ଶାସ୍ତ୍ରୀ-କୋହଲି ଯୋଡ଼ିଙ୍କ ସଫଳତା ରହସ୍ୟ କହିଲେ ନେହେରା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିଭିନ୍ନ ସମୟରେ ପରସ୍ପରକୁ ଦୃଢ଼ ସମର୍ଥନ କରି ଆସିଥାନ୍ତି। ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ପରସ୍ପରକୁ ଖୋଲା ପ୍ରଶଂସା କରିଥାନ୍ତି। ଗତବର୍ଷ ଭାରତ ବିଶ୍ବକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ୍ ନିକଟରୁ ହାରିଯିବା ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲା। ବିସିସିଆଇ ନୂଆ ପ୍ରଶିକ୍ଷକ ସଂଧାନରେ ରହିଥିଲେ ମଧ୍ୟ କୋହଲିଙ୍କ ସମର୍ଥନ କାରଣରୁ କିଛି ସପ୍ତାହ ପରେ ସେ ପୁନଃ ନିଯୁକ୍ତି ପାଇଥିଲେ। ଉଭୟଙ୍କ ମଧ୍ୟରେ ଥିବା ଦୃଢ଼ ସମ୍ପର୍କ ଭାରତୀୟ କ୍ରିକେଟ୍‌କୁ ମଧ୍ୟ କିଛି ଅପୂର୍ବ ସଫଳତା ଦେଇଛି। ୨୦୧୮-୧୯ରେ ଭାରତୀୟ ଦଳ ପ୍ରଥମ ଥର ଅଷ୍ଟ୍ରେଲିଆରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା।

କୋହଲିଙ୍କ ଦଳ ମଧ୍ୟ ଆଇସିସି ଟେଷ୍ଟ୍ ମାନ୍ୟତାରେ ପୁଣି ଥରେ ଶୀର୍ଷକୁ ଉଠିଥିଲା। ଚଳିତ ଆଇସିସି ଟେଷ୍ଟ୍ ଚାମ୍ପିୟନସିପ୍‌ରେ ମଧ୍ୟ ଭାରତ ଏବେ ଶୀର୍ଷରେ ରହିଛି। ଉଭୟଙ୍କ ସମ୍ପର୍କକୁ ପ୍ରଶଂସା କରି ଏହି ଯୋଡ଼ିଠାରୁ କାହିଁକି ସଫଳତା ମିଳିଛି ବୋଲି ଏହାର ରହସ୍ୟ ଦର୍ଶାଇଛନ୍ତି ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରା। ‘ବିରାଟ କୋହଲିଙ୍କ ଆବଶ୍ୟକତାକୁ ରବି ଶାସ୍ତ୍ରୀ ମୁକ୍ତରେ ଦିଅନ୍ତି, କୋହଲିଙ୍କୁ ମଧ୍ୟ ଭଲ ଭାବେ ଜଣା ରବି ଶାସ୍ତ୍ରୀ କିଭଳି ଲୋକ ଏବଂ ତାଙ୍କଠାରୁ କ’ଣ ଓ କିଭଳି ଆଦାୟ କରିହେବ। ଶାସ୍ତ୍ରୀ ଜଣେ ବଡ଼ ପ୍ରବଚକ। ଏହା ହିଁ ରବି ଭାଇଙ୍କ ଶକ୍ତି ଓ ସାମର୍ଥ୍ୟ। ସେ ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦିଅନ୍ତି। ଆପଣ ଯଦି ବାଲି ଭିତରେ ବେକଯାଏ ପୋତି ହୋଇଯାଇଥିବେ ତଥାପି ସେ କହିବେ ଦୁଇ ହାତରେ ଚେଷ୍ଟା କର ନିଶ୍ଚିତ ବାହାରି ଆସିବ। ବିରାଟ‌ କୋହଲି ମଧ୍ୟ ବଡ଼ ଆତ୍ମବିଶ୍ବାସୀ ଏବଂ ନିଜ ପ୍ରଦର୍ଶନ ଜରିଆରେ ସେ ଦଳକୁ ନେତୃତ୍ବ ଦେଇଥାନ୍ତି। ଉଭୟ ଏକାଭଳିଆ ବ୍ୟକ୍ତି‌ ହୋଇଥିବାରୁ ଦଳକୁ ସଫଳତା ମିଳିଛି। ପ୍ରତିଟି ନିଷ୍ପତ୍ତିରେ ଉଭୟଙ୍କ ୫୦:୫୦ ଭାଗୀଦାରି ଥାଏ ବୋଲି ମଧ୍ୟ ନେହେରା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର