ନୀରଜଙ୍କ ସଫଳତାର‌ ନେପଥ୍ୟ ଯୋଡ଼ି

ନୀରଜଙ୍କୁ ଜ୍ବର, ପୁରସ୍କାର ଉତ୍ସବକୁ ଆସିଲେନି

ଚେନ୍ନାଇ: ବିନ୍ଦୁଏ ବିନ୍ଦୁଏ ପାଣିରୁ ସିନ୍ଧୁ ହେବା ଭଳି ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ସଫଳତା ପଛରେ ବି ଅନେକଙ୍କ ଅବଦାନ ରହିଛି। ତେବେ ତି‌ନି ଅବଶ୍ୟମ୍ଭାବିଙ୍କ ଅପୂର୍ବ ସଂଯୋଗରୁ ଯେ ଏହି ବିରଳ ସଫଳତା ମିଳିଛି ଏହା ଖୁବ୍ କମ୍‌ ଲୋକଙ୍କୁ ଜଣା। ଭାରତୀୟ କ୍ରୀଡ଼ାରେ ସ୍ବର୍ଣ୍ଣିମ ସଫଳତା ଯୋଡ଼ିଥିବା ନୀରଜ ନିଶ୍ଚିତ ମୁଖ୍ୟ ନାୟକ, କିନ୍ତୁ ଅନ୍ୟ ଦୁଇ ଜଣଙ୍କ ଭୂମିକା ମଧ୍ୟ ସଫଳତାର ଆଭ୍ୟନ୍ତରୀଣ ଅଙ୍ଗ ଥିଲା। ସେହି ଦୁଇ ଜଣ ହେଲେ ପ୍ରଶିକ୍ଷକ କ୍ଲସ୍‌ ବାର୍ଟୋନିଜ୍‌ ଓ ଫିଜିଓ ଈଶାନ ମାରୱା। ବିଗତ କିଛି ବର୍ଷ ହେବ ନୀରଜଙ୍କ ଦକ୍ଷତାକୁ ଶାଣିତ ଏବଂ ପ୍ରଷ୍ଫୁଟିତ କରିବାରେ ଏହି ଯୋଡ଼ିଙ୍କ ଅବଦାନ ସ୍ବୀକାର୍ଯ୍ୟ। କ୍ଲସ୍‌ ବାର୍ଟୋ‌ନିଜ୍‌ ହେଉଛନ୍ତି ଜଣେ ଜର୍ମାନ ବାୟୋ ମେକାନିକ୍ସ ସ୍ପେଶାଲିଷ୍ଟ୍‌ ଯିଏ ନୀରଜଙ୍କ ଟେକ୍‌ନିକ୍‌କୁ ସଂଶୋଧିତ କରିଥିଲେ। ସେହିଭଳି ପୂର୍ବରୁ ଭାରତୀୟ ପୁରୁଷ କୁସ୍ତି ଦଳ ସହ ଥିବା ଫିଜିଓ ଈଶାନଙ୍କ ଭୂମିକା ମଧ୍ୟ କିଛି କମ୍ ନ ଥିଲା। ନୀରଜଙ୍କୁ ଆହତମୁକ୍ତ ରଖିବାରେ ଈଶାନ ମୁଖ୍ୟ ଭୂମିକା ତୁଲାଇଥିଲେ। ଈଶାନ ଏବେ ସେହି ସ୍ମରଣୀୟ ମୁହୂର୍ତକୁ ସ୍ମରଣ କରିଛନ୍ତି। ବିଶେଷ କରି ଯୋଗ୍ୟତା ଅର୍ଜନ ପୂର୍ବରୁ କିଭଳି ଶାନ୍ତିରେ‌ କେହି ଶୋଇ ପାରୁନଥିଲେ ସେ ସ୍ବୀକାର କରିଛନ୍ତି। ‘ଫାଇନାଲ୍ ମ୍ୟାଚ୍‌ ପୂର୍ବରୁ ଆମେ ଯୋଗ୍ୟତା ପର୍ଯ୍ୟାୟ ବେଳେ ଅଧିକ ଉତ୍ତେଜକ ସମୟ କାଟିଥିଲୁ। ଆମେ ଟୋକିଓ ପହଞ୍ଚିବାର କିଛି ଦିନ ପରେ ଯୋଗ୍ୟତା ପର୍ଯ୍ୟାୟ ଥିଲା।

