ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ସହିତ ଟିମ୍ ଇଣ୍ଡିଆର ଅଭିଜ୍ଞ ଅଫ୍-ସ୍ପିନର ଥିବା ଅଶ୍ୱିନ୍ ଏହା ସ୍ପଷ୍ଟ କରିଛନ୍ତି ଯେ, ବିଶ୍ୱର ବିଭିନ୍ନ ଲିଗରେ ତାଙ୍କର ନୂତନ କ୍ରୀଡ଼ା ଅଭିଜ୍ଞତାର ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି।
ଆଇପିଏଲରୁ ଅବସର ଘୋଷଣା କରି ଅଶ୍ୱିନ ସୋସିଆଲ ମିଡିଆରେ ଲେଖିଛନ୍ତି, "ବିଶେଷ ଦିନ ଏବଂ ଏକ ବିଶେଷ ଆରମ୍ଭ। କୁହାଯାଏ ଯେ, ପ୍ରତ୍ୟେକ ଶେଷର ଏକ ନୂତନ ଆରମ୍ଭ ଥାଏ, ଆଇପିଏଲ କ୍ରିକେଟର ଭାବରେ ମୋର ସମୟ ଆଜି ଶେଷ ହେଉଛି। କିନ୍ତୁ ବିଭିନ୍ନ ଲିଗରେ ଖେଳର ଅନୁସନ୍ଧାନକାରୀ ଭାବରେ ମୋର ସମୟ ଆଜିଠାରୁ ଆରମ୍ଭ ହେଉଛି। ବର୍ଷ ବର୍ଷ ଧରି ସୁନ୍ଦର ସ୍ମୃତି ଏବଂ ସୁମଧୁର ସମ୍ପର୍କ ପାଇଁ ମୁଁ ସମସ୍ତ ଫ୍ରାଞ୍ଚାଇଜ୍ ମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୋତେ ଏପର୍ଯ୍ୟନ୍ତ ଯାହା ଦେଇଛନ୍ତି, ସେଥିପାଇଁ ମୁଁ ବିସିସିଆଇ ଏବଂ ଆଇପିଏଲକୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୁଁ ଆଗକୁ ଯାହା ଅଛି ତାହା ଉପଭୋଗ କରିବାକୁ ଏବଂ ସେଥିରୁ ସର୍ବାଧିକ ଲାଭ ଉଠାଇବାକୁ ଅପେକ୍ଷା କରିଛି।"
ଆନ୍ତର୍ଜାତୀୟ କ୍ରିକେଟ ପରେ ଆଇପିଏଲରୁ ଅବସର ନେବା ପରେ ଏବେ ଅଶ୍ବିନ୍ଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଶ୍ୱିନଙ୍କ ମୋଟ୍ ସମ୍ପତ୍ତି ବିଷୟରେ କହିବାକୁ ଗଲେ ସେ ପ୍ରାୟ ୧୩୨ କୋଟି ଟଙ୍କାର ମାଲିକ ଅଟନ୍ତି। ଏକ ବିଳାସପୂର୍ଣ୍ଣ ଘର ସହିତ ତାଙ୍କ ପାଖରେ ଅଡି ଏବଂ ରୋଲ୍ସ ରଏଲ୍ସ ଭଳି ବିଳାସପୂର୍ଣ୍ଣ କାର୍ ରହିଛି। ତାଙ୍କ ଘରର ମୂଲ୍ୟ ପ୍ରାୟ ୯କୋଟି ଟଙ୍କା। ଏହା ବ୍ୟତୀତ ତାଙ୍କର ବିଭିନ୍ନ ସ୍ଥାନରେ ସମ୍ପତ୍ତି ମଧ୍ୟ ଅଛି। କ୍ରିକେଟ୍ ବ୍ୟତୀତ ସେ ବିଜ୍ଞାପନରୁ ଭଲ ରୋଜଗାର କରନ୍ତି।
ସେ ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେଙ୍କ ପରେ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା କ୍ରିକେଟର। ଅଶ୍ୱିନ୍ ତାଙ୍କ କ୍ୟାରିୟରରେ ୨୮୭ମ୍ୟାଚ୍ ଖେଳି ୩୭୯ଇନିଂସରେ ୭୬୫ୱିକେଟ୍ ନେଇଥିଲେ। ସେ ଟେଷ୍ଟରେ ମଧ୍ୟ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର। ସେ ୧୦୬ଟି ଟେଷ୍ଟ ମ୍ୟାଚ ଖେଳି ୨୦୦ଇନିଂସରେ ୫୩୭ଟି ୱିକେଟ୍ ନେଇଛନ୍ତି।
ଅଶ୍ୱିନ ଆଇପିଏଲରେ ୫ଟି ଦଳ ପାଇଁ ଖେଳିଛନ୍ତି। ତାଙ୍କର ଆଇପିଏଲ ଯାତ୍ରା ୨୦୦୯ ମସିହାରେ ଚେନ୍ନାଇ ସୁପର କିଙ୍ଗସ ସହିତ ଆରମ୍ଭ ହୋଇଥିଲା। ସେ ପ୍ରଥମ ସିଜିନରେ କେବଳ ୨ଟି ମ୍ୟାଚ୍ ଖେଳିପାରିଥିଲେ। ତାଙ୍କର ଶେଷ ଆଇପିଏଲ ସିଜିନ (୨୦୨୫) ରେ ଥିଲା। ସେ ସିଏସକେ ପାଇଁ ୯ଟି ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ୭ଟି ୱିକେଟ ନେଇଥିଲେ। ଆସନ୍ତୁ ଜାଣିବା ସେ କେଉଁ ଫ୍ରାଞ୍ଚାଇଜି ପାଇଁ କେତେ ୱିକେଟ ନେଇଥିଲେ।
୧. ସିଏସକେ ପାଇଁ (୨୦୦୯-୨୦୧୫)- ୧୦୬ମ୍ୟାଚ୍ରେ ୯୭ୱିକେଟ୍
୨. ଆରପିଏସ ପାଇଁ (୨୦୧୬)- ୧୪ମ୍ୟାଚ୍ରେ ୧୦ୱିକେଟ୍
୩. ପିବିକେଏସ ପାଇଁ (୨୦୧୮-୧୯)- ୨୮ମ୍ୟାଚ୍ରେ ୨୫ ୱିକେଟ୍
୪. ଡିସି ପାଇଁ (୨୦୨୦-୨୨)- ୨୮ ମ୍ୟାଚ୍ରେ ୨୦ୱିକେଟ୍
୫. ଆରଆର ପାଇଁ (୨୦୨୨-୨୪)- ୪୫ମ୍ୟାଚ୍ରେ ୩୫ୱିକେଟ୍
ମୋଟ ୫ଟି ଦଳ ପାଇଁ ଖେଳି, ଅଶ୍ୱିନ ୨୨୧ଟି ଆଇପିଏଲ ମ୍ୟାଚରେ ୧୮୭ଟି ୱିକେଟ୍ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ ବିଷୟରେ କହିବାକୁ ଗଲେ, ସେ ୧୦୬ଟି ଟେଷ୍ଟ, ୧୧୬ଟି ଦିନିକିଆ ଏବଂ ୬୫ଟି ଟି-୨୦ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ଯଥାକ୍ରମେ ୫୩୭, ୧୫୬ ଏବଂ ୭୨ଟି ୱିକେଟ୍ ନେଇଥିଲେ।।