କାଠମାଣ୍ଡୁ: ନେପାଳର ନାଗରିକ କାମି ରିତା ଶେର୍ପା ଏଭେରେଷ୍ଟ ଆରୋହଣରେ ନୂଆ କୀର୍ତ୍ତିମାନ କରିଛନ୍ତି। ୫୩ ବର୍ଷିୟ କାମି ବୁଧବାର ନିଜ କୀର୍ତ୍ତିମାନକୁ ଭାଙ୍ଗି ୨୭ ଥର ପାଇଁ ବିଶ୍ବର ଏହି ଉଚ୍ଚ ପର୍ବତ ଶୃଙ୍ଗରେ ପହଞ୍ଚିଥିଲେ। ଏସଂପର୍କରେ ନେପାଳ ପର୍ଯ୍ୟଟନ ବିଭାଗର ଅଧିକାରୀ ବିଜ୍ଞାନ କୋଇରାଲା ସ୍ପଷ୍ଟୋକ୍ତି କରିଛନ୍ତି। କାମି କାମ କରୁଥିବା ସେଭେନ୍‌ ସମିଟ୍‌ ଟ୍ରେକ୍ସ ସଂସ୍ଥାର ମହାପ୍ରବନ୍ଧକ ଥାନେଶ୍ବର ଗୁରଗାଇ ତାଙ୍କର ଏହି ପ୍ରୟାସକୁ ପ୍ରଶଂସା କରିବା ସହିତ ସକାଳ ସାଢେ ୮ଟା ବେଳେ ସେ ଏହି ସଫଳତା ପାଇଥିବା ସୂଚନା ଦେଇଛନ୍ତି। ଏଥିପୂର୍ବରୁ କାମି ୧୯୯୪ ମସିହାରେ ପ୍ରଥମ ଥର ଏଭେରେଷ୍ଟ ଚଢିଥିଲେ। ଏହାପରଠୁ କେବଳ ୨୦୧୪, ୨୦୧୫ ଓ ୨୦୨୦ ମସିହାକୁ ଛାଡ଼ିଦେଲେ ପ୍ରତ୍ୟେକ ବର୍ଷ ସେ ଏଭେରେଷ୍ଟ ଆରୋହଣ କରିଛନ୍ତି। ସୂଚନାଯୋଗ୍ୟ, ନେପାଳି ଶେର୍ପାମାନେ ସେମାନଙ୍କର ପାହାଡ଼ ଚଢିବା ଦକ୍ଷତା ପାଇଁ ଜଣାଶୁଣା। ଏମାନଙ୍କ ମଧ୍ୟରୁ ଅନେକ ବିଦେଶୀ ପର୍ବତାରୋହୀଙ୍କୁ ମାର୍ଗଦର୍ଶନ କରିବାକୁ ଏଭେରେଷ୍ଟ ଓ ଅନ୍ୟାନ୍ୟ ଶୃଙ୍ଗକୁ ଚଢିଥା’ନ୍ତି। ଏଭେରେଷ୍ଟକୁ ଉଭୟ ନେପାଳ ଓ ତିବତ ପଟୁ ଆରୋହଣ କରାଯାଇଥାଏ। ଏହା ଉପରକୁ ପାଖାପାଖି ୧୧ ହଜାର ଥର ଆରୋହଣ କରାଯାଇଥିଲା ବେଳେ ୩୨୦ ଜଣଙ୍କର ମୃତ୍ୟୁ ହୋଇସାରିଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକାଶ।