ନେଟ୍‌ ବୋଲରରୁ ଅଗ୍ରଣୀ ପେସର

କୋଲ୍‌କାତା: କୋଲ୍‌କାତା ନାଇଟ୍‌ ରାଇଡର୍ସର ୨୨ ବର୍ଷୀୟ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମହତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ୩୦ ରନ୍‌ ଦେଇ ୪ ଓ୍ଵିକେଟ୍‌ ସଫଳତା ପାଇବା ପରେ ପ୍ରସିଦ୍ଧ ଏବେ ନେଟ୍‌ ବୋଲରରୁ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର)ର ଅଗ୍ରଣୀ ପେସର ପାଲଟି ଯାଇଛନ୍ତି। ଟେନିସ୍‌ ବଲ୍‌ କ୍ରିକେଟ୍‌ରୁ ବିଜୟ ହଜାରେ ଟ୍ରଫି ବାଟ ଦେଇ ଆଇପିଏଲ୍‌ ଖେଳିବାର ସୁଯୋଗ ପାଇଥିବା ପ୍ରସିଦ୍ଧ କିନ୍ତୁ ପ୍ରଥମେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ନେଟ୍‌ ବୋଲର ଥିଲେ। ୫ ବର୍ଷ ତଳେ ତାଙ୍କୁ ବାଙ୍ଗାଲୋର ଏହି ସୁଯୋଗ ଦେଇଥିଲା। ଏପରିକି ଚଳିତ ବର୍ଷର ଖେଳାଳି ନିଲାମରେ କୌଣସି ଫ୍ରାଞ୍ଚାଇଜ୍‌ ତାଙ୍କୁ କିଣି ନଥିଲା। କେକେଆର୍‌ ଚଳିତ ବର୍ଷ ତାଙ୍କୁ ପ୍ରଥମେ ନିଜ ନେଟ୍‌ ବୋଲର ଭାବେ ନେଇଥିଲା। ସେ ବି କୋଲ୍‌କାତା ଯାଇ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳି ନିରାଶରେ ନିଜ ଘରକୁ ଫେରି ଯାଇଥିଲେ। ତେବେ ଭାରତୀୟ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳର ଅନ୍ୟତମ ସଦସ୍ୟ କମଲେଶ ନାଗରକୋଟୀ ଆହତ ହୋଇ ପୂରା ଆଇପିଏଲ୍‌ରୁ ବାଦ୍‌ ପଡ଼ିବା ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। କୋଲ୍‌କାତା ତାଙ୍କୁ ନାଗରକୋଟୀଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରିଥିଲା। ପରେ ତାଙ୍କୁ ନିଜ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଥିଲା। ପ୍ରସିଦ୍ଧ ଚଳିତ ଆଇପିଏଲ୍‌ରେ ୭ ମ୍ୟାଚ୍‌ ଖେଳି ୧୦ ଓ୍ଵିକେଟ୍‌ ନେଇଛନ୍ତି। ସେ କର୍ଣ୍ଣାଟକର ବେଲାରି ବାସିନ୍ଦା ହୋଇଥିଲା ବେଳେ ୨୦୧୫ରେ ଭ୍ରମଣକାରୀ ବାଂଲାଦେଶ ଦଳ ବିପକ୍ଷରେ ନିଜର ଏକମାତ୍ର ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର