ନୂଆଦିଲ୍ଲୀ: ଓଡ଼ିଆ ଜାଭଲିନ୍‌ ଫିଙ୍ଗାଳି କି‌ଶୋର କୁମାର ଜେନାଙ୍କ ଭିସା ବା‌ତିଲ ଘଟଣାରେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ଅଲମ୍ପିକ୍‌ ପଦକ ବିଜେତା ନୀରଜ ଚୋପ୍ରା। ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍‌ସିପ୍‌ ପାଇଁ କିଶୋରଙ୍କ ଭିସାକୁ ହଙ୍ଗେରୀ ଦୂତାବାସ ଖାରଜ କରିଦେଇଥିଲା। ଆସନ୍ତା ୨୦ ତାରିଖରେ ‌କିଶୋରଙ୍କ ହଙ୍ଗେରୀ ଭିସା ଅବଧି ଶେଷ ହୋଇଯାଉଛି। ତେଣୁ ଭାରତୀୟ ଦଳ ଯଦି ହଙ୍ଗେରୀ ଯିବ ତାହେଲେ କିଶୋରଙ୍କ ବିନା ଯିବା ପଡ଼ିବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଏ ସଂକ୍ରାନ୍ତରେ ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ପକ୍ଷରୁ ହଙ୍ଗେରି ଦୂତାବାସକୁ ନୂଆ ଭିସା ଦେବା ପାଇଁ ଅନୁରୋଧ କରାଯାଇଥିଲା। ଘଟଣା ସଂପର୍କରେ ନୀରଜ ମଧ୍ୟ ଜାଣିବା ପରେ ଏହି ବିଷୟକୁ ‌ସାମାଜିକ ଗଣମାଧ୍ୟମକୁ ନେଇଥିଲେ। କିଶୋରଙ୍କ ଖେଳଜୀବନର ଏହା ଏକ ବଡ଼ ସମୟ ହେବାକୁ ଯାଉଥିବାରୁ ତାଙ୍କୁ ଭିସା ମିଳିବା ଦିଗରେ ଯଥା ସମ୍ଭବ ଉଦ୍ୟମ କରିବାକୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ନୀରଜ ଅନୁରୋଧ କରିଥିଲେ। ଏସବୁ ପରେ ହଙ୍ଗେରୀ ଦୂତାବାସ ପକ୍ଷରୁ କିଶୋରଙ୍କ ସହିତ ଶୁକ୍ରବାର ଦିନ ୯ଟାରେ ସାକ୍ଷତକାର ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ଏଏଫ୍‌ଆଇ ଜଣାଇଛି।

Advertisment

ଯାହାଫଳରେ କିଶୋରଙ୍କୁ ନୂଆ ଭିସା ମିଳିବା ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, କିଶୋର ଗତ ମାସରେ ଶ୍ରୀଲଙ୍କାରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ (୮୪.୩୮ ମିଟର) ଦେଇଥିଲେ ଏବଂ ବିଶ୍ବ ମାନ୍ୟତା କୋଟାରେ ବୁଦାପେଷ୍ଟ ଯୋଗ୍ୟତା ଅର୍ଜନ କରିଥିଲେ। ବିଶ୍ବ ଚାମ୍ପିଅନ୍‌ସିପ୍‌କୁ ନୀରଜ ଓ କିଶୋରଙ୍କ ବ୍ୟତୀତ ଡିପି ମନୁ ଓ ରୋହିତ ଯାଦବ ଜାଭଲିନ୍‌ରେ ଭାରତକୁ ପ୍ରତିନିଧିତ୍ବ କରିବେ।