ଲଣ୍ଡନ: ଚଳିତ ୟୁରୋକପ୍ ଫାଇନାଲ୍ ଫଳାଫଳକୁ ନେଇ ମଣିଷଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ ସମସ୍ତେ ଭବିଷ୍ୟବାଣୀ କରିବା ଆରମ୍ଭ କରି ଦେଇଛନ୍ତି। ତେବେ ଲଣ୍ଡନ ଚିଡ଼ିଆଖାନାର ରହସ୍ୟମୟ ନେଉଳ ଆୟୋଜକ ଇଂଲଣ୍ଡ ଏହି ମେଗା ମୁକାବିଲାକୁ ଜିତିବ ବୋଲି ଭବିଷ୍ୟବାଣୀ କରି ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଚିଡ଼ିଆଖାନାର ଜଣେ କର୍ମଚାରୀ ଏହି ନେଉଳଟିକୁ ନେଇ ବିଜେତା ବାଛିବାର ପ୍ରକ୍ରିୟା କରିଥିଲେ। ପ୍ରଥମେ ସେ ଏକ ନିକଟସ୍ଥ ପଡ଼ିଆରେ ଇଂଲଣ୍ଡ ଓ ଇଟାଲି ଜାତୀୟ ପତାକା ପୋତି ଦେଇଥିଲେ। ଏହା ପରେ ନେଉଳକୁ ଛାଡ଼ି ବିଜେତା ବାଛିବାର ସଙ୍କେତ ଦେଇଥିଲେ। ୫ ମିନିଟ୍ ପର୍ଯ୍ୟନ୍ତ ଅନୁଧ୍ୟାନ କରିବା ପରେ ଚତୁର ନେଉଳଟି ଇଂଲଣ୍ଡ ପତାକାକୁ ବାଛିଥିଲା।
ଅତୀତରେ ମଧ୍ୟ ବଡ଼ ବଡ଼ ଫୁଟବଲ୍ ପ୍ରତିଯୋଗିତାର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଫଳାଫଳର ଭବିଷ୍ୟବାଣୀ ବହୁ ଜୀବଜନ୍ତୁ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୧୦ ବିଶ୍ବକପ୍ରେ ଜର୍ମାନୀର ପଲ୍ ନାମକ ଏକ ଅକ୍ଟୋପସ୍ ୮ଟି ମ୍ୟାଚ୍ର ଫଳାଫଳ ସଠିକ୍ ଭାବେ ଅନୁମାନ କରି ବିଶ୍ବ ସାରା ପ୍ରସିଦ୍ଧି ଲାଭ କରିଥିଲା। କେହି କେହି ତାକୁ ପଲ୍ ବାବା ବି କହିବା ଆରମ୍ଭ କରି ଦେଇଥିଲେ।