ପରିସ୍ଥିତି ସହ ଖାପ ଖୁଆଇ ନେଇଥିଲୁ। ତେବେ ପ୍ରଥମ ‌ଥ୍ରୋ ପରେ ଆମେ ହାଲକା ହୋଇଯାଇଥିଲୁ। ସେହି ଦୃଷ୍ଟିରୁ ଫାଇନାଲ୍ ପୂର୍ବରୁ ହାଲକାରେ ଥିଲୁ’‌ ବୋଲି ଈଶାନ୍ ପ୍ରକାଶ କରିଛନ୍ତି। ନୀରଜଙ୍କ ସରଳତା ଓ ସଙ୍କଳ୍ପବଦ୍ଧତାରେ ପ୍ରଭାବିତ ଈଶାନ କହିଛନ୍ତି ‘କୋଚ୍‌ ଯିବା ପରେ ଆମେ ଦୁହେଁ ଶୋଇବାକୁ ଯିବା ପୂର୍ବରୁ କିଛି ବଲିଉଡ୍‌ ସଂଗୀତ ଶୁଣିଥିଲୁ’ ବୋଲି କହିଛନ୍ତି ୩୩ ବ‌ର୍ଷୀୟ ଏହି ଜେଏସ୍‌ଡବୁଲ୍ୟ ସ୍ପୋର୍ଟସ ଫିଜିଓ। ନୀରଜଙ୍କ ରିହାବ (ପୁନଃଥଇଥାନ) ବ୍ୟାୟାମକୁ ସେ ଗମ୍ଭୀରତାର ସହ ନେଉଥିବାରୁ ସହଜରେ ସେ ସବୁକିଛି କରିପାରନ୍ତି। ରିହାବ ବ୍ୟାୟାମ ସାଧାରଣତଃ ବିରକ୍ତିକର। ନୀରଜ କିନ୍ତୁ ଏହାକୁ ସହଜ କରିଦିଅନ୍ତି। ତାଙ୍କୁ ଏଥିପାଇଁ ଠେଲିବାକୁ ପଡ଼ିନଥାଏ’ ବୋଲି ଈଶାନ ପ୍ରକାଶ କରିଥିଲେ। ଜାଭଲିନ୍ ଥ୍ରୋ ଭଳି ଏକ ଟେକନିକାଲ୍ ସ୍ପୋର୍ଟରେ ଫିଜିଓ ଭୂମିକା ତୁଲାଇବା ଆହ୍ବାନଭରା। ଶକ୍ତିର ସାମର୍ଥ୍ୟ ସହିତ ନମନୀୟତାର ଆବଶ୍ୟକତା ଥାଏ। ଶକ୍ତି ବଢ଼ାଇବା ବେଳେ କିଭଳି ନମନୀୟତାରେ ସାଲିସ କରାନଯିବ ଦେଖିବାକୁ ପଡ଼ିଥା‌ଏ। ଆହତ ସମସ୍ୟା ଏଡ଼ାଇବା ଲାଗି କାନ୍ଧରେ ନମନୀୟତାର ଆବଶ୍ୟକତା ପଡ଼ିଥାଏ। ନୀରଜଙ୍କ କହୁଣୀରେ କିଛି ସମସ୍ୟା ଥିଲା, ତାହାକୁ ସଂଶୋଧନ କରାଯାଇଥିଲା। ଦୌଡ଼ି ଦୌଡ଼ି ଆସିବା ବେଳେ ୬୦ ପ୍ରତିଶତ ଶକ୍ତି ପାଦରୁ ସୃଷ୍ଟି ହୋଇଥାଏ।

