ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହେରା ଅହମଦାବାଦ ଫ୍ରାଞ୍ଚାଇଜ୍ର ଆଗାମୀ ୨୦୨୨ ଆଇପିଏଲ୍ ସଂସ୍କରଣ ପାଇଁ ମୁଖ୍ୟ ପ୍ରଶିକ୍ଷକ ହେବେ। ଏନେଇ ପ୍ରାୟ ବୁଝାମଣା ପତ୍ର ସ୍ବାକ୍ଷର କାର୍ଯ୍ୟ ଶେଷ ହୋଇଛି। ସେହିପରି ପୂର୍ବତନ ଇଂଲଣ୍ଡ ଓପ୍ନର ବିକ୍ରମ ସୋଲାଙ୍କିଙ୍କୁ ଏହି ଫ୍ରାଞ୍ଚାଇଜ୍ ଡାଇରେକ୍ଟର ଅଫ୍ କ୍ରିକେଟ୍ ପଦ ଭେଟି ଦେବ। ବିଶ୍ବକପ୍ ବିଜେତା ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍ ଫ୍ରାଞ୍ଚାଇଜ୍ର ମାର୍ଗଦର୍ଶକ ଭାବେ ନିଯୁକ୍ତ ହେବେ। ଏହି ତିନିଜଣଙ୍କଠୁ ଫ୍ରାଞ୍ଚାଇଜ୍ର ମାଲିକ ସାକ୍ଷାତକାର ନେଇସାରିଛନ୍ତି ଏବଂ ସେମାନଙ୍କୁ କାଣ୍ଟଛାଣ୍ଟ୍ ତାଲିକାରେ ରଖିଛନ୍ତି। ଏନେଇ ଚଳିତ ମାସରେ ବିଦ୍ଧିବଦ୍ଧ ନିଯୁକ୍ତି ପତ୍ର ପାଇବାର ଆଶା ରହିଛି।
ନେହେରା ପୂର୍ବରୁ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲା ବେଳେ କର୍ଷ୍ଟେନ୍ ମଧ୍ୟ ଦୁଇ ସଂସ୍କରଣ ଧରି ସଂପୃକ୍ତ ରହିଥିଲେ। ଏମିତି ସମୟ ଥିଲା ଯେତେବେଳେ ଉଭୟ ନେହେରା ଓ କର୍ଷ୍ଟେନ୍ ଭାରତ ପକ୍ଷରୁ ଉତ୍ତମ ସଂପର୍କ ମଧ୍ୟରେ କାର୍ଯ୍ୟ କରିଥିଲେ। ସେତେବେଳେ ନେହେରା ଜଣେ ଖେଳାଳି ଥିଲା ବେଳେ କର୍ଷ୍ଟେନ୍ ଭାରତୀୟ ଦଳର ପ୍ରଶିକ୍ଷକ ରହିଥିଲେ। ଏବେ ଅହମଦାବାଦ ଫ୍ରାଞ୍ଚାଇଜ୍ ପକ୍ଷରୁ ଆଇପିଏଲ୍ରେ ଦୁହେଁ ରଣକୌଶଳ ତିଆରି କରିବେ। ନେହରା ମଧ୍ୟ ପୂର୍ବରୁ ଆଇପିଏଲ୍ରେ ଜଣେ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିବା ସୋଲାଙ୍କିଙ୍କ ସହ ଭାବ ବିନିମୟ କରିଛନ୍ତି।