ହରାରେ: ବାସ୍ ଡି ଲିଡ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ନେଦରଲାଣ୍ଡ୍ସ ଆଇସିସି ଦିନିକିଆ ବିଶ୍ବକପ୍ ମୁଖ୍ୟ ପର୍ଯ୍ୟାୟକୁ ଶ୍ରୀଲଙ୍କା ପରେ ଦ୍ବିତୀୟ ଦଳ ଭାବେ ଯୋଗ୍ୟତା ଅର୍ଜନ କରିଛି। ସୁପର ସିକ୍ସର ଶେଷ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ବିଜୟ ଆବଶ୍ୟକ ହେଉଥିଲା ବେଳେ ସ୍କଟଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୭୮ ରନ୍ର ଲକ୍ଷ୍ୟକୁ ଏହି ଦଳ ୪୨.୫ ଓଭରରେ ହାସଲ କରିବା ଦ୍ବାରା ଟେବୁଲ୍ର ଦ୍ବିତୀୟ ସ୍ଥାନକୁ ଉଠିଥିଲା। ଏହି ବିଜୟ ପରେ ନେଦରଲାଣ୍ଡ୍ସ, ସ୍କଟଲାଣ୍ଡ ଓ ଜିମ୍ବାୱେର ସମାନ ୬ ପଏଣ୍ଟ ହୋଇଥିଲା। କିନ୍ତୁ ରନ୍ରେଟ୍ ଆଧାରରେ ନେଦରଲାଣ୍ଡ୍ସ (୦.୧୬୦) ଅନ୍ୟମାନଙ୍କୁ ପଛରେ ପକାଇଥିଲା।
ବୁଲାୱାୟୋର କ୍ବିନ୍ସ ସ୍ପୋର୍ଟ୍ସ କ୍ଲବ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ନେଦରଲାଣ୍ଡ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ବ୍ରାଣ୍ଡନ ମ୍ୟାକ୍ମୁଲେନ୍ଙ୍କ ୧୦୬ ଓ ରିଚି ବେରିଙ୍ଗଟନ୍ଙ୍କ ୬୪ ରନ୍ ସହାୟତାରେ ସ୍କଟଲାଣ୍ଡ ୯ ୱିକେଟ୍ ବିନିମୟରେ ୨୭୭ ରନ୍ ସଂଗ୍ରହ କରିଥିଲା। ଏହି ପାଳିରେ ଡି ଲିଡ୍ସ (୧୦-୦-୫୨-୫) ସ୍କଟଲାଣ୍ଡର ବ୍ୟାଟିଂ କ୍ରମ ଭାଙ୍ଗିଥିଲା ବେଳେ ରିୟାନ କ୍ଲେନ୍ ୨, ଲୋଗାନ୍ ଭାନ୍ ବିକ୍ ୧ ୱିକେଟ୍ ଅକ୍ତିଆର କରିଥିଲେ। ବିଶ୍ବକପ୍ ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତା ପାଇବାକୁ ହେଲେ ନେଦରଲାଣ୍ଡ୍ସକୁ ୪୪ ଓଭରରେ ଜିତିବା ଆବଶ୍ୟକ ଥିଲା। ତେଣୁ ପ୍ରଥମ ୨୦ ଓଭରକୁ ରକ୍ଷଣାତ୍ମକ ଖେଳିଥିଲେ ନେଦରଲାଣ୍ଡ୍ସ ବ୍ୟାଟର। ବିକ୍ରମଜିତ ସିଂହ (୪୦) ଓ ମ୍ୟାକ୍ସ ଓ ଦାଉଦ୍ (୨୦) ପ୍ରଥମ ୱିକେଟ୍ରେ ୬୫ ରନ୍ ଯୋଡ଼ିବା ପରେ ୨୩.୩ ଓଭର ଭିତରେ ଦଳ ୪ ୱିକେଟ୍ ହରାଇସାରିଥିଲା। କିନ୍ତୁ ଡି ଲିଡ୍ସ ଗୋଟିଏ ପଟରୁ ଆକ୍ରମଣ ଆରମ୍ଭ କରିବା ସହ ସ୍କଟ୍ ଏଡୱାର୍ଡ୍ସ (୨୫) ଙ୍କ ସହ ୫୫ ଓ ସାକିବ୍ ଜୁଲ୍ଫିକାର (୩୩*)ଙ୍କ ସହ ୧୧୩ ରନ୍ ଭାଗୀଦାରି କରି ଦଳକୁ ବିଜୟ ନିକଟତର କରାଇଥିଲେ। ବିଜୟଠୁ ୨ ରନ୍ ଦୂରରେ ଥିବା ବେଳେ ଡି ଲିଡ୍ସ ୧୨୩ ରନ୍ (୯୨ ବଲ୍, ୭ ଚୌକା, ୫ ଛକା) ସଂଗ୍ରହ କରି ଆଉଟ୍ ହୋଇଥିଲେ।