ବିଶ୍ବ ଦୌଡ଼କୁଦ ଫାଇନାଲରେ ନୀରଜ, ରୋହିତ, ପଲ୍‌

ଲିଲେସ, ଜାକସନ୍‌ ଜିତିଲେ ୨୦୦ ମିଟର ସ୍ବର୍ଣ୍ଣ

ୟୁଜେନ : ଅଲିମ୍ପିକ୍‌ ବିଜେତା ନୀରଜ ଚୋପ୍ରା ବିଶ୍ବ ପ୍ରତିଯୋଗିତାରେ ପ୍ରଥମ ଥର ଫାଇନାଲ୍‌ସରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେ ନିଜର ପ୍ରଥମ ପ୍ରୟାସରେ ୮୮.୩୯ ମିଟର ଜାଭ୍‌ଲିନ୍‌ ଫିଙ୍ଗି ଏହି ସ୍ଥାନ ନିଶ୍ଚିତ କରିଥିଲେ। ତାଙ୍କ ସହ ଆଉ ଜଣେ ଭାରତୀୟ ଜାଭଲିନ୍‌ ଫିଙ୍ଗାଳି ରୋହିତ ଯାଦବ ଏବଂ ଟ୍ରିପଲ ଜମ୍ପର ଈଧୋସ ପଲ୍‌ ପଦକ ରାଉଣ୍ଡରେ ପହଞ୍ଚିଛନ୍ତି। ଫଳରେ ଶୁକ୍ରବାର ଭାରତ ପାଇଁ ଐତିହାସିକ ଦିନ ହୋଇଛି।

ପ୍ରମୁଖ ପଦକ ଦାବିଦାର ୨୪ ବର୍ଷୀୟ ଭାରତୀୟ ସୁପରଷ୍ଟାର ନୀରଜ ଗ୍ରୁପ୍‌-ଏ’ ଯୋଗ୍ୟତା ପର୍ଯ୍ୟାୟରେ ନିଜ ଜୀବନର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ୮୮.୩୯ ମିଟର ଫିଙ୍ଗି ପଦକ ଦୌଡ଼ରେ ସାମିଲ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ମୋଟ ଉପରେ ଦ୍ବିତୀୟରେ ରହିଥିଲେ। ଶୀର୍ଷରେ ଗ୍ରୁପ୍‌-ବିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତା ଗ୍ରେନେଡ଼ାର ଆଣ୍ଡରସନ ପିଟର୍ସ (୮୯.୯୧) ରହିଥିଲେ। ନୀରଜ ପ୍ରଥମ ପ୍ରୟାସରେ ଯୋଗ୍ୟତା ମାନଦଣ୍ଡ ଛୁଇଁ ଦେଇଥିବାରୁ ତାଙ୍କୁ ପରବର୍ତୀ ଦୁଇଟି ଥ୍ରୋ କରିବାକୁ ପଡ଼ିନଥିଲା। ହେଲେ ତାଙ୍କ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ୩ଟି ଯାକ ଥ୍ରୋ କରିବାକୁ ପଡ଼ିଥିଲା। ଗ୍ରୁପ୍‌-ବି’ରେ ଥିବା ରୋହିତ ୮୦.୪୨ ମିଟର ଜାଭଲିନ୍‌ ଫିଙ୍ଗି ଷଷ୍ଠ ଏବଂ ମୋଟ ଉପରେ ଏକାଦଶ ସ୍ଥାନରେ ରହି ନୀରଜଙ୍କ ସହ ଫାଇନାଲ୍‌ରେ ପହଞ୍ଚି ଦେଶ ପାଇଁ ଗୌରବ ଆଣିଥିଲେ। ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାର ରୌପ୍ୟ ବିଜେତା ୨୧ ବର୍ଷୀୟ ରୋହିତଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ୮୨.୮୫ ରହିଛି। ସେ ଏଠାରେ ପ୍ରଥମ ପ୍ରୟାସରେ ୮୦.୪୨ ମାର୍କ ଛୁଇଁଥିଲା ବେଳେ ଦ୍ବିତୀୟ ଫାଉଲ ଏବଂ ଶେଷ ପ୍ରୟାସରେ ୭୭.୩୨ ମିଟର ଫିଙ୍ଗିଥିଲେ। ରବିବାର ଭାରତୀୟ ସମୟ ପୂର୍ବାହ୍ଣ ୭.୦୫ରେ ଫାଇନାଲ୍‌ ଅନୁଷ୍ଠିତ ହେବ। ନୀରଜଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ୮୯.୯୪ ରହିଛି। ୨୦୧୭ ବିଶ୍ବ ପ୍ରତିଯୋଗିତାରେ ନୀରଜ ‌ଅଂଶଗ୍ରହଣ କରିଥିଲେ ମଧ୍ୟ ୮୨.୨୬ ମିଟର ଫିଙ୍ଗି ଯୋଗ୍ୟତା ମାନଦଣ୍ଡ ୮୩ ମିଟର ଛୁଇଁବାରେ ବିଫଳ ହୋଇ ଫାଇନାଲ୍‌ସରୁ ବଞ୍ଚିତ ହୋଇଥିଲେ। ୨୦୧୯ରେ ସେ କହୁଣୀ ଅସ୍ତ୍ରୋପଚାର ‌ଯୋଗୁଁ ଭାଗ ନେଇପାରିନଥିଲେ। ଅଲିମ୍ପିକ୍‌ରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିଥିବାରୁ ଭାରତବାସୀ ତାଙ୍କଠୁ ଏଥର ବିଶ୍ବ ପ୍ରତିଯୋଗିତାରେ ପଦକ ଆଶା ରଖିଛନ୍ତି।

