ନେମାର ପଡ଼ିଲେ ମାଗଣା ମଦ

ରିଓଡି ଜେନିରୋ: ଚଳିତ ମସ୍କୋ ଫୁଟ୍‌ବଲ୍‌ ବିଶ୍ୱକପ୍‌ରେ ବ୍ରାଜିଲ ତାରକା ନେମାର (ଜୁନିଅର) ଆଶାଜନକ ପ୍ରଦର୍ଶନ କରି ପାରି ନାହାନ୍ତି। ପ୍ରତିପକ୍ଷ ଖେଳାଳିମାନେ ତାଙ୍କୁ ନିୟମିତ ଫାଉଲ୍‌ କରୁଛନ୍ତି। କେତେକ କ୍ଷେତ୍ରରେ ସେ ନିଜେ ମଧ୍ୟ ଜାଣିଶୁଣି ପଡ଼ି ଯାଉଛନ୍ତି। ସେଥିପାଇଁ ରିଓଡି ଜେନିରୋର ଏକ ପବ୍‌ ନିଆରା ଯୋଜନା ଆରମ୍ଭ କରିଛି। ନେମାର ବୁଧବାର ଖେଳା ଯିବାକୁ ଥିବା ସର୍ବିୟା ବିପକ୍ଷ ମ୍ୟାଚ୍‌ରେ ଯେତେଥର ତଳେ ପଡ଼ିବେ ଉତ୍ତର ରିଓରେ ଥିବା ସାର୍‌ ଓ୍ଵାଲଟର ପବ୍‌ ତା’ ଗ୍ରାହକମାନଙ୍କୁ ସେତେଟି ମଦ ଭର୍ତି ଗିଲାସ ମାଗଣାରେ ଦେବ ବୋଲି ଘୋଷଣା କରିଛି। ଏହି ଘୋଷଣା କରି ସଂପୃକ୍ତ କ୍ଲବ୍‌ ନେମାରଙ୍କ ନିରାଶାଜନକ ପ୍ରଦର୍ଶନକୁ ତାଚ୍ଛଲ୍ୟ କରିଛି। ବ୍ରାଜିଲର ପ୍ରଥମ ଦୁଇ ମ୍ୟାଚ୍‌ରେ ନେମାର ବିଶେଷ କିଛି କରି ପାରି ନଥିଲେ। କୋଷ୍ଟାରିକା ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ବକ୍ସ ଭିତରେ ପଡ଼ିଯାଇ ସେ ଏକ ପେନାଲ୍ଟି ଅର୍ଜନ କରିଥିଲେ। ହେଲେ ଭାର୍‌ ଉପଯୋଗ ପରେ ରେଫରି ଏହାକୁ ନାକଚ କରି ଦେଇଥିଲେ। ଷ୍ଟପେଜ୍‌ ଟାଇମ୍‌ର ଶେଷ କ୍ଷଣରେ ଅବଶ୍ୟ ସେ କଷ୍ଟେମଷ୍ଟେ ନିଜ ମସ୍କୋ ବିଶ୍ୱକପ୍‌ରେ ଗୋଲ୍‌ ଖାତା ଖୋଲିଥିଲେ। ତେବେ ପ୍ରତିପକ୍ଷ ଖେଳାଳିମାନେ ମଧ୍ୟ ତାଙ୍କୁ ଲକ୍ଷ୍ୟ କରି ରୀତିମତ ଫାଉଲ୍‌ ମାରୁଛନ୍ତି। ସ୍ୱିଜରଲାଣ୍ଡ ବିପକ୍ଷରେ ତାଙ୍କୁ ୧୦ ଏବଂ କୋଷ୍ଟାରିକା ବିପକ୍ଷରେ ୪ ଫାଉଲ୍‌ ହୋଇଥିଲା।

ସମ୍ବନ୍ଧିତ ଖବର