ଦେବାଶିଷ ସୁନ୍ଦରାୟ
ଭୁବନେଶ୍ବର: ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର୍ (କାଂସ୍ୟ) ରବିବାର କଳିଙ୍ଗ ଷ୍ଟାଡିୟମ୍‌ରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ତା’ ସହିତ ଓଡ଼ିଶା କ୍ରୀଡ଼ା ଇତିହାସରେ ଆୟୋଜନ ଓ ପ୍ରାୟୋଜନର ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଏହି ବହୁ ରାଷ୍ଟ୍ରୀୟ ତଥା ବହୁ ଇଭେଣ୍ଟ୍‌ ବିଶିଷ୍ଟ ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଏବଂ କଳିଙ୍ଗ ଷ୍ଟାଡିୟମ୍ ପ୍ରଥମ ଭେନ୍ୟୁ ହେବାର ଗୌରବ ଅର୍ଜନ କରିଛି। ସେହିଭଳି ଓଡ଼ିଶାର ଦୁଇ ତାରକା ଅନିମେଷ କୁଜୁର ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଯଥାକ୍ରମେ ପୁରୁଷ ୨୦୦ ମିଟର ଏବଂ ମହିଳା ୧୦୦ ମିଟର ବାଧାଦୌଡ଼ର ପ୍ରଥମ ସ୍ଥାନରେ ରହିବା ରାଜ୍ୟକ୍ରୀଡ଼ା ପାଇଁ ଐତିହାସିକ ଅଧ୍ୟାୟ ହୋଇଛି। ଉଭୟ ନିଜନିଜ ଇଭେଣ୍ଟରେ ଆଧିପତ୍ୟ ବିସ୍ତାର କରିବା ମଧ୍ୟ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିଛି। ଅନିମେଷ ୨୦.୭୭ ସେକେଣ୍ଡ ଏବଂ ପ୍ରଜ୍ଞାପ୍ରଶାନ୍ତି ୧୩.୭୪ ସେକେଣ୍ଡ ସମୟ ସହ ପ୍ରଥମ ସ୍ଥାନରେ ରହି ନିଜନିଜ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ। ଏହି ଦିନିକିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟ ଦୁଇ ଓଡ଼ିଆ ତାରକା ଶ୍ରାବଣୀ ନନ୍ଦ ଏବଂ ଲାଲୁ ପ୍ରସାଦ ଭୋଇ ମହିଳା ଓ ପୁରୁଷ ୧୦୦ ମିଟରର ଯଥାକ୍ରମେ ପଞ୍ଚମ ଓ ଚତୁର୍ଥ ସ୍ଥାନରେ ରହିବା ଅବଶ୍ୟ ସାମାନ୍ୟ ନୈରାଶ୍ୟଜନକ ଖବର ହୋଇଛି।

Advertisment

ମୋଟ ଉପରେ କିନ୍ତୁ ଓଡ଼ିଆ ଖେଳାଳିମାନେ ନିଜ ପ୍ରଦର୍ଶନ ବଳରେ କଳିଙ୍ଗ ଷ୍ଟାଡିୟମ୍‌ରେ ଉପସ୍ଥିତ ୧୫,୦୦୦ରୁ ଅଧିକ ଦର୍ଶକଙ୍କ ମନ ଜିତି ନେଇଛନ୍ତି। ସେହିଭଳି ରବିବାର ହୋଇଥିବା ୧୭ଟି ଇଭେଣ୍ଟର ଫାଇନାଲ୍‌ରୁ ଅଧିକାଂଶ ବର୍ଗରେ ଭାରତୀୟ ଖେଳାଳିମାନେ ପ୍ରଥମ ସ୍ଥାନ ଅଧିକାର କରିବା ଉଲ୍ଲେଖନୀୟ ରହିଛି। ସେହିଭଳି ପୁରୁଷ ଜାଭଲିନରେ ଶ୍ରୀଲଙ୍କାର ରମେଶ ଥରଙ୍ଗା କଳିଙ୍ଗ ଷ୍ଟାଡିୟମ୍‌ରୁ ଜାପାନର ଟୋକିଓରେ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରତିଯୋଗିତାର ଏକମାତ୍ର ଖେଳାଳି ଭାବେ ସେ ଏହି ସଫଳତା ଲାଭ କରିଛନ୍ତି। ବିଶ୍ବ ଚାମ୍ପିଅନସିପ୍‌ ପାଇଁ ଯୋଗ୍ୟତା ଅର୍ଜନ ଦୂରତା ୮୫.୫୦ ମିଟର ଥିଲା ବେଳେ ରମେଶ ୮୬.୫୦ ମିଟରକୁ ଜାଭଲିନ ଫିଙ୍ଗି ଟୋକିଓ ଟିକେଟ୍‌ ପାଇଥିଲେ। ବିଭିନ୍ନ ବର୍ଗର ପ୍ରଥମ ଚାରି ସ୍ଥାନରେ ରହିଥିବା ଖେଳାଳିମାନେ ଯଥାକ୍ରମେ ୮୦୦, ୪୦୦, ୩୦୦ ଓ ୨୦୦ ଡଲାରର ଆର୍ଥିକ ପୁରସ୍କାର ପାଇଥିଲେ।

ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ହୋଇ ୪ ଗୁଣା ୪୦୦ ମିଟର ରିଲେ ଦଳକୁ ପୁରସ୍କୃତ କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂହ, ପୁଲିସ ଡିଜି ୱାଇବି ଖୁରାନିଆ, କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।