ଶୁକ୍ରବାର ପଲ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଫାଇନାଲ୍‌ ପହଞ୍ଚି ପ୍ରଥମ ଭାରତୀୟ ଟ୍ରିପଲ୍‌ ଜମ୍ପର ହେବାର ଗୌରବ ଅର୍ଜନ କରିଥିଲେ। ଗ୍ରୁପ୍‌-ଏ’ରେ ପଲ୍‌ ୧୬.୬୮ ମିଟର ଡେଇଁ ଷଷ୍ଠ ଏବଂ ମୋଟ ଉପରେ ଦ୍ବାଦଶ ସ୍ଥାନରେ ରହି ପଦକ ଦୌଡ଼ରେ ନିଜକୁ ସାମିଲ କରିଥିଲେ। ଫାଇନାଲ୍‌ ରବିବାର ଭାରତୀୟ ସମୟ ପୂର୍ବାହ୍ଣ ୬.୫୦ରେ ଅନୁଷ୍ଠିତ ହେବ। ଭିସା ଜନିତ କାରଣରୁ ୨୫ ବର୍ଷୀୟ ପଲ୍‌ କିଛି ଦିନ ତଳେ ଏଠାରେ ପହଞ୍ଚିଥିଲେ। ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ୧୬.୯୯ ରହିଛି। ସେ ଗତ ‌ଏପ୍ରିଲ୍‌ରେ ଅନୁଷ୍ଠିତ ଫେଡେରେସନ୍ କପ୍‌ରେ ଏହି ମାର୍କ ଛୁଇଁବା ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟ ଦୁଇ ଭାରତୀୟ ପ୍ରବୀଣ ଚିତ୍ରାଭେଲ ଓ ଅବ୍‌ଦୁଲା ଆବୁବାକର ନିଜ ନିଜର ଶ୍ରେ‌ଷ୍ଠଠୁ ଖରାପ ପ୍ରଦର୍ଶନ କରି ଫାଇନାଲ୍‌ସରୁ ବଞ୍ଚିତ ହୋଇଥିଲେ। ପ୍ରବୀଣ ୧୬.୪୯ ମିଟର ଏବଂ ଆବୁବାକର ୧୬.୪୫ ମିଟର ଡେଇଁ ଥିଲେ। ଗ୍ରୁପ୍‌-ଏ’ରେ ପବୀଣ ଅଷ୍ଟମ ଏବଂ ମୋଟରେ ସପ୍ତଦଶ ସ୍ଥାନରେ ରହିଥିଲେ। ସେହିଭଳି ଆବୁବାକର ଗ୍ରୁପ୍‌-ବି’ରେ ଦଶମ ଏବଂ ମୋଟରେ ୧୯ତମ ସ୍ଥାନରେ ରହିଥିଲେ। ନିୟମ ଅନୁଯାୟୀ ୧୭.୦୫ ମିଟର କିମ୍ବା ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ୧୨ ମଧ୍ୟରେ ରହିଲେ ଫାଇନାଲ୍‌ରେ ପହଞ୍ଚିପାରିବ।

