ପ୍ୟାରିସ/ଷ୍ଟକ୍ହୋମ୍ : ନୂଆ ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ଦୁଇଟି ଗୋଲ୍ ବଳରେ ଫ୍ରାନ୍ସ ଚଳିତ ୟୁରୋ-୨୦୨୪ କ୍ବାଲିଫାୟର ପର୍ଯ୍ୟାୟରେ ଶୁକ୍ରବାର ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଗ୍ରୁପ୍-ବି’ର ଏହି ମ୍ୟାଚ୍ରେ ଫ୍ରାନ୍ସ ୪-୦ ଗୋଲ୍ରେ ବିଜୟୀ ହୋଇଥିଲା ବେଳେ ଏମ୍ବାପେଙ୍କ ୨ ବ୍ୟତୀତ ଦାୟତ୍ ଉପାମେକାନୋ ଏବଂ ରାଫେଲ ଭାରାନେ ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ିଥିଲେ। ଏହି ବିଜୟ ସହିତ ଫ୍ରାନ୍ସ ମଧ୍ୟ ଗ୍ରୁପ୍-ବି ପଏଣ୍ଟ ତାଲିକାରେ ଆଗୁଆ ରହିଛି। ଅନ୍ୟପକ୍ଷରେ ଦିନିଅର ଦେଶ୍ଚାମ୍ପ୍ଙ୍କ ଗ୍ରିସ୍ ଦଳ ଜିବ୍ରାଲଟରକୁ ୩-୦ ଗୋଲ୍ରେ ପରାସ୍ତ କରିବା ସତ୍ତ୍ବେ ଦ୍ବିତୀୟ ସ୍ଥାନରେ ରହିଛି। ନିଜ ନିଜର ପରବର୍ତୀ ମ୍ୟାଚ୍ରେ ଗ୍ରିସ୍ ସୋମବାର ଡବ୍ଲିନ୍ରେ ଆୟର୍ଲାଣ୍ଡ୍କୁ ଏବଂ ନେଦରଲାଲାଣ୍ଡ୍ସ ଜିବ୍ରାଲଟରକୁ ଭେଟିବ।
ଗ୍ରୁପ୍-ଏଫ୍’ର ଏକ ମୁକାବିଲାରେ ରୋମେଲୁ ଲୁକାକାଙ୍କ ହ୍ୟାଟ୍ରିକ୍ ବଳରେ ବେଲ୍ଜିୟମ୍ ୩-୦ ଗୋଲ୍ରେ ସ୍ବିଡେନ୍କୁ ପରାସ୍ତ କରିଛି। ଷ୍ଟକ୍ହୋମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲୁକାକାଙ୍କ ପ୍ରଦର୍ଶନ ଆଗରେ ଆନ୍ତର୍ଜାତିକ ଫୁଟ୍ବଲକୁ ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତନ କରିଥିବା ଜଲ୍ତାନ ଇବ୍ରାହିମୋଭିକ୍ ଫିକା ପଡ଼ି ଯାଇଥିଲେ। ବେଲ୍ଜିୟମ୍ର ଏହି ବିଜୟ ନୂଆ ପ୍ରଶିକ୍ଷକ ଡୋମିନିକୋ ଟେଡେସ୍କୋଙ୍କୁ ଖୁସୀ ଦେଇଛି। ଗ୍ରୁପ୍-ଏଫ୍ର ଅନ୍ୟ ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୪-୧ ଗୋଲ୍ରେ ଆଜାରବୈଜାନ୍କୁ ପରାସ୍ତ କରିଛି। ମାର୍ସେଲ ସାବିଜର ଦୁଇଟି ଗୋଲ୍ କରି ଅଷ୍ଟ୍ରେଲିଆ ବିଜୟର କର୍ଣ୍ଣଧାର ସାଜିଥିଲେ।