କ୍ରିକେଟରେ ନେପାଳ ମହିଳା ଦଳର ଅଲୋଡ଼ା ରେକର୍ଡ : ମାତ୍ର ୮ ରନରେ ଅଲଆଉଟ୍, ୮ଟି ବଲ ଖେଳି ଜିତିଗଲା ୟୁଏଇ

ବାଙ୍ଗି (ମାଲେସିଆ)  : କ୍ରିକେଟ ଇତିହାସରେ ଏକ ଅଲୋଡ଼ା ରେକର୍ଡ କରିଛି ନେପାଳର ୧୯ବର୍ଷରୁ କମ ମହିଳା କ୍ରିକେଟ ଦଳ । ୟୁଏଇ ବିପକ୍ଷରେ ଖେଳି ଏହି ଦଳ ମାତ୍ର ୮ ରନରେ ଅଲଆଉଟ ହୋଇଯାଇଛି । ୯ ରନର ଲକ୍ଷ୍ୟକୁ ୟୁଏଇ ଦଳ ମାତ୍ର ୮ ମିନିଟ ଖେଳି ହାସଲ କରିନେଇଥିଲା ।

ମାଲେସିଆର ବାଙ୍ଗିଠାରେ ଆଇସିସି ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ବକପ କ୍ରିକେଟ୍ ଏସିଆ କ୍ବାଲିଫାୟାର ଅନୁଷ୍ଠିତ ହେଉଛି । ଆଜିର ମ୍ୟାଚ ୟୁଏଇ ଓ ନେପାଳ ୧୯-ବର୍ଷରୁ କମ କ୍ରିକେଟ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ନେପାଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଏହି ନିଷ୍ପତ୍ତି ସାଂଘାତିକଭାବେ ଭୁଲ ପ୍ରମାଣିତ ହୋଇଥିଲା । ଦଳ ମାତ୍ର ୮ ରନରେ ଅଲଆଉଟ ହୋଇଯାଇଥିଲା । ଦଳର ୬ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ୟୁଏଇ ପକ୍ଷରୁ ମାହିକା ଗୌର ମାତ୍ର ୨ ରନ ଦେଇ ୫ଟି ଓ୍ବିକେଟ ନେଇଥିଲେ । ସେହିପରି ଆଉ ଜଣେ ବୋଲର ଇନ୍ଦୁଜା ନନ୍ଦକୁମାର ୬ ରନ ଦେଇ ୩ଟି ଓ୍ବିକେଟ୍ ନେଇଥିଲେ । ଆଉ ଜଣେ ବୋଲର ସମୀରା ଧରଣିଧରକା ମାତ୍ର ଗୋଟିଏ ବଲ ଖୋଲି ଗୋଟିଏ ଓ୍ବିକେଟ ନେଇଥିଲେ ।

୯ ରନର ପିଛା କରିବାକୁ ଯାଇ ୟୁଏଇ ଦଳ ମାତ୍ର ୮ଟି ବଲ ଖେଳି ୧୦ ଓ୍ବିକେଟରେ ବିଜୟ ହାସଲ କରିନେଇଥିଲା ।

ଏହି ଟୁର୍ଣ୍ଣାମେଣ୍ଟଟି ନେପାଳ, ଥାଇଲାଣ୍ଡ, ୟୁଏଇ, ଭୁଟାନ ଓ କାତାର ମଧ୍ୟରେ ଖେଳାଯାଉଛି । ଏହି ଦଳମାନଙ୍କ ମଧ୍ୟରୁ ଗୋଟିଏ ଦଳ ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ପ୍ରଥମ ଆଇସିସି ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ବକପ କ୍ରିକେଟରେ ଖେଳିବାକୁ ସୁଯୋଗ ପାଇବ ।

 

 

ସମ୍ବନ୍ଧିତ ଖବର