ଲିଲେସ, ଜାକସନ୍‌ ଜିତିଲେ ୨୦୦ ମିଟର ସ୍ବର୍ଣ୍ଣ
ଉଗେନ : ଆମେରିକାର ନୋହ ଲିଲେସ ଓ ଜାମାଇକାର ସେରିକା ଜାକସନ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଯଥାକ୍ରମେ ପୁରୁଷ ଓ ମହିଳା ୨୦୦ ମିଟର ଦୌଡ଼ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଶୁକ୍ରବାର ପୁରୁଷ ଫାଇନାଲ୍‌ସରେ ଟୋକିଓ କାଂସ୍ୟ ବିଜେତା ଲିଲେସ ୧୯.୩୧ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରିବା ସହ ନିଜର ମୁକୁଟ ବଜାୟ ରଖିବାକୁ ସକ୍ଷମ ହୋଇଥିଲେ। ଲିଲେସଙ୍କ ସାଥୀ କେନି ବେଡନାରେକ (୧୯.୭୭) ରୌପ୍ୟ ଏବଂ ୧୮ ବର୍ଷୀୟ ଏରିୟନ ନାଇଟନ (୧୯.୮୦) କାଂସ୍ୟ ଜିତି ଆମେରିକା ପାଇଁ ସବୁ ପଦକ ପୋଛି ନେଇଥିଲେ। ପୂର୍ବରୁ ୧୦୦ ମିଟରରେ ଫ୍ରେଡ୍‌ କେର୍ଲି, ମାର୍ଭିନ ବ୍ରାସି ଓ ଟ୍ରାଭନ ବ୍ରୋମେଲ ଆମେରିକା ପାଇଁ ସବୁ ପଦକ ପୋଛି ନେଇଥିଲେ। ୨ ଥର ପୁରୁଷ ସ୍ପ୍ରିଣ୍ଟ୍‌ରେ ସବୁ ପଦକ ପୋଛିନେବା ଆମେରିକା ଇତିହାସରେ ଏହା ପ୍ରଥମ।

ଅନ୍ୟପକ୍ଷରେ ମହିଳା ୨୦୦ ମିଟର ରେସ୍‌କୁ ଜାକସନ ୨୧.୪୫ ସେକେଣ୍ଡରେ ଶେଷ କରି ନୂଆ ବିଶ୍ବ ପ୍ରତିଯୋଗିତା କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ସାଥୀ ଜାମାଇକାର ‌ସେଲି-ଆନ୍‌ ଫ୍ରେଜର-ପ୍ରାଇସ (୨୧.୮୧) ରୌପ୍ୟ ଜିତିଥିଲେ। ଫ୍ରେଜର-ପ୍ରାଇସ ୧୦୦ ମିଟରେ ସ୍ବର୍ଣ୍ଣ ଏବଂ ଜାକସନ ରୌପ୍ୟ ଜିତିଥିଲେ। ପୂର୍ବ ବିଜୟିନୀ ବ୍ରିଟେନ୍‌ର ଡିନା ଆସର-ସ୍ମିଥ (୨୨.୦୨) କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର