କିସ୍ ପିଲାଙ୍କ ସହ ଖେଳିଲା ନେଦରଲାଣ୍ଡ

ଭୁବନେଶ୍ବର: ନେଦରଲାଣ୍ଡ୍ ହକି ଦଳ ଶୁକ୍ରବାର କିଟ୍ ଏବଂ କିସ୍ ପରିଦର୍ଶନରେ ଆସିଥିଲା। ସେମାନେ କିଟ୍‌ର ବିଭିନ୍ନ କ୍ୟାମ୍ପସ୍‌କୁ ଯିବା ସହ କିସ୍‌ର ବିଭିନ୍ନ ବିଭାଗକୁ ବୁଲି ଦେଖିଥିଲେ। ପରେ କିଟ୍ ହକି ଷ୍ଟାଡିୟମରେ କିସ୍ ପିଲାଙ୍କ ସହ ମ୍ୟାଚ୍‌ ଖେଳିଥିଲେ। କିସ୍ ପିଲାମାନେ ମଧ୍ୟ ଦକ୍ଷ ନେଦରଲାଣ୍ଡ ଖେଳାଳିଙ୍କ ସହ ଖେଳିବାର ଅଭିଜ୍ଞତା ସାଉଣ୍ଟିଥିଲେ। ସେମାନଙ୍କଠାରୁ ବିଭିନ୍ନ ହକି କୌଶଳ ଶିଖିଥିଲେ। କିସ୍ ପରିଦର୍ଶନ କରି ନେଦରଲାଣ୍ଡ ଖେଳାଳିମାନେ ବେଶ୍ ଉତ୍ସାହିତ ଥିଲେ। ଏହି ଖେଳାଳିମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ‌ଯେ ଆମେ ବିଶ୍ବର ବହୁ ସ୍ଥାନ ବୁଲିଛୁ। କିନ୍ତୁ କିସ୍ ଭଳି ଏକ ଅନୁଷ୍ଠାନ ପ୍ରଥମ ଥର ଦେଖିଲୁ। ଗୋଟିଏ ପରିସରରେ ଏତେ ସଂଖ୍ୟକ ଜନଜାତି ଛାତ୍ରଛାତ୍ରୀ ରହିବା ବିଶ୍ବରେ ବିରଳ। ଏଠାରେ ପିଲାମାନଙ୍କୁ ପାଠପଢ଼ା ସହ କ୍ରୀଡ଼ା କ୍ଷେତ୍ରରେ ଯେଉଁଭଳି ପ୍ରୋତ୍ସାହନ ଦିଆଯାଉଛି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ଏହି ଅବସରରେ ନେଦରଲାଣ୍ଡ ଦଳ କିସ୍‌କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ଏଥିରେ ଆନନ୍ଦ ପ୍ରକାଶ କରିବା ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭ୍ରମଣକାରୀ ନେଦରଲାଣ୍ଡ ଦଳକୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର