ନେଦରଲାଣ୍ଡ୍ସ-ଇକ୍ବେଡର ପଏଣ୍ଟ ବାଣ୍ଟିଲେ

ଆୟୋଜକ କାତାର ପ୍ରିକ୍ବାର୍ଟର ଫାଇନାଲ୍‌ ଦୌଡ଼ରୁ ବାଦ

ଦୋହା : ଚଳିତ ଫିଫା ବିଶ୍ବକପ୍‌ର ଶୁକ୍ରବାର ତୃତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ୍ସ ଓ ଇକ୍ବେଡର। ଖଲିଫା ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍‌-ଏ’ର ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ନେଦରଲାଣ୍ଡ୍‌ସ ପାଇଁ କୋଡି ଗାକ୍‌ପୋ ପ୍ରଥମାର୍ଦ୍ଧ (ଷଷ୍ଠ ମିନିଟ୍‌)ରେ ଗୋଲ୍‌ କରିଥିଲା ବେଳେ ଇକ୍ବେଡର ପକ୍ଷରୁ ଅଧିନାୟକ ଇନର ଭାଲେନସିଆ ଦ୍ବିତୀୟାର୍ଦ୍ଧ (୪୯ ମିନିଟ୍‌)ରେ ଗୋଲ୍‌ଟି ଶୁଝି ଦେଇଥିଲେ। ଗ‌ାକ୍‌ପୋ ଚଳିତ ବିଶ୍ବକପ୍‌ରେ ଦ୍ବିତୀୟ ଗୋଲ୍‌ ସ୍କୋର କରିବାର ଗୌରବ ପାଇଥିଲା ବେଳେ ଭାଲେନସିଆଙ୍କର ଏହା ଚଳିତ ବିଶ୍ବକପ୍‌ରେ ତୃତୀୟ ଗୋଲ୍‌।

ଫଳରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଏହି ଦୁଇ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ। ନିଜର ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୨-୦ରେ ସେନେଗାଲକୁ ଏବଂ ଇକ୍ବେଡର ୨-୦‌ରେ ଆୟୋଜକ କାତାରକୁ ପରାସ୍ତ କରିଥିଲା। ଏଥି ସହିତ ନିଜର ଶେଷ ୧୫ ବିଶ୍ବକପ୍‌ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଅପରାଜେୟ ରହିଲା। ଏହି ଦଳ ୧୧ ମ୍ୟାଚ୍‌ ଜିତିଥିଲା ବେଳେ ଅବଶିଷ୍ଟ ୪ ମ୍ୟାଚ୍‌ ଅମୀମାଂସିତ ରଖିଛି। ନେଦରଲାଣ୍ଡ୍‌ସ ବ୍ୟତୀତ ଉଭୟ ଜର୍ମାନି (୧୯୯୦ରୁ ୨୦୧୦ ମଧ୍ୟରେ) ଏବଂ ବ୍ରାଜିଲ (୨୦୧୦ ପରଠାରୁ) ୧୬ ଲେଖାଏଁ ବିଶ୍ବକପ୍‌ ମ୍ୟାଚ୍‌ରେ ପରାଜୟର ସାମ୍‌ନା କରିନାହାନ୍ତି। ୨୦୧୦ ଫାଇନାଲ୍‌ରେ ପହଞ୍ଚିବାଠାରୁ ଏପର୍ଯ୍ୟନ୍ତ ଉଭୟେ ବିଶ୍ବକପ୍‌ରେ ସବୁଠୁ ଅଧିକ ମ୍ୟାଚ୍‌ (୯ ଲେଖାଏଁ) ଖେଳିଥିଲା ବେଳେ ଅପରାଜେୟ ରହିଛନ୍ତି। ତେବେ ୧୯୯୮ରେ ମେକ୍ସିକୋ ସହ ୨-୨ ଡ୍ର’ ପରେ ପ୍ରଥମ ଥର ପାଇଁ ନେଦରଲାଣ୍ଡ୍ସ ଅଗ୍ରଣୀ ସତ୍ତ୍ବେ ମ୍ୟାଚ୍‌ ଜିତିବାରେ ବିଫଳ ହୋଇଛି। ଅନ୍ୟପକ୍ଷରେ ଇକ୍ବେଡର ତା’ର ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ଲାଗି କ୍ରମାଗତ ୪ ମ୍ୟାଚ୍‌ରେ ଅପରାଜେୟ ରହିଛି। ଏହି ଦଳ ୨ ବିଜୟ ଓ ୨ ଡ୍ର’ କରିଛି। ପୁଣି ୨୦୦୬ ପରେ କୌଣସି ବିଶ୍ବକପ୍‌ରେ ନିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟକୁ ଏଡାଇପାରିଛି।

ଶୁକ୍ରବାର ମ୍ୟାଚ୍‌ ଅମୀମାଂସିତ ରଖିବା ପରେ ଉଭୟ ଦଳ ସମାନ ୪ ପଏଣ୍ଟ୍‌ ଲେଖାଏଁ ପାଇ ଟେବୁଲର ଶୀର୍ଷ ଦୁଇ ସ୍ଥାନରେ ରହିଛନ୍ତି। ଉଭୟ ଦଳ ମଧ୍ୟ ସମାନ ଗୋଲ୍‌ ସ୍କୋର୍‌ କରିଛନ୍ତି। ଏମାନଙ୍କ ପଛକୁ ସେନେଗାଲ ୩ ପଏଣ୍ଟ୍‌ ସହ ତୃତୀୟରେ ରହିଥିଲା ବେଳେ ଦୁଇଟି ପରାଜୟ ପାଇଥିବା ଆୟୋଜକ କାତାର ଶେଷ ଗ୍ରୁପ୍‌ ମ୍ୟାଚ୍‌ ପୂର୍ବରୁ ପ୍ରିକ୍ବାର୍ଟର ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ଫଳରେ କାତାରର ନେଦରଲାଣ୍ଡ୍‌ସ ବିପକ୍ଷ ଶେଷ ମ୍ୟାଚ୍‌ ଗୁରୁତ୍ବହୀନ ହୋଇଯାଇଛି।

ସମ୍ବନ୍ଧିତ ଖବର