ନୂଆଦିଲ୍ଲୀ: ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକରୁ ନୂଆ ଋତୁ ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରମଠାରେ ଆୟୋଜିତ ପୋଚ୍ ଆମନ୍ତ୍ରଣୀୟ ଦୌଡ଼କୁଦ ପ୍ରତିଯୋଗିତାରେ ୮୪.୫୨ ମିଟରର ଥ୍ରୋ’ ସହ ପ୍ରଥମ ସ୍ଥାନ ଅଧିକାର କରି ନେଇଛନ୍ତି। ତେବେ ଏହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟରଠାରୁ ଯଥେଷ୍ଟ କମ୍ ଥିଲା।
୬ଜଣିଆ ଫାଇନାଲ୍ରେ ଆୟୋଜକ ଦେଶର ଦୋଉ ସ୍ମିଟ୍ (୮୩.୨୯ ମିଟର) ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ। କେବଳ ନୀରଜ ଓ ସ୍ମିଟ୍ ୮୦ ମିଟର ଟପିବା ଉଲ୍ଲେଖନୀୟ ଥିଲା। ସୂଚନାଯୋଗ୍ୟ ଯେ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ନୀରଜଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ମେ ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ଦୋହା ଡାଇମଣ୍ଡ୍ ଲିଗ୍ରେ ସ୍ବର୍ଣ୍ଣ ପଦକ ଜିତିବା। ଏହି ପ୍ରତିଯୋଗିତାରେ କିନ୍ତୁ ତାଙ୍କୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ିବ।