଷ ହୋଇଛି। ଗୁରୁବାର ୧୨ ଜଣିଆ ଫାଇନାଲ୍ରେ ଏହି ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜେତା ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ୨୦୨୦ରେ ଏହି ସମାନ ସ୍ଥାନରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଥିବା ନୀରଜ ଗୁରୁବାର ୮୪.୦୩ ମିଟର ଜାଭ୍ଲିନ୍ ଫିଙ୍ଗିବାକୁ ସକ୍ଷମ ହୋଇଥିଲେ। ନିଜର ପ୍ରଥମ ଥ୍ରୋରେ ଏହି ଦୂରତା ଛୁଇଁଥିଲେ। ହେଲେ ଏହାପରେ ତାଙ୍କର ଥ୍ରୋ ନିମ୍ନଗାମୀ ହୋଇଥିଲା। ଦ୍ବିତୀୟରେ ୮୩.୦୫, ତୃତୀୟ ଫାଉଲ୍ ହୋଇଥିଲା ବେଳେ ଚତୁର୍ଥରେ ୮୨.୮୬ ମିଟର ଫିଙ୍ଗି ପଦକ ଦୌଡ଼ରୁ ବାଦ୍ ପଡ଼ିଥିଲେ ସେ। ଯାହା ୨୦୨୧ ପରଠୁ ତାଙ୍କର ସବୁଠୁ ଖରାପ ପ୍ରଦର୍ଶନ। ୨୦୨୧ଠୁ ସେ ୨୬ ପ୍ରତିଯୋଗିତାରେ ଭାଗ ନେଇଥିଲା ବେଳେ ୧-୨ରେ ପୋଡିୟମ୍ ଫିନିସ୍ କରିଥିଲେ। ଏଥର ସେ ପ୍ରଥମ ଥର ଖାଲି ହାତରେ ଫେରିବା ସହ ବିଶ୍ବ ପ୍ରତିଯୋଗିତାରେ ହ୍ୟାଟ୍ରିକ୍ ପଦକ ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ସେ ୨୦୨୩ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଏବଂ ୨୦୨୨ରେ ରୌପ୍ୟ ପାଇଥିଲେ।
ନୀରଜ ନିରାଶ କରିଥିଲା ବେଳେ ଫାଇନାଲ୍ରେ ପହଞ୍ଚିଥିବା ଆଉ ଜଣେ ଯୁବ ଭାରତୀୟ ସଚିନ ଯାଦବ ଚମତ୍କାର ପ୍ରଦର୍ଶନ କରି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ସଚିନ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ୮୬.୨୭ ମିଟର ପାଇଥିଲେ ମଧ୍ୟ ୪୦ ସେଣ୍ଟିମିଟର ପାଇଁ କାଂସ୍ୟ ପଦକ ଜିତିବାରେ ବିଫଳ ହୋଇଥିଲେ। ୮୫.୧୬ ମିଟର ବ୍ୟକ୍ତିଗତ ଶ୍ରେଷ୍ଠ ସହ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ଜିତିଥିବା ସଚିନ ଫାଇନାଲ୍ରେ ନିଜର ପ୍ରଥମ ପ୍ରୟାସରେ ୮୬.୨୭ ମିଟର ଜାଭ୍ଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଥିଲେ। ତାଙ୍କର ଦ୍ବିତୀୟ ଥ୍ରୋ ଫାଉଲ୍ ହୋଇଥିଲା ବେଳେ ଏହା ପର ଥ୍ରୋ ୮୫.୭୧ ମିଟର ଫିଙ୍ଗି ଚତୁର୍ଥକୁ ଖସିଥିଲେ। ଏହାପରେ ସେ ୮୪.୯୦, ୮୫.୯୬ ଓ ୮୦.୯୫ ମିଟର ଫିଙ୍ଗି ପଦକରୁ ବଞ୍ଚିତ ହୋଇଥିଲେ। ଆମେରିକାର କୁଟ୍ସ ଥମ୍ପସନ୍ (୮୬.୬୭) କାଂସ୍ୟ, ଗ୍ରେନେଡାର ଆଣ୍ଡରସନ୍ ପିଟର୍ସ (୮୭.୩୮) ରୌପ୍ୟ ଏବଂ ତ୍ରିନିଦାଦ ଓ ଟୋବାଗୋର କେଶୋର୍ଣ୍ଣ ୱାଲକଟ୍ (୮୮.୧୬) ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ସ ବିଜେତା ପାକିସ୍ତାନର ଅର୍ଶଦ ନଦୀମ (୮୨.୭୫) ମଧ୍ୟ ଦଶମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ଏଥି ସହ ଗତ ଅଲିମ୍ପିକ୍ସର ସ୍ବର୍ଣ୍ଣ-ରୌପ୍ୟ ବିଜେତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି। ମହିଳା ୮୦୦ ମିଟର ଦୌଡ଼ରେ ଭାରତୀୟ ଧାବିକା ପୂଜା ଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ସେ ହିଟ୍ରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୨:୦୧.୦୩ ଦେଇଥିଲେ ମଧ୍ୟ ଏହା ଫାଇନାଲ୍ରେ ସ୍ଥାନ ପକ୍କା କରିବାରେ ସାହାଯ୍ୟ କରି ନଥିଲା।