ଏହା ପରେ ହିପ୍‌ (ଖଞ୍ଜା) ଉପରେ ମଧ୍ୟ କାମ କରିବାକୁ ପଡ଼ିଥିଲା। ଜାଭଲିନ୍‌ ଏଭଳି ଏକ ଖେଳ ଯେ ସବୁବେଳେ ଆମେ ତିନିଜଣ ବ୍ୟସ୍ତ ରହିବାକୁ ପଡୁନଥିଲା। ତେଣୁ ମସ୍ତି କରିବା ଆମ ରୁଟିନ୍‌ର ଅନ୍ୟତମ ଅଂଶ ଥିଲା। ଏପରିକି ପ୍ରଶିକ୍ଷକ (କ୍ଲସ୍‌) ମଧ୍ୟ ଭାରି ମଜାଳିଆ ଚରିତ୍ରର, ଦଳ ଭିତରେ ଆମର ଭାରି ବଂଧୁତ୍ବ ଭାବର ପରିବେଶ ରହୁଥିଲା। ଥଟ୍ଟା ପରିହାସକୁ ସେ ଗମ୍ଭୀରତାର ସହ ନିଅନ୍ତି ନାହିଁ। ଆମେ ମଧ୍ୟ ତାଙ୍କୁ କିଛି ହିନ୍ଦୀ ଶବ୍ଦ ଶିଖାଇ ଦେଇଥିଲୁ। କୌଣସି ଥ୍ରୋଇଂ ସେସନ୍ ଭଲ ବିତୁନଥିଲେ, ପରବର୍ତୀ ଥର ଉପରେ ନଜର ନିବଦ୍ଧ କରି ନେଉଥିଲୁ। ଅନାବଶ୍ୟକ ଚାପ ନ ବଢ଼ାଇ ଆମେ ସଭିଏଁ ପ୍ରତିଟି ମୁହୂର୍ତକୁ ଉପଭୋଗ କରୁଥିଲୁ‘ ବୋଲି ନିରଜ ପ୍ରକାଶ କରିଥିଲେ।

ନୀରଜଙ୍କୁ ଜ୍ବର, ପୁରସ୍କାର ଉତ୍ସବକୁ ଆସିଲେନି
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଜାଭଲିନ୍‌ ଥ୍ରୋ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ଜ୍ବର ହୋଇଛି। ଏହି କାରଣରୁ ସେ ହରିୟାଣା ସରକାରଙ୍କ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବରେ ଯୋଗ ଦେଇପାରିନଥିଲେ। ତେବେ‌ ସେ ନିଜ ଘରୁ (ପାନିପତ୍‌ର ଖାଣ୍ଡ୍ରା)ଅନ୍‌ଲାଇନ୍‌ ଜରିଆରେ ଯୋଗଦେଇ ଖେଳାଳିମାନଙ୍କୁ ସମର୍ଥନ ଲାଗି ସରକାରଙ୍କୁ ନିବେଦନ କରିଥିଲେ। କାଂସ୍ୟ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଉତ୍ସବରେ ଅନ୍ୟତମ ଆକର୍ଷଣ ସାଜିଥିଲେ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ତାଙ୍କ ସାନ ଭାଇଙ୍କ ଦେହାନ୍ତ କାରଣରୁ ଉତ୍ସବକୁ ଆସିପାରିନଥିଲେ। ଭାରତୀୟ ମହିଳା ହକି ଦଳ ଅଧିନାୟିକା ରାଣୀ ରାମପଲ୍, କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ସରକାରଙ୍କ ପକ୍ଷରୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ବିବାଦରେ ପଡ଼ିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଆସିନଥିଲେ। ଟେନିସ ତାରକା ସୁମିତ ନଗଲ, ବଂଧୁକଚାଳିକା ମନୁ ଭାକର, ମୁଷ୍ଟିଯୋଦ୍ଧା ଅମିତ ପଙ୍ଗଲ, ବିକାଶ କୃଷ୍ଣନ, ଡିସକସ୍‌ ଫିଙ୍ଗାଳି ସୀମା ପୁନିଆ ଆଶା ମୁତାବକ ପ୍ରଦର୍ଶନ କରିପାରିନଥିବାରୁ ମଧ୍ୟ ଆସିନଥିଲେ। ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ରାଜ୍ୟର ଅଧିକାଂଶ ଖେଳାଳି ଆସିନଥିବାରୁ ସେମାନଙ୍କ ଘରେ ପୁରସ୍କାର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର