ଫୁଟବଲ ମ୍ୟାଚ ବେଳେ ଅନ୍ୟ ଖେଳାଳିଙ୍କ ନିକଟରେ କାଶିଲେ ରେଡ କାର୍ଡ ଦେଖାଇବେ ରେଫରି

ଜୁରିକ : ବିଶ୍ୱ ମହାମାରୀ କରୋନା ଯୋଗୁଁ କ୍ରୀଡ଼ାଜଗତ ବିଶେଷ ଭାବେ ପ୍ରଭାବିତ ହୋଇଛି । ଗତ ପ୍ରାୟ ୬ ମାସ ଧରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ ରହିଛି । ଏବେ ଧୀରେ ଧୀରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବାରେ ଲାଗିଛି । କରୋନା ଗାଇଡଲାଇନକୁ ମାନି ବିଭିନ୍ନ କ୍ରୀଡ଼ା ଖେଳାଯାଉଛି । କିନ୍ତୁ କେତେକ ଖେଳାଳି କରୋନାର ଫାଇଦା ନେବାକୁ ଆରମ୍ଭ କରିଦେଇଛନ୍ତି । ଫୁଟବଲ ଖେଳରେ ବିପକ୍ଷ ଖେଳାଳୀଙ୍କୁ ଦୂରେଇ ରଖିବାକୁ କେତେକ ଖେଳାଳି କାଶୁଥିବାରୁ ତାହା ପଡ଼ିଆରେ ଏକ ଅଜବ ସମସ୍ୟା ସୃଷ୍ଟି କରିଛି । ବିଶେଷକରି ବଲ ଛଡ଼ାଇବା ବେଳେ ଖେଳାଳିଙ୍କ କାଶ ବଡ଼ ସମସ୍ୟା ସୃଷ୍ଟି କରୁଛି ।

କଥା ଏବେ ଫିଫା ଓ ଅନ୍ତର୍ଜାତୀୟ ଫୁଟବଲ ସଂଘ ବୋର୍ଡ ନିକଟରେ ପହଞ୍ଚିଛି । ଫିଫା ଦ୍ୱାରା ସ୍ୱୀକୃତିପାପ୍ତ ସଂସ୍ଥା ଅନ୍ତର୍ଜାତୀୟ ଫୁଟବଲ ସଂଘ ବୋର୍ଡ ହେଉଛି ଫୁଟବଲର ସର୍ବୋଚ୍ଚ ନିୟମ ନିର୍ଦ୍ଧାରଣକାରୀ ସଂସ୍ଥା । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏକ ନୂଆ ନିୟମ ପ୍ରଣୟନ କରାଯାଇଛି । ଖେଳ ଚାଲିଥିବାବେଳେ ଜଣେ ଖେଳାଳି ଅନ୍ୟ ଖେଳାଳିଙ୍କ ନିକଟରେ ଜାଣିଶୁଣି କାଶିଲେ ତାଙ୍କୁ ରେଡକାର୍ଡ ଦେଖାଯାଇ ପଡ଼ିଆରୁ ବାହାର କରିଦିଆଯିବ । ତେବେ ରେଫରିଙ୍କ ଯଦି ହୃଦବୋଧ ହେଲା ଯେ ଖେଳାଳି ଜାଣିଶୁଣି କାଶିଛନ୍ତି, କେବେ ରେଡକାର୍ଡ ଦେଖାଯିବ । କେତେକ କ୍ଷେତ୍ରରେ ୟେଲୋକାର୍ଡ ମଧ୍ୟ ଦେଖାଯାଇପାରେ । ଏ ସଂପର୍କରେ ରେଫରି ହିଁ ଏହି ଅପରାଧର ସତ୍ୟତା ଉପରେ ବିଚାର କରିବେ ।

ସମ୍ବନ୍ଧିତ ଖବର