ସଚିନଙ୍କୁ ଟପିଲେ ନେପାଳୀ କ୍ରିକେଟର୍‌ ରୋହିତ

କାଠମାଣ୍ଡୁ: ନେପାଳର ରୋହିତ ପୌଡେଲ ନାମକ ଜଣେ ଯୁବ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨୯ ବର୍ଷ ତଳର କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। ଅନ୍ତର୍ଜାତୀୟ ଅର୍ଧଶତକ ହାସଲରେ ସଚିନ ସର୍ବକନିଷ୍ଠ ପୁରୁଷ କ୍ରିକେଟର ହେବାର ଗୌରବ ବହନ କରି ଆସୁଥିଲା ବେଳେ ରୋହିତ ତାଙ୍କୁ ଏକ୍ଷେତ୍ରରେ ଦ୍ବିତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ସଚିନ ୧୯୮୯ରେ ଫୈସଲାବାଦଠାରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ୧୬ ବର୍ଷ ୨୧୩ ଦିନ ବୟସରେ ପ୍ରଥମ ଅନ୍ତର୍ଜାତୀୟ ଅର୍ଧଶତକ ହାସଲ କରିଥିଲେ। ରୋହିତ ମାତ୍ର ୧୬ ବର୍ଷ ୧୪୬ ଦିନରେ ଏକ ଅନ୍ତର୍ଜାତୀୟ ଅର୍ଧଶତକ ଅର୍ଜନ କରିଛନ୍ତି। ଦୁବାଇରେ ଖେଳା ଯାଇଥିବା ୟୁଏଇ ବିପକ୍ଷ ଦିନିକିଆ ମୁକାବିଲାରେ ରୋହିତ ୫୫ ବଲ୍‌ରୁ ୫୮ ରନ୍ କରି ଅନ୍ତର୍ଜାତୀୟ ଅର୍ଧଶତକ କରିବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ରୋହିତ ମଧ୍ୟ ଦିନିକିଆ ଅର୍ଧଶତକ ହାସଲ କରିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ଏହି କ୍ରମରେ ସେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି (୧୬ ବର୍ଷ ୨୧୭ ଦିନ)ଙ୍କୁ ଅତିକ୍ରମ କରିଛନ୍ତି। ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟର ଜୋହମାରି ଲଗଟେନବର୍ଗ କିନ୍ତୁ ଉଭୟ ଟେଷ୍ଟ ଓ ଦିନିକିଆରେ ମାତ୍ର ୧୪ ବର୍ଷ ବୟସରେ ଅର୍ଧଶତକ ହାସଲ କରି ସାରିଛନ୍ତି।

ସମ୍ବନ୍ଧିତ ଖବର