ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଭାରତୀୟ ଜାଭଲିନ୍ର କିଂବଦନ୍ତି ପୁରୁଷ ନୀରଜ ଚୋପ୍ରା ଘରୋଇ ମାଟିରେ ଏକ ବଡ଼ ଅନ୍ତର୍ଜାତୀୟ ପଦକ ହାସଲ କରିବାକୁ ଚାହୁଛନ୍ତି। ଏହା ହିଁ ତାଙ୍କ ପରବର୍ତ୍ତୀ ସ୍ବପ୍ନ ବୋଲି ରବିବାର ଦେଇଥିବା ସାକ୍ଷାତକାର ଅବସରରେ କହିଛନ୍ତି। ‘‘ଭାରତରେ ଅନ୍ୟ ଅନ୍ତର୍ଜାତୀୟ ତାରକାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ମୋର ସ୍ବପ୍ନ। ଆଶା କରୁଛି ଖୁବ୍ଶୀଘ୍ର ଆମ ଦେଶରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବ ଏବଂ ମୋର ବହୁ ଦିନର ସ୍ବପ୍ନ ପୂରଣ ହେବ। ସଂପ୍ରତି ମୁଁ ଅନ୍ତର୍ଜାତୀୟ ଆଥଲେଟିକ୍ସ କ୍ୟାଲେଣ୍ଡରର ଏକ ନୂଆ ଋତୁରେ ପାଦ ଥାପିବାକୁ ଯାଉଛି। ଏଣୁ ପ୍ରଶିକ୍ଷଣ ପଦ୍ଧତି କିମ୍ବା ବୈଷୟିକ କୌଶଳରେ ପରିବର୍ତ୍ତନ କରିବାର ସମୟ ନାହିଁ। ତଥାପି ମୁଁ ଗୋଟିଏ ଦୁଇଟି ଦିଗରେ ସୁଧାର ଆଣିବାକୁ ଆଶା ରଖିଛି। ବିଶେଷ କରି ଜାଭଲିନ୍ର ଲାଇନ୍ ଠିକ୍ କରିବା ଉପରେ କାମ କରିବାକୁ ଚାହୁଛି। କାରଣ ଆଙ୍ଗଲ ଠିକ୍ ରହିଲେ ମୋ ଥ୍ରୋ’କୁ ଅଧିକ ଶକ୍ତି ମିଳିବ। ପ୍ୟାରିସ୍ରେ ମୋ ଶରୀରର ସ୍ଥିତି ସେତେଟା ଠିକ୍ ନଥିଲା। ଅର୍ଶଦ ନଦୀମଙ୍କ ଐତିହାସିକ ଥ୍ରୋ’ ପରେ କିନ୍ତୁ ମୁଁ ଚଳିତ ଋତୁର ଶ୍ରେଷ୍ଠ ଦୂରତା ପାଇଥିଲି। କାରଣ ପ୍ରତିଦ୍ବନ୍ଦ୍ବିତାର ସ୍ତର ବହୁତ ବଢ଼ି ଯାଇଥିଲା। ତେଣୁ ନିଜର ଶ୍ରେଷ୍ଠ ଦେବାକୁ ମୋ ମନରେ ଆପଣା ଛାଏଁ ଭାବନା ଆସି ଯାଇଥିଲା’’ ବୋଲି ଏହି ଅବସରରେ କହିଛନ୍ତି ନୀରଜ। ଅର୍ଶଦଙ୍କୁ ନୀରଜଙ୍କ ମା’ ପୁଅ ସମ୍ବୋଧନ କରିବା ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଛି। ନୀରଜ ଏହି ବିଷୟରେ ମଧ୍ୟ ନିଜ ମନର ଭାବନା ପ୍ରକାଶ କରିଥିଲେ। ସେ କହିଥିଲେ, ମୋ ମା’ ଗାଁରେ ରୁହନ୍ତି। ସାମାଜିକ ଗଣମାଧ୍ୟମ କିମ୍ବା ଅନଲାଇନ୍ ପୋଷ୍ଟ ବିଷୟରେ ସେ କିଛି ଜାଣି ନାହାନ୍ତି। ସବୁବେଳେ ହୃଦୟର କଥା କୁହନ୍ତି। ଅନ୍ୟ ଦେଶର ଖେଳାଳି ଓ ତାଙ୍କ ପରିବାର ପ୍ରତି ମା’ଙ୍କର ଯଥେଷ୍ଟ ସମ୍ମାନ ରହିଛି।
ନୀରଜ ଏହି ଅବସରରେ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସର କୌଣସି ସଂସ୍କରଣରେ ଗୋଟିଏ ଖେଳ (ସୁଟିଂ)ରୁ ଦୁଇଟି ପଦକ ଜିତିଥିବା ସୁଟର୍ ମନୁ ଭାକର ଏବଂ ଭାରତୀୟ ହକି ଦଳର ପୁରୁଖା ଗୋଲ୍ରକ୍ଷକ ପିଆର୍ ଶ୍ରୀଜେଶଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ମନୁ ଆଗକୁ ଦେଶ ପାଇଁ ଆହୁରି ଅନେକ ପଦକ ଜିତିବେ ବୋଲି ଆଶା ପ୍ରକାଶ କରିଥିଲେ। ଶ୍ରୀଜେଶଙ୍କ ରୋଚକ ବ୍ୟକ୍ତିତ୍ବ ତାଙ୍କ ବେଶ୍ ପ୍ରଭାବିତ ନୀରଜ କହିଥିଲେ, ‘‘ଶ୍ରୀଜେଶ ଭାଇ ଜଣେ ହସଖୁସିଆ ଓ କୌତୁକିଆ ମିଜାଜର ମଣିଷ। ଯୁବ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ସେ ସବୁବେଳେ ଚେଷ୍ଟା କରନ୍ତି। ଅଲିମ୍ପିକ୍ସ ପରେ ଅବସର ନେବେ ବୋଲି ସେ ଘୋଷଣା କରିଥିଲେ। ଏଣୁ ଅନ୍ୟ ଖେଳାଳିମାନେ ତାଙ୍କ ପାଇଁ ଅଲିମ୍ପିକ୍ସ ପଦକ ଜିତିବାକୁ ନିଜର ଲକ୍ଷ୍ୟ କରି ନେଇଥିଲେ। ଚାପକୁ ପ୍ରତିହତ କରିବାରେ ଶ୍ରୀଜେଶ ସମସ୍ତଙ୍କ ପାଇଁ ପ୍ରେରଣା। ଦୀର୍ଘ ଅଭିଜ୍ଞତା ଥିବାରୁ; ଏଭଳି ପରିସ୍ଥିତିକୁ କିଭଳି ସମ୍ମୁଖୀନ କରାଯାଏ, ସେ କଳା ତାଙ୍କ ପାଖରେ ଭରି ରହିଛି। କାଂସ୍ୟ ପଦକ ମ୍ୟାଚ୍ ପୂର୍ବରୁ ମୁଁ ତାଙ୍କୁ ଭେଟିଥିଲି। ସେତେବେଳେ ତାଙ୍କ ହାବଭାବରୁ ସେହି ଆତ୍ମବିଶ୍ବାସର ଝଲକ ସ୍ପଷ୍ଟ ବାରି ହେଉଥିଲା’’।
ସୁନା ଜିତି ନଥିବାରୁ କ୍ଷମା ମାଗିଲେ
ଟୋକିଓରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ୟାରିସ୍ରେ ସେ ଏହି ସଫଳତା ଦୋହରାଇବେ ବୋଲି ଭାରତବାସୀ ଆଶା ରଖିଥିଲେ। ହେଲେ ଏହା କରିବାରେ ସଫଳ ହୋଇ ନଥିଲେ ନୀରଜ। ଏଣୁ ଭିଡିଓ ବାର୍ତ୍ତା ଦେଇ ଦେଶବାସୀଙ୍କଠାରୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, କହିବାକୁ ବିଶେଷ କିଛି ନାହିଁ। ତଥାପି ଅପାଣମାନଙ୍କୁ ଦେଖାଇବାକୁ ମୁଁ କିଛି ତ ଆଣିଛି। କ୍ଷମା କରିବେ, ଗତଥର ଭଳି ଏଥର ଆମ ଜାତୀୟ ସଂଗୀତ ଗାନ ହେଲାନି। ମୁଁ ଯାହା ଭାବିଥିଲି, ତାହା ଘଟିଲାନି। ତଥାପି ପଦକ ତ ପଦକ ନା। ମୁଁ ଏଥିଲାଗି କଠିନ ପରିଶ୍ରମ କରିଛି। ଦେଶ ପାଇଁ ପଦକ ଜିତିବା ଏବଂ ତ୍ରିରଙ୍ଗା ଧରି ଟ୍ରାକ୍ରେ ବୁଲିବାର ଖୁସିକୁ ଶବ୍ଦରେ ବର୍ଣ୍ଣନା କରିହେବନି।
ଲଢ଼ୁଆ ପ୍ରବୃତ୍ତିକୁ ବିନ୍ଦ୍ରାଙ୍କ ପ୍ରଶଂସା
ପ୍ୟାରିସ୍ରେ ଭାରତ ମାତ୍ର ୬ ପଦକ ଜିତିଛି। ହେଲେ ୮ଜଣ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାତଛଡ଼ା କରିଛନ୍ତି। ବହୁ ଖେଳରେ ଆମ ଖେଳାଳିମାନେ ସଫଳତାର ନୂଆ ସ୍ତର ଛୁଇଁଛନ୍ତି। ଇତିହାସ ରଚିଛନ୍ତି। କହିବାକୁ ଗଲେ ଭାରତୀୟ ଖେଳାଳିଙ୍କ ସ୍ତର ଓ ଲଢ଼ୁଆ ପ୍ରବୃତ୍ତି ସମସ୍ତଙ୍କ ମନକୁ ଛୁଇଁ ଯାଇଛି। ବେଜିଂ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ମଧ୍ୟ ଭାରତୀୟ ଖେଳାଳିଙ୍କ କେବେବି ହାର ନମାନିବାର ଭାବନାକୁ ସଲାମ କରିଛନ୍ତି। ଭାରତୀୟ ଖେଳାଳିଙ୍କୁ ମନ ଖୋଲା ପ୍ରଶଂସା କରିଛନ୍ତି। ମୁଁ ଭାବୁଛି ଏହା ଏକ ଚମତ୍କାର ପ୍ରଦର୍ଶନ ଥିଲା। ଆମର ସବୁ ଆଥଲେଟ୍ ଉଚ୍ଚସ୍ତରୀୟ ପ୍ରଦର୍ଶନ ଦେଇଛନ୍ତି। ଆମ ପାଖରେ ଦେଖାଇବାକୁ ୬ ପଦକ ଅଛି। ହେଲେ ଆପଣମାନେ ଯଦି ପ୍ରଦର୍ଶର ସ୍ତରକୁ ଦେଖିବେ, ଜାଣିପାରିବେ ଯେ ଆମ ଖେଳାଳିମାନେ ଆଗରୁ କେବେବି ଏଭଳି ଲଢ଼େଇ ଲଢ଼ି ନଥିଲେ। କୌଣସି ଗୋଟିଏ ନୁହେଁ ସବୁ ଖେଳରେ ଆମ ଖେଳାଳିମାନେ ଲଢ଼ୁଆ ପ୍ରଦର୍ଶନ ଦେଇଛନ୍ତି। ରିଓ ଓ ଟୋକିଓରେ ପଦକ ଶୂନ୍ୟ ରହିବା ପରେ ପ୍ୟାରିସ୍ରେ ସୁଟିଂରୁ ତିନିଟି ପଦକ ଆସିବା ବ୍ୟକ୍ତିଗତ ଭାବେ ମୋତେ ବହୁତ ଖୁସି ଦେଇଛି।